ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ରାୟ, ପୁଅକୁ ୧୮ ବର୍ଷ ହୋଇଗଲେ ସରିଯାଏନି ପିତାର କର୍ତ୍ତବ୍ୟ

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୬ : ପୁଅର ବୟସ ୧୮ ବର୍ଷ ହେବା ପରେ ବି ତା ପ୍ରତି ପିତାର ଦାୟିତ୍ୱ ସରିଯାଏନି। ପୁଅ ସାବାଳକ ହେବା ପରେ ତାର ପରବର୍ତ୍ତି ଶିକ୍ଷା ଓ ଅନ୍ୟାନ୍ୟ ବାବଦ ବ୍ୟୟ ଏକାକୀ ମା ଉପରେ ଛାଡିଦେଇ ହେବନି। ଏଣୁ ପିତାଙ୍କୁ ମଧ୍ୟ ନିଜ ଦାୟିତ୍ୱ ତୁଲାଇବାକୁ ପଡେ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ପରିବାରିକ ମାମଲାର ଶୁଣାଣିରେ କହିଛନ୍ତି। କୋର୍ଟ ବାଳକର ମାଙ୍କୁ ତାଙ୍କ ପିତା ମାସିକ ଖର୍ଚ୍ଚ ବାବଦେ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭତ୍ତା ତାଙ୍କ ପୁଅ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ପିତା ଭରଣା କରିବେ ବୋଲି କୋର୍ଟ ନିର୍ଦ୍ଦେଶରେ କହିଛନ୍ତି।

ବର୍ତ୍ତମାନ କଷ୍ଟ ଅଫ ଲିଭିଂ ବଢିବଢି ଚାଲିଛି, ଏଥିପ୍ରତି ମଧ୍ୟ ପିତାଙ୍କୁ ଧ୍ୟାନ ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଏକାକୀ ମହିଳା ପୁଅର ପାଠ ପଢା  ଓ ନିଜର ଖର୍ଚ୍ଚ ତୁଲାଇବା ସମ୍ଭବ ନୁହେଁ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ନିମ୍ନ କୋର୍ଟ ଏ ନେଇ ମହିଳାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସେହିପରି ପୁଅର ପାଠ ପଢା ବାବଦ ଖର୍ଚ୍ଚ ଲାଗି ପିତା ବ୍ୟୟଭାର ଗ୍ରହଣ କରନ୍ତୁ ବୋଲି ମହିଳାଙ୍କ ନିବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ତେବେ ନିମ୍ନ ଅଦାଲତ ନାବାଳିକା କନ୍ୟା ବାବଦେ ସମସ୍ତ ବ୍ୟୟ ପିତା କରିବେ ବୋଲି କହିଥିଲେ।

ତେବେ ଅଭିଯୋଗକାରିଣୀ ହାଇକୋର୍ଟରେ ପହଞ୍ଚିବା ପରେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ପୁଅ ସାବାଳକ ହେବା ପରେ ତାର ଉତ୍ତର ଦାୟିତ୍ୱ ମାକୁ ତୁଲାଇବାକୁ ପଡେ। ହେଲେ ପୁଅର ପାଠ ପଢା ସମେତ ଅନ୍ୟ ବାବଦ ଖର୍ଚ୍ଚ ଲାଗି ପାରିବାରିକ ଆୟର ସ୍ରୋତ ନାହିଁ। ଏଣୁ ପୁଅକୁ ଗ୍ରାଜୁଏସନ ପଢା ଶେଷ ପର୍ଯ୍ୟନ୍ତ ଅଥବା ସେ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ପିତା ଆର୍ଥିକ ସହଯୋଗ କରିବା ଦରକାର ବୋଲି କୋର୍ଟ କହିଛନ୍ତି।

{"id":470041,"sizeSlug":"large","linkDestination":"none"}

ଉଲ୍ଲେଖ ଯୋଗ୍ୟ ଯେ ଦମ୍ପତ୍ତି ନଭେମ୍ବର ୧୯୯୭ରେ ବିବାହ କରିଥିଲେ। ୨୦୧୧ ନଭେମ୍ବରରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଛି। ଉଭୟଙ୍କ ଦୁଇଟି ସନ୍ତାନ ଥିବା ବେଳେ ପୁଅର ବୟସ ଏବେ ୨୦ ବର୍ଷ ଓ ଝିଅକୁ ୧୮ବର୍ଷ ହୋଇଛି। ଫ୍ୟାମିଲିକୋର୍ଟଙ୍କ ଆଦେଶ ମୁତାବକ ପୁଅ ସେ ପର୍ଯ୍ୟନ୍ତ ପିତାଙ୍କଠାରୁ ମେଣ୍ଟେନାନ୍ସ ପାଇବାକୁ ହକଦାର ଯେଉଁ ପର୍ଯ୍ୟନ୍ତ ତାକୁ ୧୮ ବର୍ଷ ନ ହୋଇଛି। ସେହିପରି ଝିଅର ବିବାହ ଅଥବା ସ୍ଥାୟୀ ଆୟର ସ୍ରୋତ ନ ମିଳିବା ପର୍ଯ୍ୟନ୍ତ ପିତାଙ୍କ ମେଣ୍ଟେନାନ୍ସର ସେ ହକଦାର।

ତେବେ ଏ କ୍ଷେତ୍ରରେ କୋର୍ଟ ପୁଅ ଉଚ୍ଚଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ଅଥବା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ପିତାଙ୍କଠାରୁ ମେଣ୍ଟେନାନ୍ସ ନେବାକୁ ହକଦାର ବୋଲି କହିଛନ୍ତି। କାରଣ ୧୮ ବର୍ଷ ବୟସ ହୋଇଗଲେ ଯେ  କୌଣସି ପିଲା ନିଜ ଗୋଡରେ ଛିଡା ହୋଇଯାଏ ତାହା କୁହାଯାଇପାରିବ ନାହିଁ। ଏହି ବୟସରେ କେହି ପିଲା ଦ୍ୱାଦଶ ଉତୀର୍ଣ୍ଣ ହୋଇପାରିଥାଏ। ଏଥିରେ ତାକୁ ରୋଜଗାରର ପନ୍ଥା ମିଳିଯିବ ବୋଲି କହି ହେବନାହିଁ ବୋଲି କୋର୍ଟ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.