ଭାରତ-ପାକିସ୍ତାନ ସୀମାରେ ଜନ୍ମ ହେଲା ଶିଶୁ, ମା-ବାପା ନାଁ ରଖିଲେ 'ବର୍ଡର'

Published By : Prameya-News7 Bureau | December 05, 2021 IST

ଚଣ୍ଡିଗଡ ୦୫।୧୨: ଭାରତ  ଭ୍ରମଣରେ ଆସିଥିବା ୯୭ ପାକିସ୍ତାନୀ ନାଗରିକ ସଠିକ୍ କାଗଜପତ୍ର ନଥିବା କାରଣରୁ ଗତ ୭୧ ଦିନ ହେବ ଅଟାରୀ ସୀମାରେ ଫସି ରହିଛନ୍ତି। ଏହା ମଧ୍ୟରେ ସୀମାରେ ଏକ ପାକିସ୍ତାନୀ ଦମ୍ପତ୍ତି ନିଜ ପିଲାର ଜନ୍ମ ପରେ ତାର ନାମ  'ବର୍ଡର' ରଖିଛନ୍ତି।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ରହୁଥିବା ଦମ୍ପତ୍ତି ନିମ୍ବୁ  ବାଇ ଓ ବଲମ ରାମ କହିଛନ୍ତି, ସେମାନେ ନିଜ ପିଲାର ନାମ  ବର୍ଡର ଏଥିପାଇଁ ରଖିଛନ୍ତି କାରଣ ସେ ଭାରତ-ପାକିସ୍ତାନ ସୀମାରେ ଜନ୍ମ ଗ୍ରହଣ କରିଛି। ନିମ୍ବୁ ଭାଇ ଗର୍ଭବତୀ ଥିଲେ ଏବଂ ଡିସେମ୍ବର ୨ରେ ପ୍ରସବକାଳୀନ ପୀଡା ଅନୁଭବ କରିଥିଲେ। ପଡୋଶୀ ମହିଳା ନିମ୍ବୁ ବାଇଙ୍କ ସାହାଯ୍ୟ ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ମେଡିକାଲ ସୁବିଧା ଯୋଗାଇ ଦେଇଥିଲେ।

ରଲମ ରାମ କହିଛନ୍ତି, ସେମାନେ ୯୮ ଲୋକଙ୍କ ସହିତ ଲକଡାଉନ୍ ପୂର୍ବରୁ ନିଜର ସଂପର୍କୀୟ ଏବଂ ତୀର୍ଥ ଯାତ୍ରା ପାଇଁ ଭାରତ ଆସିଥିଲେ। ତେବେ ଆବଶ୍ୟକ କାଗଜପତ୍ର ନଥିବା କାରଣରୁ ସେମାନେ ନିଜ ଘରକୁ ଫେରି ପାରି ନାହାନ୍ତି। ଏଥିରେ ୪୭ ପିଲା ସାମିଲ୍, ଯେଉଁଥିରୁ ୬ ଶିଶୁ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କର ବୟସ ଏକ  ବର୍ଷରୁ କମ ହେବ।

ବଲମ ରାମଙ୍କ ବ୍ୟତୀତ ଅନ୍ୟ ଜଣେ ପାକିସ୍ତାନୀ ନାଗରିକ ଲଗ୍ୟା ରାମ ନିଜ ପୁଅଙ୍କ ନାମ 'ଭାରତ' ରଖିଛନ୍ତି। କାରଣ ପିଲାର ଜନ୍ମ ୨୦୨୦ରେ ଯୋଧପୁରରେ  ହୋଇଥିଲା। ଲଗ୍ୟା ଯୋଧପୁରରେ ନିଜ ଭାଇଙ୍କୁ ଭେଟିବାକୁ ଆସିଥିଲେ, କିନ୍ତୁ ପାକିସ୍ତାନ ଫେରି ପାରିନଥିଲେ।

ଏହି ସବୁ ଲୋକେ ବର୍ତ୍ତମାନ ଅଟାରୀ ସୀମାରେ ଏକ ତମ୍ବୁରେ ରହୁଛନ୍ତି। କାରଣ ପାକିସ୍ତାନୀ ରେଜଞ୍ଜର୍ସ ସେମାନଙ୍କୁ ସ୍ଵୀକାର କରିବାକୁ ମନା କରି ଦେଇଥିଲେ। ଏହି ପରିବାର ଅଟାରୀ ଅନ୍ତର୍ଜାତୀୟ ଚେକପୋଷ୍ଟ ନିକଟରେ ଏକ ପାର୍କିଂ ସ୍ଥଳରେ ରହୁଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଔଷଧ ଏବଂ ପୋଷାକ ବ୍ୟତୀତ ପ୍ରତିଦିନ ତିନି ଥର ଭୋଜନ ଯୋଗାଇ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.