ଡାକ୍ତରଖାନା ପାଲଟିଛି କରୋନା ଭୂତାଣୁର ପେଣ୍ଠ, ଅନ୍ୟ ରୋଗ ଚିକିତ୍ସା ପାଇଁ ଆସି କୋଭିଡ-୧୯ ସଂକ୍ରମିତ ହେଉଛନ୍ତି ରୋଗୀ
28/07/2020 at 3:53 PM

କୋଚି ୨୮।୦୭: ସମସ୍ତ ବ୍ୟବସ୍ଥା, ପଦକ୍ଷେପ ଏବଂ ପ୍ରୟାସ ପରେ ବି କରୋନା ଭୂତାଣୁ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲଗୁଡିକରେ ସ୍ଥିତି ଏମିତି ହୋଇଗଲାଣି ଯେ, ଅନ୍ୟ ରୋଗ ପାଇଁ ଭର୍ତ୍ତି ହେଉଥିବା ରୋଗୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି। ଏହି ଧରଣର ଘଟଣା କେରଳରୁ ଆସିଛି। ରାଜ୍ୟର ଡାକ୍ତରଖାନା ଏବେ କରୋନା ଭୂତାଣୁ ସଂକ୍ରମଣର ପେଣ୍ଠସ୍ଥଳ ପାଲଟିଛି।
ବହୁବିଧ ରୋଗରେ ଶିକାର ରୋଗୀମାନେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ବିଶେଷ କରି କ୍ୟାନସର, କିଡନୀ ଏବଂ ହୃଦଘାତ ଜନିତ ଗୁରୁତର ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ କୋଭିଡ୍-୧୯ର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହି କ୍ରମରେ କରୋନା ସଂକ୍ରମିତ ହେବା ପରେ କୋଚିରେ ଲାକେସୋର ହସ୍ପିଟାଲରୁ କାଲାମାସେରି ସରକାରୀ ମେଡିକାଲ ଲକେଜକୁ ସ୍ଥାନାନ୍ତର ହୋଇଥିବା ଜଣେ ରୋଗୀଙ୍କ ରବିବାର ମୃତ୍ୟୁ ଘଟିଛି। ରୋଗୀ ଜଣକ ଅନ୍ୟ ରୋଗରେ ପୀଡିତ ଥିଲେ, ମାତ୍ର କରୋନା ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଵାବ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।
ଏବେ ରାଜ୍ୟର ଘରୋଇ ହସ୍ପିଟାଲରେ ନିତିଦିନ କାର୍ଯ୍ୟରତ ନର୍ସ ଏବଂ ଡାକ୍ତର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ହୁଏତ ସେମାନେ କୋଭିଡ୍-୧୯ ପରୀକ୍ଷା ବେଳେ ସଂକ୍ରମଣର ସଂସ୍ପର୍ଶରେ ଆସି ଥାଇ ପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅଦ୍ୟାବଧି ରାଜ୍ୟରେ ୪୦୦ରୁ ଅଧିକ ସ୍ଵାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇ ସାରିଲେଣି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ, ଅଣ କୋଭିଡ୍-୧୯ ରୋଗୀ ମଧ୍ୟ ହସ୍ପିଟାଲ ଏବଂ ଅନ୍ୟ ଘରୋଇ ହସ୍ପିଟାଲରେ କରୋନା ସଂକ୍ରମଣର ଶିକାର ମଧ୍ୟ ହୋଇ ଥାଇ ପାରନ୍ତି।
ଜୁଲାଇ ୧୬ରୁ ଏର୍ଣ୍ଣାକୁଲମରେ ୧୦ ଜଣ ରୋଗୀ କୋଭିଡ୍-୧୯ ସଂକ୍ରମିତ ହୋଇଛନ୍ତି। ଏହି ସବୁ ରୋଗୀ ଅନ୍ୟ ରୋଗ ପାଇଁ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ସେହି ପରି ସମାନ ଘଟଣା ଥିରୁଅନନ୍ତପୁମ, କୋଲାମ ଓ କୋଝିକୋଡରେ ମଧ୍ୟ ଘଟିଛି। ଫଳରେ ସେଠାରେ ଅସ୍ଥାୟୀ ଭାବେ ସଟ୍ଡାଉନ୍ ଘୋଷଣା କରାଯାଇଛି।
ଯଦି ସ୍ଵାସ୍ଥ୍ୟକର୍ମୀ ଏପରିକି ଡାକ୍ତର କିମ୍ବା ନର୍ସ ଯେଉଁମାନେ ନିଜ ନିଜର ବିଭାଗରେ ରୋଗୀଙ୍କ ସହ ସିଧାସଳଖ କଥା ହୋଇ ହସ୍ପିଟାଲରେ ଭର୍ତ୍ତି କରାଉଛନ୍ତି, ସେମାନଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହା ସମୁଦାୟ ହସ୍ପିଟାଲ ଏବଂ ରୋଗୀଙ୍କ ପାଇଁ ବଡ ବିପଦ ହୋଇପାରେ ବୋଲି କୁହାଯାଇଛି। ଉଲ୍ଲେଖନୀୟ ଅଣ କୋଭିଡ୍ ହସ୍ପିଟାଲରେ ଏବେ ସର୍ବଦା କରୋନା ସଂକ୍ରମଣର ବିପଦ ରହିଛି। କରୋନା ସଂକ୍ରମଣରୁ ବର୍ତ୍ତିବାର ଏକ ମାତ୍ର ଉପାୟ ସାମାଜିକ ଦୂରତା ପାଳନ କରିବା, ପ୍ରତ୍ୟେକ ମାସ୍କ ପିନ୍ଧିବା। ଏହା କେବଳ ରୋଗୀଙ୍କ ପାଇଁ ନୁହେଁ ଏବଂ ସମସ୍ତ ମେଡିକାଲ ଷ୍ଟାଫଙ୍କ ପାଇଁ ଜରୁରୀ ବୋଲି ବୋଲି କୋଚିର ପୁଲମୋଲୋଜିଷ୍ଟ ମନୁ ଭାର୍ଗସ କହିଛନ୍ତି।
ସୂଚନା ଅନୁଯାୟୀ ଜୁଲାଇ ୨୧ରେ ପାରିୟାମର ସରକାରୀ ଏମସିଏଚରେ ଚିକିତ୍ସାଧୀନ ୬୦ ବର୍ଷୀୟ ସଦାନନ୍ଦନଙ୍କ ମୃତ୍ୟୁ ଘଟିଛି। ସେ କ୍ୟାନସର ଓ ହୃଦଘାତ ସମ୍ବନ୍ଧିତ ଗୁରୁତର ରୋଗରେ ଚିକିତ୍ସିତ ହେଉଥିଲେ। କିନ୍ତୁ ମୃତ୍ୟୁ ପରେ ତାଙ୍କର ସ୍ଵାବ ରିପୋର୍ଟ ପଜିଟିଭ୍ ଆସିଛି। ସେହି ପରି ରାଜଗିରି ହସ୍ପିଟାଲରେ ଜୁଲାଇ ୨୦ରେ ଜଣେ ୭୯ ବର୍ଷ ବୟସର ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ କିଡନୀଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ସ୍ଵାବ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।