ଭାରତରେ Whatsappକୁ ଲାଗିବ ଝଟକା ! ନୂଆ ପଲିସିକୁ ବଦଳାଇପାରନ୍ତି କେନ୍ଦ୍ର ସରକାର, ସିଗନାଲ୍ ଓ ଟେଲିଗ୍ରାମ ମୁହାଁ ୟୁଜର

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧ : ହ୍ବାଟ୍ସଆପ୍‌ର ନୂଆ ପଲିସିକୁ ନେଇ ଦେଶ ତଥା ସାରା ବିଶ୍ବରେ ୟୁଜରମାନେ ବ୍ୟାପକ ଅସନ୍ତୋଷ ଜାହିର କରିଛନ୍ତି । ଏହି ଲୋକପ୍ରିୟ ଆପ୍‌କୁ ମୁହଁ ମୋଡି ଏବେ ଅନ୍ୟ ଆପ୍‌କୁ ବ୍ୟବହାର କରିବା ଆରମ୍ଭ କଲେଣି ୟୁଜର । ଦେଶ ବିଦେଶରେ ଏବେ ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇଛି । କେବଳ ଭାରତରେ ହ୍ବାଟସଆପ୍ ବ୍ୟବହାରରେ ପ୍ରାୟ ୩୫ ପ୍ରତିଶତ କମ ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ, କେନ୍ଦ୍ର ସରକାର ହ୍ବାଟସଆପ୍ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରୁଛନ୍ତି । ଅନେକ ବ୍ୟବହାରକାରୀ ନୂଆ ପଲିସିକୁ ରୋକ ଲଗାଇବା ପାଇଁ ସୋସିଆଲ ମିଡିଆରେ ଅଭିଯୋଗ କରୁଥିବା ବେଳେ ଏହାକୁ ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର । ଏବେ ହ୍ବାଟସଆପ୍‌ ଜାରି କରିଥିବା ନୂଆ ପଲିସିରେ ବ୍ୟବହାରକାରୀଙ୍କ ଡାଟା ଫେସବୁକ୍‌ର ଅନ୍ୟ ଉତ୍ପାଦ ଏବଂ ସେବା ସହିତ ଯୋଡା ହୋଇଛି ।

ଏହି ମୁଦ୍ଦାକୁ ନେଇ ବିସ୍ତାର ଭାବେ ଆଲୋଚନା ହେବା ଦରକାର । ଭାରତରେ ହ୍ବାଟସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୪୦କୋଟି । ବିଶ୍ବରେ ହ୍ବାଟସଆପ୍‌ର ସବୁଠାରୁ ବଡ ବ୍ୟବସାୟୀକ ସ୍ଥାନ ହେଉଛି ଭାରତ । ରିପୋର୍ଟ ମୁତାବକ ହ୍ବାଟସଆପ୍‌ର ନୂଆ ପଲିସିକୁ ନେଇ ଏବଂ ଏହାର ରୂପରେଖକୁ ନେଇ ଆକନ କରାଯାଉଛି । ଦେଶର ଆଇଟି ମନ୍ତ୍ରାଳୟ ବର୍ତ୍ତମାନ ଯାଏଁ ହ୍ବାଟସଆପ ଠାର କୌଣସି ସ୍ପଷ୍ଟୀକରଣ ମାଗିନାହାନ୍ତି । ତେବେ ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ।

ବିଶିଷ୍ଟ ବ୍ୟବସାୟୀ ଏଲନ୍‌ ମାସ୍କ ସିଗନାଲ୍ ଭଳି ଅନ୍ୟ ଆପ ଗୁଡିକୁ ବ୍ୟବହାର ପାଇଁ କହିଛନ୍ତି । ଏଥିରେ ଭାରତର ଅନେକ ବଡ ବଡ କମ୍ପାନୀମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ପେଟିଏମର ସଂସ୍ଥାପକ ଶେଖର ଶର୍ମା ଏବଂ ଫୋନ-ପେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ନିଗମ ମଧ୍ୟ ହ୍ବାଟସଆପର ନୂଆ ପଲିସିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.