ଲୋକଙ୍କ ପ୍ରତିକ୍ରିୟା ପରେ ପ୍ରଥମଥର ନିଜ ଷ୍ଟେଟସ୍ ଲଗାଇଲା ହ୍ୱାଟ୍ସଆପ୍, ଦେଲା ସଫେଇ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭/୦୧ : ଗତ କିଛି ଦିନ ହେଲା ହ୍ୱାଟ୍ସଆପ ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ରହିଛି। ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ପଲିସୀ ଗ୍ରହଣ କରିବାକୁ ଫେବୃଆରୀ ୮ ତାରିଖ ଯାଏଁ ସମୟ ଦେଇଥିଲା। କିନ୍ତୁ ଲୋକଙ୍କ ବିରୋଧ ଓ ପ୍ରତିକ୍ରିୟା ଦେଖି କମ୍ପାନୀ ବର୍ତ୍ତମାନ ନୂଆ ପ୍ରାଇଭେସି ପଲିସୀକୁ ସ୍ଥଗିତ ରଖିଛି। କିଛି ୟୁଜର୍ସ ଏହି ନାଁ ପଲିସୀକୁ ବିରୋଧ କରି ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଅନ୍ୟ ପ୍ଲାଟଫର୍ମ ଡାଉନଲୋଡ଼ କରୁଛନ୍ତି। ଲୋକଙ୍କ ନେଗେଟିଭ ପ୍ରତିକ୍ରିୟା ଦେଖି ହ୍ୱାଟ୍ସଆପ ଲଗାତାର ସଫେଇ ଦେଇଚାଲିଛି। ପ୍ରଥମେ ହ୍ୱାଟ୍ସଆପ୍ ବ୍ଲଗ୍ ଜାରି କରିଥିଲା, ଟ୍ୱିଟ କଲା ଓ ଏବେ ପ୍ରଥମଥର ପାଇଁ ହ୍ୱାଟ୍ସଆପ୍ ନିଜେ ନିଜର ଷ୍ଟେଟସ୍ ଲଗାଇ ସଫେଇ ଦେଇଛି।

ହ୍ୱାଟ୍ସଆପ୍ ନିଜ ଷ୍ଟେଟସରେ କଲିଂ, ପ୍ରାଇଭେଟ୍ ମେସେଜ୍, ଲୋକେସନ୍ ଓ କଣ୍ଟାକ୍ଟକୁ ନେଇ ସଫେଇ ଦେଇଛି। ହ୍ୱାଟ୍ସଆପ ୪ଟି ଷ୍ଟେଟସ୍ ଦେଇଛି। ପ୍ରଥମରେ ଲେଖା ଅଛି ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପ୍ରାଇଭେସି ପାଇଁ ପ୍ରତିବଦ୍ଧ। ଦ୍ୱିତୀୟରେ, ହ୍ୱାଟ୍ସଆପ୍ ଲୋକଙ୍କ ପର୍ଶନାଲ ଚାଟ୍ ରେକର୍ଡ ରଖେନାହିଁ। କମ୍ପାନୀ ୟୁଜର୍ସଙ୍କ କଥା ଶୁଣେନି କାରଣ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ। ତୃତୀୟ ଷ୍ଟେଟସରେ କହିଛି ହ୍ୱାଟ୍ସଆପ ୟୁଜର୍ସ ସେୟାର କରିଥିବା ଲୋକେସନ୍ ଦେଖି ପାରିବ ନାହିଁ। ଶେଷ ଷ୍ଟେଟସରେ କହିଛି ହ୍ୱାଟ୍ସଆପ ୟୁଜର୍ସଙ୍କ କଣ୍ଟାକ୍ଟ ଫେସବୁକ୍ ସହ ସେୟାର୍ କରେନାହିଁ। ହ୍ୱାଟ୍ସଆପର ଏହି ଷ୍ଟେଟସ ଆପଣ ବି ଦେଖିପାରିବେ।

ଏହା ପୂର୍ବରୁ ହ୍ୱାଟ୍ସଆପ୍ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଥିଲା। ଗ୍ରୁପ୍ ଇନଭାଇଟକୁ ନେଇ କମ୍ପାନୀ କହିଥିଲା ଯେ ନୂଆ ପ୍ରାଇଭେସି ପଲିସୀରେ ୟୁଜର୍ସଙ୍କ ହ୍ୱାଟ୍ସଆପ ଗ୍ରୁପ ପ୍ରାଇଭେଟ ରହିବ। କମ୍ପାନୀ କହିଥିଲା ଯେ ୟୁଜର୍ସ ଏବେ ବି ମେସେଜ ଡ଼ିସଆପିୟରିଂ ଫିଚର୍ ସେଟ୍ କରିପାରିବେ। ଏହାସହ ଡାଟା ବି ଡାଉନଲୋଡ୍ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.