ୟୁଜର୍ସ ଖୋଜୁଛନ୍ତି WhatsAppର ବିକଳ୍ପ ! ବିଶ୍ବର ସବୁଠୁ ଧନୀ ବ୍ୟକ୍ତି କହିଲେ ‘Signal’ ବ୍ୟବହାର କର
8/01/2021 at 9:14 PM

ନୂଆଦିଲ୍ଲୀ ୦୮/୦୧: ହଇରାଣ ହରକତ କରୁଛି ହ୍ବାଟସଆପ୍ ! ଗୋପନୀୟତାକୁ ଅଧିକ ଗୁରୁତ୍ବ ଦେଉଥିବା ୟୁଜର ଏବେ ଟେଲିଗ୍ରାମକୁ ପସନ୍ଦ କରୁଥିବା ଜଣାପଡ଼ିଛି। ହ୍ବାଟସଆପ୍କୁ ଲୋକେ ଧିରେଧିରେ ନାପସନ୍ଦ କରିବା ଆରମ୍ଭ କରିଥିବା ବେଳେ ଆଉ ଏକ ଚାଟିଂ ଆପ୍ ‘ସିଗ୍ନାଲ୍’ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳିଛି। ଗତ ବୁଧବାର ଦିନ ସମସ୍ତ ହ୍ବାଟସଆପ୍ ୟୁଜରଙ୍କୁ ଏକ ନୋଟିଫିକେସନ୍ ପହଞ୍ଚିଛି । ହ୍ବାଟସଆପ୍ର ନୂଆ ଟର୍ମସ୍ ଅଫ ସର୍ଭିସେସ୍କୁ ଆସେପ୍ଟ ନକଲେ ବି ୮ ଫେବୃଆରୀ ସୁଦ୍ଧା ଆସେପ୍ଟ କରିବାକୁ ପଡ଼ିବ। ଏଥିପାଇଁ ଫେସ୍ବୁକ୍ର କମ୍ପାନୀ ହ୍ବାଟସଆପ୍ ୮ ଫେବୃଆରୀ ପର୍ଯ୍ୟନ୍ତ ଡେଡ୍ଲାଇନ୍ ଧାର୍ଯ୍ୟ କରିଛି। ନୂଆ ପଲିସି ମାଧ୍ୟମରେ ଏବେ ହ୍ବାଟସଆପ୍ ନିଜ ଗ୍ରାହକଙ୍କ ଡାଟା ଉପରେ ଅଧିକ ନଜର ରଖିବା ସହ ଫେସ୍ବୁକ୍ ଏହାକୁ ଅନ୍ୟ ସର୍ଭିସ୍ ସହିତ ସେୟାର କରିବ ବୋଲି ଜଣାପଡ଼ିଛି।
ହ୍ବାଟସଆପ୍ର ନୂଆ ପଲିସିରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତଥ୍ୟ ଗୋପନୀୟତାଙ୍କୁ ପ୍ରାଧାନ୍ୟ ଦେଉଥିବା ୟୁଜର୍ସ ଏବେ ଟେଲିଗ୍ରାମ୍ ଓ ସିଗନାଲ୍ ଭଳି ଆପ୍କୁ ପସନ୍ଦ କରୁଛନ୍ତି। ଏହି ସବୁ ଆପ୍ରେ ୟୁଜରଙ୍କ ପ୍ରାଇଭେସି ଉପରେ ଗୁରୁତ୍ବ ଦିଆଯାଉଛି। ଏଥିରେ ୟୁଜରଙ୍କ ପାଖରୁ ଅଧିକ ଡାଟା ସଂଗ୍ରହ କରାଯାଏନାହିଁ। ସେପଟେ ସିଗ୍ନାଲ୍ ଗୁରୁବାର ଟ୍ବିଟ୍ କରି କହିଛି, ଭେରିଫିକେସନ୍ କୋଡ୍ ମିଳିବାରେ ବିଳମ୍ବ ହେଉଛି। ଅଧିକ ନୂଆ ୟୁଜର ଆସିଯିବ ଫଳରେ ଏମତି ହେଉଛି। ତେଣୁ କମ୍ପାନୀ ପକ୍ଷରୁ ଏକ ଗାଇଡ୍ ସେୟାର କରାଯାଇଛି। ଏହା ମାଧ୍ୟମରେ ଜଣେ ୟୁଜର ନିଜର ମେସେଞ୍ଜର, ହ୍ବାଟସଆପ୍କୁ ସିଗନାଲ୍ ସହ କେମିତି ସଂଯୋଗ କରିହେବ ସେନେଇ ଦର୍ଶାଯାଇଛି।
ଗ୍ରୁପ୍ ଚାଟ୍କୁ ହ୍ବାଟସଆପ୍ କିମ୍ବା ଅନ୍ୟାନ୍ୟ ମେସେଞ୍ଜର ଆପ୍ରୁ ସିଗନାଲ୍ ଆପ୍କୁ କେମିତି ଟ୍ରାନ୍ସଫର କରାଯାଇପାରିବ ସେନେଇ ୟୁଜର ଜାଣିବାକୁ ଚାହିଁଛନ୍ତି।
– ସର୍ବପ୍ରଥମେ ‘ସିଗ୍ନାଲ୍’ରେ ଏକ ଗ୍ରୁପ୍ ତିଆରି କରନ୍ତୁ
– ଗ୍ରୁପ୍ ସେଟିଂରେ କ୍ଲିକ୍ କରି ଗ୍ରୁପ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ
– ଗ୍ରୁପ୍ ଲିଙ୍କ ପାଇଁ ଟୋଗଲ୍ ଅନ୍ କରି ସେୟାର ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
– ଏହାକୁ ଆପଣ ପୁରୁଣା ମେସେଞ୍ଜରରେ ସେୟାର କରନ୍ତୁ
ଡିସେମ୍ବର ୨୦୨୦ରେ ସିଗନାଲ୍ ଗ୍ରୁପ୍ କଲ୍ ଫିଚର ଲଞ୍ଚ କରିଥିଲା। ଲାଟେଷ୍ଟ ଭର୍ଜନ ଅପଡେଟ୍ ସହ ଏହାକୁ ବାକି ଫିଚର ଭଳି ପ୍ରାଇଭେଟ୍ ଓ ଏଣ୍ଡ ଟୁ ଏଣ୍ଡ ଏନ୍କ୍ରିପ୍ଟେଡ୍ ବୋଲି କହିଛି।
ଅନ୍ୟପଟେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ‘ସିଗ୍ନାଲ’ ବ୍ୟବହାର କରୁଛନ୍ତି। ଏଲନ ମସ୍କ ଟ୍ବିଟ୍ କରି ଲେଖିଛନ୍ତି ‘ସିଗ୍ନାଲ ବ୍ୟବହାର କରନ୍ତୁ।’ ସିଗ୍ନାଲ୍ ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍। ଦୁନିଆର ସବୁଠୁ ସିକ୍ୟୁର ଆପ୍ ବୋଲି କୁହାଯାଉଛି। ତେବେ ଏଲନ୍ ମସ୍କ ସିଗ୍ନାଲ ବ୍ୟବହାରକୁ ନେଇ ଟ୍ବିଟ୍ କରିବା ପରେ ଅନେକ ୟୁଜର ଏବେ ସିଗନାଲ୍ ସହ ଯୋଡ଼ି ହେଉଛନ୍ତି। ହଠାତ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆକ୍ଟିଭେସନ୍ ପାଇଁ ଅସୁବିଧା ହେଉଥିବାରୁ ଏହା ଉପରେ ଏବେ କମ୍ପାନୀ କାମ କରୁଥିବା ଜଣାପଡ଼ିଛି।