ପଶ୍ଚିମବଙ୍ଗରେ ‘ଏବେ ହେବ ଖେଳ’! ଶପଥ ଗ୍ରହଣ ପରେ ପ୍ରଥମେ କ’ଣ କରିବେ ମମତା ? ସୂଚନା ଦେଲେ ବରିଷ୍ଠ TMC ନେତା

Published By : Prameya-News7 Bureau | May 02, 2021 IST

କୋଲକାତା ୨।୫: ଦେଶରେ ବିଜେପି ପୁଣି ଥରେ ‘ଫିଲଗୁଡ ସିଣ୍ଡ୍ରୋମ’ର ଶିକାର ହୋଇଛି। ଏହା ପୂର୍ବରୁ ୨୦୦୪ ସାଧାରଣ ନିର୍ବାଚନରେ ଅତ୍ୟାଧିକ ଆତ୍ମବିଶ୍ୱାସ ଯୋଗୁ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଦଳ ପରାଜିତ ହୋଇଥିଲା। ତେବେ ସେ ଯାହା ବି ହେଉ ନା କାହିଁକି ପଶ୍ଚିମବଙ୍ଗରେ ବିଜେପିର ଶୋଚନୀୟ ପରାଜୟ ଏବେ ଦଳୀୟ ନେତାଙ୍କୁ ଆତଙ୍କିତ କରିଛି। ମମତା ବନାର୍ଜୀଙ୍କୁ ବିଜେପି ନେତାମାନେ ଏବେ ଆହତ ବାଘୁଣୀ ଭାବିବାକୁ ଲାଗିଲେଣି।

ପଶ୍ଚିମବଙ୍ଗର ବିଜେପି ନେତାମାନେ ଭାବୁଛନ୍ତି ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ହୁଏତ ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କପ୍ରତି ହୋଇଥିବା ଆକ୍ରମଣ ଘଟଣାର ଫାଇଲ ଖୋଲିପାରନ୍ତି। ଏଥିରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ସେମାନଙ୍କୁ ଜଣ ଜଣ କରି ଜେଲ ପଠାଇପାରନ୍ତି। ସେହିଭଳି ଆଉ କେତେକ ଭାବୁଛନ୍ତି ନିର୍ବାଚନ କାଳରେ ଯେଉଁମାନେ ତାଙ୍କ ପୁତୁରାଙ୍କ ଘର ଉପରେ ଚଢଉ କରିଥିଲେ ସେହି ସବୁ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବି କରିପାରନ୍ତି।

{"id":447478,"width":836,"height":551,"sizeSlug":"large","linkDestination":"none"}

ତେବେ ଶପଥ ଗ୍ରହଣ ପରେ ମମତାଙ୍କ ପ୍ରଥମ ପଦକ୍ଷେପ କଣ ହେବ ସେନେଇ ମୁହଁ ଖୋଲିଛନ୍ତି ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଫରହାଦ ସିଦ୍ଦିକୀ। ସେ କହିଛନ୍ତି ଯେ ମମତା ସେଭଳି ନେତା ନୁହନ୍ତି ଯିଏ ରାଜନୈତିକ ଆକ୍ରୋଶ ରଖି କାର୍ଯ୍ୟାନୁଷ୍ଠାନ କରିବେ। ଏଥର ପାର୍ଟି ବହୁମତରେ ନିର୍ବାଚନ ଜିତିଛି ସତ ହେଲେ ରାଜ୍ୟ ଲାଗି କରୋନା ଭାଇରସ ମହାମାରୀ ଏବେ ସବୁଠୁ ବଡ ଆହ୍ୱାନ ପାଲଟିଛି। ଏଣୁ ଦାୟିତ୍ୱଗ୍ରହଣ କରିବା ମାତ୍ରେ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱୀତ କରିବା ଓ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ମମତା ବାନାର୍ଜୀଙ୍କ ପ୍ରଥମ କର୍ତ୍ତବ୍ୟ ହେବ।  

ଏପର୍ଯ୍ୟନ୍ତ ଆମେ ରାଜ୍ୟରେ ବିଜେପି ବିରୋଧରେ ଲଢେଇ କରୁଥିଲୁ।  ଏବେ ଆମକୁ କରୋନା ବିରୋଧରେ ଲଢିବାକୁ ହେବ। ଦଳର ବିଜୟ ଉତ୍ସାହକୁ କରୋନା ପାଣି କରିଦେଇଛି ବୋଲିକହିଛନ୍ତି ସିଦ୍ଦିକି। ଏଣୁ ବିଜୟ ଉତ୍ସବ, ଶୋଭାଯାତ୍ରା ଆଦିକୁ ପଛ କରି ଜନତାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଓ ସେମାନଙ୍କୁ କରୋନାରୁ ମୁକ୍ତ କରିବା ଆମର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। ସେହିପରି ନଗରନିଗମ ପ୍ରଶାସକ ବୋର୍ଡ ଚେୟାରମ୍ୟାନ ହକିମ ଏବେ ସେହସ୍ପିଟାଲରୁ ହସ୍ପିଟାଲ ଦୌଡୁଥିବା ଓ ସେଠାରେ କରୋନା ମୁକାବିଲା ଲାଗି ଉପଲବ୍ଧ ସୁବିଧା ସୁଯୋଗର ସମୀକ୍ଷା କରୁଥିବା କହିଛନ୍ତି। ଏଣୁ ଦଳର ବିଜୟରେ ଆମକୁ ଉତଫୁଲ୍ଲିତ ହେବା ଅଥବା ଉତ୍ସବ ପାଳନ ଲାଗି ଆମ ହାତରେ ସମୟ ନଥିବା କହିଛନ୍ତି।

ତେବେ ନିର୍ବାଚନ ଫଳାଫଳକୁ ନେଇ ସେ ମଧ୍ୟ ଶଙ୍କା ଆଶଙ୍କାରେ ଥିଲେ ବୋଲି କହିଛନ୍ତି। ତେବେ ଆମେ ଲୋକଙ୍କ ଲାଗି କାମ କରିଥିଲୁ ଓ ଦଳ ନିଶ୍ଚିତ ବହୁମତରେ ଜିତିବ ବୋଲି ପ୍ରଥମରୁ ଆଶ୍ୱସ୍ତ ଥିଲୁ ବୋଲି ହାକିମ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.