କଣ ହେବ କ୍ୟାପଟେନ୍‌ଙ୍କ ରଣନୀତି ? ବିଜେପି ସମ୍ପର୍କରେ ଥିବା ଚର୍ଚ୍ଚା, କୃଷି ଆଇନ୍‌ ରଦ୍ଦ କରାଇ ହୋଇପାରନ୍ତି BJPର ଚେହେରା

Published By : Prameya-News7 Bureau | September 18, 2021 IST

ଚଣ୍ଡୀଗଡ଼ ୧୮/୦୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଦଳ ଛାଡ଼ିବା ନେଇ ଚେତାବନୀ ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। କିନ୍ତୁ କ୍ୟାପ୍ଟେନଙ୍କ ରାଜନୀତି କରିବାର ଷ୍ଟାଇଲ୍‌କୁ ଦେଖିଲେ ଅନୁମାନ କରିହେଉଛି ଯେ ସେ ରାଜନୀତିରୁ ଏବେ ସନ୍ନ୍ୟାସ ନେଇ ନପାରନ୍ତି। ତାଙ୍କ କଂଗ୍ରେସ ଛାଡ଼ିବାର ଇସାରା ପରେ ସେ ‘ପଦ୍ମ’ ଧରିପାରନ୍ତି ବୋଲି ଚର୍ଚ୍ଚା ହେଲାଣି। ସେ ଏହା ପୂର୍ବରୁ କହିଥିଲେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ଉପେକ୍ଷିତ ହେବା ପରେ ବିଜେପିକୁ ଯିବାକୁ ଚିନ୍ତା କରିଥିଲେ।

କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ନିବିଡ଼ତା କାହାକୁ ଅଛପା ନାହିଁ। ଏହାରି ଭିତରେ କ୍ୟାପ୍ଟେନ ବିଜେପିର ବରିଷ୍ଠ ନେତାଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ତେବେ ଏହି ସମୟରେ କ୍ୟାପ୍ଟେନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଜେପି ପ୍ରୟାସ କରିପାରେ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ଦିନ ହେଲା ଦିଲ୍ଲୀ ବର୍ଡରରେ ଡେରା ପକାଇଛନ୍ତି। ଅକାଳି ଦଳ ମନ୍ତ୍ରୀ ପଦ ଛାଡ଼ି ମେଣ୍ଟ ଭାଙ୍ଗିଦେଲା ସତ କିନ୍ତୁ କେନ୍ଦ୍ର କୌଣସି ପଦକ୍ଷେପ ନେଇନାହିଁ।

ଅନ୍ୟପଟେ କ୍ୟାପ୍ଟେନ ମୂଳରୁ କୃଷକମାନଙ୍କ ସହ ରହିଆସିଛନ୍ତି। ଏବେ ପଞ୍ଜାବରେ ବଡ଼ ପ୍ରସଙ୍ଗ ନୂଆ କୃଷି ଆଇନ। ଯଦି କ୍ୟାପ୍ଟେନ ଏହି ଆଇନ୍‌କୁ ରଦ୍ଦ କରାଇ ପାରିବେ ତେବେ ତାଙ୍କର ରାଜନୈତିକ ଦବଦବା ଆଗରେ କୌଣସି ଦଳ ଅଣ୍ଟାସଳଖି ଛିଡ଼ା ହୋଇପାରିବ ନାହିଁ।

ଅମରିନ୍ଦର ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ବୋଲି କୁହାଯାଏ। ଯେତେବେଳେ ବି ସେ ଦିଲ୍ଲୀ ଯାଆନ୍ତି ତାଙ୍କୁ ଅତି ସହଜରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମିଳିଯାଏ। ଏହା ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ କ୍ୟାପ୍ଟେନଙ୍କୁ ପ୍ରାୟ ସାକ୍ଷାତ କରନ୍ତି। ଏହାରି ମଧ୍ୟରେ ଅନୁମାନ କରାଯାଉଛି କ୍ୟାପ୍ଟେନ ବିଜେପିର ଟପ୍‌ ନେତୃତ୍ବଙ୍କ ସହ ସମ୍ପର୍କ କରି ବିଜେପିରେ ସାମିଲ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.