ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କ'ଣ ରହିବ ଜଷ୍ଟିସ ବୋବଡେଙ୍କ ପାଇଁ ଆହ୍ୱାନ - ସେ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | November 17, 2019 IST

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଆଜି କାର୍ଯ୍ୟକାଳ ଶେଷ ହୋଇଛି । ଆଜି ସେ ଅବସର ନେଇଛନ୍ତି। କାଲି ସୁପ୍ରିମକୋର୍ଟ ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ। ସିଜେଆଇ ଭାବେ  ୧୭ ମାସ ରହିବ ବୋବଡେଙ୍କ କାର୍ଯ୍ୟକାଳ। ଏପ୍ରିଲ ୨୩,୨୦୨୧ରେ ଅବସର ନେବେ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଆଜି କାର୍ଯ୍ୟକାଳ ଶେଷ ହୋଇଛି । ଆଜି ସେ ଅବସର ନେଇଛନ୍ତି। ଆଜି ଛୁଟି ଦିବସ ଥିବାରୁ ଗୋଗୋଇ ଆନ୍ଧ୍ରପ୍ରଦେଶର ତିରୁମାଲାରେ ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହ ଦର୍ଶନ କରିଛନ୍ତି ସହଧର୍ମିଣୀ ରୂପାଞ୍ଜଳି ଗୋଗୋଇ। ସପରିବାର ଗୋଗୋଇ ମନ୍ଦିରର ମୁଖ୍ୟ ଦ୍ୱାରରେ ପହଞ୍ଚିବା କ୍ଷଣି ଜଷ୍ଟିସ ଗୋଗୋଇଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମହିମା ଏବଂ ପ୍ରଭୁ ଭେଙ୍କଟେଶ୍ୱର ପରିଧାନ କରିଥିବା ଗହଣାର ତାତ୍ପର୍ଯ୍ୟ ବିଷୟରେ ଗର୍ଭଗୃହ ମଧ୍ୟରେ ବୁଝାଇଥିଲେ  ମଦିରର ପୂଜକ। ଜଷ୍ଟିସ ଗୋଗୋଇଙ୍କୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ତୀର୍ଥ ପ୍ରସାଦ ଦେଇଥିଲେ।

ଏପଟେ ଆସନ୍ତାକାଲି ସୁପ୍ରିମକୋର୍ଟ  ୪୭ତମ ପ୍ରଧାନ ବିଚାରପତିଭାବେ ଶପଥ ନେବେ ବିଚାରପତି ଶରଦ ଅରବିନ୍ଦ ବୋବଡେ।  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଭାବେ ୧୭ ମାସ ରହିବ ବୋବଡେଙ୍କ କାର୍ଯ୍ୟକାଳ। ଏପ୍ରିଲ ୨୩,୨୦୨୧ରେ ଅବସର ନେବେ। ବିଚାରପତି ଏସ ଏ ବୋବଡେ ଏପ୍ରିଲ ୨୪,୧୯୫୬ରେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ। ନାଗପୁର ବିଶ୍ବବିଦ୍ୟାଳୟରୁ ବି ଏ  ଓ ଏଲ ଏଲ ବି ଡିଗ୍ରୀ  କରିବା ପରେ ୧୯୭୮ରେ ମହାରାଷ୍ଟ୍ର ବାର କାଉନସିଲରେ ଯୋଗ ଦେଇଥିଲେ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ପ୍ରାକ୍ଟିସ ଆରମ୍ଭ କରିଥିଲେ।୧୯୯୮ରେ ବରିଷ୍ଠ ଓକିଲ ବନିଥିଲେ। ୨୦୦୦ରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତିଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିଥିଲେ।୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ ବୋବଡେ। ସୁପ୍ରିମକୋର୍ଟରେ ୬ ବର୍ଷର କାର୍ଯ୍ୟକାଳ ଭିତରେ ଅନେକ ଐତିହାସିକ ମାମଲାର ଫଇସଲା ଶୁଣାଇଛନ୍ତି ବିଚାରପତି ବୋବଡେ।

ନୂଆଦିଲ୍ଲ ୧୭।୧୧ - ସୋସିଆଲ ମିଡିଆରେ ବିଚାରପତିଙ୍କ ରାୟର ତର୍ଜମା କରା ନ ଯାଇ ବିଚାରପତିଙ୍କୁ ସମାଲୋଚନା କରାଯାଉଛି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଚାରପତି ବୋବଡେ। ବିଚାରପତିଙ୍କୁ ବ୍ୟକ୍ତିଗତ ସମାଲୋଚନା ସେମାନଙ୍କୁ ମାନସିକସ୍ତରରେ ଆଘାତ ଦେଉଛି। ନ୍ୟାୟିକ ପ୍ରକ୍ରିୟାକୁ ଏହା ପ୍ରଭାବିତ କରୁଛି। ତେଣୁ ବିଚାରପତିଙ୍କୁ ବିରୋଧରେ ବେପରୁଆ ବୟାନ ନ ଦେବାକୁ  କହିଛନ୍ତି ବିଚାରପତି ବୋବଡେ।

ବିଚାରପକ୍ରିୟାରେ ଅହେତୁକ ବିଳମ୍ବକୁ ବରଦାସ୍ତ କରାଯିବନି । ବିଚାର ପ୍ରକ୍ରିୟାରେ ବିଳମ୍ବ ହେବା ଅପରାଧକୁ ପ୍ରଶ୍ରୟ ଦେବା ପରି ହେବ। ଏପରି କି ନ୍ୟାୟିକ ପ୍ରକ୍ରିୟାରେ ଲୋକଙ୍କ ଆସ୍ଥ ତୁଟିଯିବ। ତେଣୁ ସଠିକ୍ ସମୟରେ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ବିଚାରପତି ବୋବଡେ।

ସିଜେଆଇ ଭାବେ ମାଷ୍ଟର ଅଫ ରୋଷ୍ଟର ହେବେ ବିଚାରପତି ଏସ ଏ ବୋବଡେ। ତେଣୁ କେଉଁ ମାମଲା କେଉଁ ବିଚାରପତିଙ୍କ ଅଦାଲତକୁ ଯିବ ସେନେଇ ନିଷ୍ପତ୍ତି ନେବେ ବିଚାରପତି ବୋବଡେ। ସର୍ବୋଚ୍ଚ ଅଦାଲତରେ ଦେଶର ଖ୍ୟାତନାମା ବିଚାରପତି ରହିଛନ୍ତି। ତେଣୁ ଗୁରୁତ୍ବପୂର୍ଣ୍ଣ ମାମଲାକୁ କୌଣସି ନିର୍ଦ୍ଧିଷ୍ଟ ଅଦାଲତରେ ଫଇସଲା ନ କରି ଯେକୈଣସି ଅଦାଲତରେ ଏହାର ଫଇସଲା କରାଯାଇପାରେ। ବିଚାରପତି ବୋବଡେ ଯଦି ଏହି ଧାରାକୁ ବଦଳାଇପାରନ୍ତି ତେବେ ସର୍ବୋଚ୍ଚ ଅଦାଲତର ଗାରିମା ଏହାର ସ୍ବାଧୀନତା ପୁଣି ଅତୁଟ ରହିପାରିବ।

ଲୋକଙ୍କୁ ତୁରନ୍ତ ନ୍ୟାୟ ଦେବାରେ ଭିତ୍ତିଭୁମି ଓ  ଅଦାଲତତେ ବିଚାରପତିଙ୍କ ଅଭାବ ସାଜିଛି ବାଧକ। ତେଣୁ ସିଜେଆଇ ଭାବେ ବିଚାରପତି ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ଉପରେ ସେ କଣ ଠୋସ ପଦକ୍ଷେପ ନେବେ ତାରି ଉପରେ ରହିବ  ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.