ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଗଲେ କଣ କରିବେ, କିଭଳି ଫେରି ପାଇବେ ଟଙ୍କା ? ଜାଣନ୍ତୁ…

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/ ୦୭ :  ଦୁନିଆ ଯେଉଁଭଳି ଭାବେ ଦୃତ ଗତିରେ ଡିଜିଟାଲ ହେବାରେ ଲାଗିଛି ଅନଲାଇନ୍ ଲୁଟେରାମାନଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ସାଇବର ଫ୍ରଡ୍‌ମାନଙ୍କ ଟାର୍ଗେଟ୍‌ରେ ରହୁଛନ୍ତି ବ୍ୟାଙ୍କ । ବର୍ତ୍ତମାନ ବ୍ୟାଙ୍କିଂ ସାଇବର ଠକମାନେ ନୂଆ ନୂଆ କୌଶଳ ମାଧ୍ୟମରେ ଟଙ୍କା ହଡପ କରିନେଉଛନ୍ତି । ମହାମାରୀ କରୋନା ସମୟରେ ଅନଲାଇନ ଠକେଇ ଅହେତୁକ ବୃଦ୍ଧି ପାଇଛି । ହ୍ୟାକର ମାନେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ବାହାର କରି ଖାତାରୁ ଟଙ୍କା ଚଳୁ କରିନେଉଛନ୍ତି ।

ବ୍ୟାଙ୍କ ଏବଂ ଆରବିଆଇ ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କୁ ବାରମ୍ବାର ଏ ନେଇ ସତର୍କ କରାଯାଉଛି । ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ କିମ୍ବା ଓଟିପି ନଦେବାକୁ ଗ୍ରାହକମାନଙ୍କୁ ଆରବିଆଇ ପକ୍ଷରୁ ସତର୍କ କରାଯାଉଛି । ଏହା ସହିତ କୌଣସି ଠକେଇ ହେଲେ ତୁରନ୍ତ ବ୍ୟାଙ୍କରେ ଅଭିଯୋଗ କରିବା ପାଇଁ କୁହାଯାଇଛି । ତୁରନ୍ତ ସୂଚନା ଦେଲେ ଆପଣ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରନ୍ତି ।

କିଭଳି ଫେରିପାଇବେ ଟଙ୍କା ?

ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ ଯେ, ଖାତାରୁ ଟଙ୍କା ଗାଏବ ହୋଇଗଲେ କେମିତି ଫେରିପାଇବୁ ଏବଂ ବ୍ୟାଙ୍କରେ ଏ ନେଇ ଅଭିଯୋଗ କଲେ ବ୍ୟାଙ୍କ କେଉଁଠାରୁ ଆଣି ଟଙ୍କା ଦେବ ? ଏହାର ଉତ୍ତର ହେଉଛି ବ୍ୟାଙ୍କ ଗୁଡିକ ସାଇବର ଫ୍ରଡକୁ ଦୃଷ୍ଟିରେ ରଖି ବୀମା ପଲିସି କରିଥାନ୍ତି । ଆପଣଙ୍କ ଆକାଉଣ୍ଟରୁ ହୋଇଥିବା ଫ୍ରଡ୍‌ ତଥା ତଥ୍ୟ ସବୁକୁ ବୀମା କମ୍ପାନୀକୁ ଜଣାଇଥାଏ । ବୀମା କମ୍ପାନୀରୁ ଟଙ୍କା ଆଣି ବ୍ୟାଙ୍କ ଆପଣଙ୍କୁ ପୁନଶ୍ଚ ଫେରାଇ ଥାଏ । ସାଇବର ଫ୍ରଡରୁ ରକ୍ଷା ପାଇବା ପାଇଁ ବୀମା କମ୍ପାନୀଗୁଡିକ ମଧ୍ୟ ଗ୍ରାହକମାନଙ୍କୁ ଇନସ୍ୟୁରାନ୍ସ କଭରେଜ୍‌ ଦେଇଥାନ୍ତି ।

ଠକେଇ ହେବାର ୩ ଦିନ ମଧ୍ୟରେ କରନ୍ତୁ ଅଭିଯୋଗ

ଯଦି ଆପଣଙ୍କ ବ୍ୟାଙ୍କ ଖାତାରୁ କୌଣସି ପ୍ରକାରର ଠକେଇ ହୋଇଥାଏ ତେବେ ଆପଣ ଡେରି ନକରି ୩ ଦିନ ମଧ୍ୟରେ ବ୍ୟାଙ୍କକୁ ଜଣାନ୍ତୁ । ଯଦି ଆପଣ ୩ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କକୁ ଅଭିଯୋଗ କରୁଛନ୍ତି ତେବେ ଆପଣଙ୍କୁ ଆଉ କ୍ଷତି ସହିବାକୁ ପଡିବ ନାହିଁ । RBI ଏହା ମଧ୍ୟ କହିଛି ଯେ, ଅଭିଯୋଗ କରିବାର ୧୦ ଦିନ ମଧ୍ୟରେ ହିଁ କ୍ଷତିପୂରଣ ରାଶି ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ତେବେ ଯଦି ଠକେଇ ହେବାର ୪ ରୁ ୭ ଦିନ ମଧ୍ୟରେ ଅଭିଯୋଗ ହୁଏ ତେବେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିବ ।

କେତେ କ୍ଷତିପୂରଣ ମିଳିବ ?

ଯଦି ଆପଣଙ୍କ ସେଭିଂ ଆକାଉଣ୍ଟ ଅଛି ଏବଂ ଆପଣଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କାର ଠକେଇ ହୋଇଛି ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ମିଳିବ । ବାକି ୧୦ ହଜାର ଟଙ୍କା ଆପଣଙ୍କୁ କ୍ଷତି ସହିବାକୁ ପଡିବ । ସେହିଭଳି କ୍ରେଡିଟ୍‌ କାର୍ଡଧାରୀଙ୍କ ପାଇଁ ବ୍ୟାଙ୍କ ନିୟମ ହେଉଛି ଯଦି ଆପଣଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କାର ଠକେଇ ହୋଇଛି ତେବେ ଆପରଙ୍କୁ ୨୫ ହଜାର ଟଙ୍କାର କ୍ଷତି ସହିବାକୁ ପଡିବ । ଯଦି ଆକାଉଣ୍ଟରୁ ୫୦ ଜହାର ଟଙ୍କାର ଅନଧିକୃତ କାରବାର ହୋଇଛି ତେବେ ବ୍ୟାଙ୍କ ଆପଣଙ୍କୁ ୨୫ ହଜାର ଟଙ୍କା ହିଁ କ୍ଷତିପୂରଣ ଦେବ ବାକି ୨୫ ହଜାର ଟଙ୍କାର କ୍ଷତି ଆପଣଙ୍କୁ ସହିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.