ବାଣୀବିହାରକୁ ଆସିଲେ ଯୋଗାଣ ମନ୍ତ୍ରୀଙ୍କ ହାର୍ଟବିଟ୍ ବଢିଯାଏ, ହେଲେ ପିଆଜ ଦର ଖାଉଟିଙ୍କ ହାର୍ଟବିଟ୍ ବଢାଉଥିବା ନେଇ କ’ଣ କହିଲେ ମନ୍ତ୍ରୀ ଶୁଣନ୍ତୁ…

Published By : Prameya-News7 Bureau | November 24, 2019 IST

ଭୁବନେଶ୍ବର ୨୪।୧୧: ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟକୁ ନିଜ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ବାଣୀବିହାରକୁ ଆସିଲେ ତାଙ୍କ ବୟସ କମିଯିବା ସହିତ ହାର୍ଟବିଟ୍ ବଢିଯାଏ । ପୁରୁଣା କଥା ସବୁ ମନେପଡିଯାଏ । ତେବେ ପିଆଜ ଦର ବୃଦ୍ଧି ଖାଉଟିଙ୍କ ହାର୍ଟବିଟ୍ ବଢାଉଥିବା ପ୍ରଶ୍ନକୁ ଏଡାଇ ଯାଇଥିଲେ ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ରାଜଧାନୀ ସମେତ ଅନେକ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦର ୯୦ ଉପରେ ରହିଛି । ଦୈନିକ ବଢ଼ି ଚାଲିଛି ଦର । ନୂଆ ପିଆଜ ନଆସିବା ପର୍ଯ୍ୟନ୍ତ ଦର କମିବା ସମ୍ଭାବନା ନାହିଁ । ମୈତ୍ରୀ ଷ୍ଟୋର୍ ଜରିଆରେ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରାଯାଉଥିବା କଥା ସରକାର କହୁଛନ୍ତି ସତ, କିନ୍ତୁ କେଉଁଠି ଏ ମୈତ୍ରୀ ଷ୍ଟୋର୍ ଖୋଲୁଛି ତାହା ଏବେ ବଡ଼ ପ୍ରଶ୍ନ ।

ଗତ କିଛି ଦିନ ତଳେ ୬୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ୯୦ ଟପିଲାଣି । ଏମିତି ବଢି ଚାଲିଲେ ସେଞ୍ଚୁରୀ ମାରିବାକୁ ବେଶୀ ଡେରି ହବନି । ନାସିକରୁ ରାଜଧାନୀକୁ ପିଆଜ ଆମଦାନୀ ବନ୍ଦ ହୋଇଯାଇଛି। ଏବେ କେବଳ ଆନ୍ଧ୍ର ହିଁ ଭରସା।  ସେଠାରୁ ଯେତିକି ପିଆଜ ଆସୁଛି ତାହା ଖାଉଟିଙ୍କ ଚାହିଦା ପୂରଣ କରିପାରୁନି । ରାଜଧାନୀର ଆଇଗିଣିଆକୁ ଦୈନିକ ଆସୁଛି ମାତ୍ର ୭୦ ରୁ ୮୦ ଟନ୍ ପିଆଜ । ଯେଉଁଠି ପୂବର୍ରୁ ଦୈନିକ ୨୫୦ ରୁ ୩ ଶହ ଟନ୍ ପିଆଜ ପହଞ୍ଚୁଥିଲା । ସେହିଭଳି ଛତ୍ରବଜାରକୁ ମଧ୍ୟ ପିଆଜ ଯୋଗାଣ ଏକଦମ୍ କମି ଯାଇଛି ।  ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିବା ଯୋଗୁ ଖୁଚୁରା ବଜାରରେ ଦର ବଢି ଚାଲିଛି । ଶୁକ୍ରବାର ପିଆଜ ଦର ବୃଦ୍ଧିକୁ ନେଇ ବିଧାନସଭାରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଥିଲେ, ଏହା ଉପରେ ସରକାର ତୀକ୍ଷ୍ନ ନଜର ରଖିଛନ୍ତି । ଅନ୍ୟ ରାଜ୍ୟରୁ ପିଆଜ କିଣି ୨୮୪ଟି ଫେୟାର ପ୍ରାଇସ୍ ସପ୍ ଜରିଆରେ କମ୍ ଦରରେ ଖାଉଟିଙ୍କୁ ବିକୁଛନ୍ତି ।

ଶୁକ୍ରବାର ମନ୍ତ୍ରୀ ମୈତ୍ରୀ ଷ୍ଟୋର କଥା କହିଥିଲେ । ମୈତ୍ରୀ ଷ୍ଟୋରରେ ଝୁଲୁଛି ତାଲା । ପାଖଆଖରେ କେହି ନାହାନ୍ତି । ଯଦି ରାଜଧାନୀରେ ମୈତ୍ରି ଷ୍ଟୋରରେ ତାଲା ଝୁଲୁଛି, ତେବେ ଆଉ କେଉଁ ସ୍ଥାନରେ ସରକାର ଖାଉଟିଙ୍କୁ କମ୍ ଦାମରେ ପିଆଜ ବିକୁଛନ୍ତି ?

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.