ବିଜେଡିରୁ ବହିଷ୍କାର ପରେ କଣ କରିବେ ଦାମ ତାକୁ ନେଇ ଚାଲିଛି ନାନା ଟୁପୁରୁଟାପୁରୁ
13/09/2018 at 5:59 PM

ଭୁବନେଶ୍ୱର ୧୩/୯ : ଦଳରୁ ବିଦା ହେବାପରେ ଦାମଙ୍କ ପରବର୍ତ୍ତି ମୁଭ୍ କଣ ହେବ । ସେ ନେଇ ଏବେ ସବୁଠି ଚର୍ଚ୍ଚା। ସେ ନୂଆଦଳ ଗଢିବେ କି, ନା କେଉଁଦଳରେ ମିଶିବେ ନା ପୁଣି ବିଜୁ ବିଚାରମଞ୍ଚ ଚାଲିବ। ଓ ଏହା ମାଧ୍ୟମରେ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଏକାଠି କରିବେ। କିନ୍ତୁ ଦାମ କରପସନ ଏଗେନଷ୍ଟରେ ଦାମ କ୍ରୁସେଡର ହେବେ ବୋଲି ସଂଙ୍କେତ ଦେଇଛନ୍ତି । ତେବେ ବିଜେଡିରୁ ବିତାଡିତ ଅନ୍ୟ ନେତାଙ୍କ ଭଳି ଦାମଙ୍କ ଅବସ୍ଥା ହେବ ନା ସତରେ ଦାମ ଓଡିଶା ରାଜନୀତିରେ ନୂଆ କିଛି କରି ଦେଖାଇବେ ତାକୁ ନେଇ ଚର୍ଚା ହେବା ସ୍ବାଭାବିକ । …
ବିଜେଡିରୁ ବହିଷ୍କାର ହେବା ପରେ କଣ କରିବେ ଦାମ । ବିଜୟ ଠାରୁ ବୈଜୟନ୍ତଙ୍କ ଯାଏଁ ୪୪ ଜଣ ଯାହା ଯାହା କରି ଦେଖାଇଛନ୍ତି ଦାମ ସେୟା କରିବେ ନା ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିବେ । ଏବେ ଦାମକୁ ନେଇ ପଲିଟିକାଲ କରିଡରରେ ନାନା ଟୁପୁରୁଟାପୁରୁ । କାଲି ବହିଷ୍କାର ପରେ ଦାମ କହିସାରିଛନ୍ତି ସେ ବିଜେପି କି କଂଗ୍ରେସରେ ମିଶିବେନି । ତେବେ କଣ ଦାମ ପୁଣି ବିଜୁ ବିଚାର ମଞ୍ଚକୁ ଆଉଥରେ ସକ୍ରିୟ କରିବେ? ଦାମଙ୍କ ଏହି ମଞ୍ଚରେ ଅସନ୍ତୁଷ୍ଟ ଓ ବିତାଡିତ ବିଜେଡି ନେତା ବସି ପାଞ୍ଚ କରିବେ କି। ନା ଦାମ ନୂଆଦଳ ଗଢିବେ। ଏମିତି ସବୁ ପ୍ରଶ୍ନ ଉଙ୍କି ମାରୁଛନ୍ତି। ଯଦିଓ ଦାମ ଆଜିବି ମୁହଁ ଖୋଲିଛନ୍ତି କିନ୍ତୁ ପରଦା ହଟାଉ ନାହାଁନ୍ତି । ପୁଣି ସେହିକଥା କହିଛନ୍ତି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ। ସାରା ଓଡିଶା ବୁଲି ବୁଲି ବିଜେଡି ବିରୋଧି ହାୱା ତିଆରି କରିବା ଯୋଜନାରେ ଅଛନ୍ତି । ପ୍ରଥମେ ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତିକୁ ହଲଚଲ କରିବା ଯୋଜନାରେ ଅଛନ୍ତି ଦାମ । ଯାହାର ଏପିସେଣ୍ଟର ହେବ ପାରାଦୀପ ।
ସେପଟେ ଦାମଙ୍କୁ ଛନ୍ଦିବାକୁ ସରକାରଙ୍କ ପକ୍ଷରୁ ଯେ କିଛି କାଉଣ୍ଟର ଅଭିଯାନ ଆରମ୍ଭ ହେଉନଥିବ ତାହା ଏଡ଼େଇ ହେବନି। ସେହିଭଳି ଅସନ୍ତୁଷ୍ଟ ବିଜେଡି ଏବଂ ବିତାଡିତ ବିଜୁ ପ୍ରେମୀ ନେତାଙ୍କୁ ସାଙ୍ଗରେ ନେବାକୁ କେତେ ସକ୍ଷମ ହେବେ ଦାମବାବୁ ତାହା ବି ଆଉ ଏକ ପ୍ରଶ୍ନ । ଅବଶ୍ୟ ଦାମ ଏବେ ବିଭିନ୍ନ ସଂଗଠନର ନେତାଙ୍କ ସହ ମିଶିବା ଆରମ୍ଭ କରିଦେଲେଣି । କିନ୍ତୁ ତାହା ସେ କେତେ ଦିନ ରଖିପାରିବେ ସେଇଟା ବଡକଥା । ନବୀନ କହିଛନ୍ତି ଦାମବାବୁ ସବୁବେଳେ ଅର୍ଥହୀନ ମନ୍ତବ୍ୟ ଦିଅନ୍ତି । ବିକଳ୍ପ ରାଜନୈତିକ ମଞ୍ଚ ବିଜେଡି ଉପରେ ପ୍ରଭାବ ପକାଇବନି ।
କୁହାଯାଉଛି ଆସନ୍ତା ୨ ମାସ ଭିତରେ ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ହେବ । ବହୁ ବଡବଡନେତା ବିଭିନ୍ନ ଦଳ ଛାଡିବେ, ଭାଙ୍ଗିବେ, ଗଢିବେ ବି । ସେହି ସମୟରେ ନୂଆ ସମୀକରଣ ବି ସାମ୍ନାକୁ ଆସିବ । ସେତେବେଳେ ଓଡିଶା ରାଜନୀତି ସତରଞ୍ଜରେ ଦାମ କେଉଁ ଭୂମିକାରେ ଥିବେ ଜଣାପଡିଯିବ ।