ମାତ୍ର ବର୍ଷେ ପରେ ଭୋଟ୍ : କେତେ ବଦଳିବ ଭୋଟ୍ ଗଣିତ, ବର୍ଷକ ତଳେ କ'ଣ ଥିଲା ମୁଡ୍ ?

Published By : Prameya-News7 Bureau | November 03, 2020 IST

ବାଲେଶ୍ୱର, ୦୩/୧୧:   ବାଲେଶ୍ବର- ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ସରିଲା ଭୋଟ୍‌ । ଏହି ଦୁଇ ନିର୍ବାଚନ ମଣ୍ଡଳୀର ଭୋଟର ସେମାନଙ୍କ ମତ ରଖିସାରିଛନ୍ତି । ଇଭିଏମ୍‌ରେ ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଗାମୀ ୧୦ତାରିଖରେ ଇଭିଏମ୍‌ ଖୋଲିଲେ ଜଣାପଡ଼ିବ ଏହି ଦୁଇ ନିର୍ବାଚନମଣ୍ଡଳୀରେ କାହାକୁ ନିଜର ପ୍ରତିନିଧି ରୂପେ ବାଛିଛନ୍ତି ଏଠାକାର ଜନତା ଜନାର୍ଦ୍ଦନ । ୨୦୧୯ ଆଉ ୨୦୨୦ ମାତ୍ର ବର୍ଷକ ଭିତରେ ପୁଣି ଥରେ ଭୋଟ୍‌ ହୋଇଥିବା ବେଳେ ଏହି ଦୁଇ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ମତରେ କିଛି ପରିବର୍ତନ ଦେଖିବାକୁ ମିଳିବ କି ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ହେଲେ କ’ଣ ଥିଲା ବର୍ଷକ ପୂର୍ବରୁ ଏଠାକାର ଭୋଟରଙ୍କ ମୁଡ୍‌ ଚାଲନ୍ତୁ ସେଇ ଫ୍ଲାସବ୍ୟାକ୍‌ ଉପରେ ଟିକେ ନଜର ପକାଇଦେବା ।

ସରିଲା ଉପନିର୍ବାଚନ ଭୋଟ୍‌ । ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ । କାହାକୁ ମିଳିଲା ସ୍ପଷ୍ଟ ଜନମତ ?  ଆଉ କାହାକୁ ନିରାଶ କଲେ ଭୋଟର ? ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଚାଲିବ । ହେଲେ ଜନତା ଜନାର୍ଦ୍ଦନଙ୍କ ରାୟ କ’ଣ ତାହା ଜାଣିବାକୁ ନଭେମ୍ବର ୧୦ ଯାଏଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ବର୍ଷକ ଭିତରେ ଦୁଇ ଦୁଇ ଥର ନିର୍ବାଚନ ଫେସ୍‌ କରିଥିବା ବାଲେଶ୍ବର ଓ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସେମାନଙ୍କ ମନ ପରିବର୍ତ୍ତନ କରିଛନ୍ତି ନା‘ ପୂର୍ବ ରାୟକୁ କାଏମ ରଖିଛନ୍ତି ତାହା ବି ଆଗକୁ ସ୍ପଷ୍ଟ ହୋଇଯିବ । ପୂର୍ବଥର ଅର୍ଥାତ୍‌ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଉପରେ ଯଦି ଆମେ ନଜର ପକାଇବା ତାହେଲେ ଗତଥର ବାଲେଶ୍ବର ସଦର ଭୋଟରଙ୍କ ଅଧିକ ସମର୍ଥନ ଭାରତୀୟ ଜନତା ପାର୍ଟିକୁ ଯାଇଥିଲା । ଆଉ ବିଜେପି ନେତା ମଦନ ମୋହନ ଦତ୍ତ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ୧୩ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ ମଦନ ମୋହନ ଦତ୍ତ । ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତଙ୍କୁ ୭୪ହଜାର ୮୧୫ଭୋଟ୍‌ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ମିଳିଥିଲା ୬୧ହଜାର ୪୦୯ ଭୋଟ୍‌ । ସେହିଭଳି ୧୯ହଜାର ୭୦୪ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ପଟ୍ଟନାୟକ ।

{"id":355692,"sizeSlug":"large"}

୨୦୧୯ରେ ବାଲେଶ୍ବର ସଦରରେ ୭୧.୨୪ ପ୍ରତିଶତ ଭୋଟିଂ ହୋଇଥିଲା । ଏଥର କିନ୍ତୁ ବିଜେଡି ତା’ର ପ୍ରାର୍ଥୀ ପରିବର୍ତ୍ତନ କରିବା ସହ ବାଲେଶ୍ବର ସଦର ଭୋଟର ମତ ପରିବର୍ତନ କରିଥିବେ ବୋଲି ଆଶା ରଖିଛି । ଠିକ୍‌ ସେମିତି ପ୍ରାର୍ଥୀ ପରିବର୍ତ୍ତନ କରି ତିର୍ତୋଲରେ ଜିତିବା ଆଶା ରଖିଛି ବିଜେପି । ୨୦୧୯ରେ ତିର୍ତୋଲରେ ବିଜେଡି ତା’ର ବିଜୟ ଧାରା ବଜାୟ ରଖିଥିଲା । ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରମାକାନ୍ତ ଭୋଇଙ୍କୁ ୪୦ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ ।  ବିଷ୍ଣୁ ଦାସ ୯୩ହଜାର ୯୬୭ ଭୋଟ୍‌ ପାଇଥିବା ବେଳେ ରମାକାନ୍ତ ଭୋଇ ପାଇଥିଲେ ୫୩ହଜାର ୫୮୧ଭୋଟ୍‌ । ସେହିଭଳି ୨୩ହଜାର ୮୦୯ଭୋଟ୍‌ ପାଇଁ ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ।

{"id":355693,"sizeSlug":"large"}

୨୦୧୯ରେ ତିର୍ତୋଲରେ ଭୋଟିଂ ପର୍ସେଣ୍ଟେଜ୍‌ ଥିଲା ୭୩.୬୬ । ଗଲା ୨୦ବର୍ଷ ଧରି ତିର୍ତୋଲରେ ବିଜେଡି ତା’ର ଦବଦବା ଜାହିର କରିଆସିଛି । ଏଥର ମଧ୍ୟ ତିର୍ତୋଲବାସୀ ପୁଣି ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଆଶା କରୁଛି ଦଳ । ହେଲେ ଅନେକ ସମୟରେ ଜନତା ଜନାର୍ଦ୍ଦନଙ୍କ ରାୟ ନେତା ଓ ରାଜନୈତିକ ସମୀକ୍ଷକଙ୍କ ଅଙ୍କ ଆକଳନକୁ ବି ଭୁଲ୍‌ ପ୍ରମାଣିତ କରିଥିବା ନଜିର ମଧ୍ୟ କିଛି କମ୍‌ ନାହିଁ । ତେଣୁ ଉପନିର୍ବାଚନ ହୋଇଥିବା ଦୁଇଟି ଯାକ ବିଧାନସଭା ଆସନରେ ଜନତା କାହା ସପକ୍ଷରେ ନିଜର ମତଦାନ କରିଛନ୍ତି ତାହା ନଭେମ୍ବର ୧୦ରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.