ଟ୍ରମ୍ପଙ୍କ ଭାଗ୍ୟରେ ଅଛି କ'ଣ ? ପୁଣି ଥରେ ହ୍ୱାଇଟ୍ ହାଉସ୍ ଯିବେ ନା ବାଜି ମାରିନେବେ ବିଡେନ୍

Published By : Prameya-News7 Bureau | November 02, 2020 IST

ନ୍ୟୁୟର୍କ, ୦୨୧୧ପୁଣି ଥରେ ନିର୍ବାଚିତ ହେବେ କି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ୍ ଟ୍ରମ୍ପ ପୁଣି ଥରେ ହ୍ବାଇଟହାଉସ୍ ଯିବେ ନା ବାଜି ମାରିନେବେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବିଡେନ୍ । ଆସନ୍ତାକାଲି ଆମେରିକା ନିର୍ବାଚନ ପାଇଁ ଭୋଟିଂ । ଏହାଆଗରୁ ପ୍ରଚାର ଜୋରଦାର ହୋଇଛି । ନଜର ରହିଛି ଭାରତୀୟ ଆମେରିକୀୟ ଭୋଟରଙ୍କ ଉପରେ । ଉଭୟ ଟ୍ରମ୍ପ ଏବଂ ଜୋ ବିଡେନ୍ ଭାରତୀୟ ଆମେରିକୀୟଙ୍କ ଭୋଟ ନିଜ ନିଜ ପକ୍ଷକୁ ନେବାକୁ ଜୋର ଲଗାଇଛନ୍ତି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି । ଡୋନାଲ୍ଡ ଟ୍ରମ୍ପ ଏବଂ ଡୋ ବିଡେନ୍ ଭିତରେ କଡା ଟକ୍କର ଚାଲିଛି । କିଛି ଆମେରିକୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ୪୨% ଥିବା ବେଳେ ବିଡେନ୍‌ଙ୍କ ପକ୍ଷରେ ୫୧% ରହିଛି । ତେବେ ନିର୍ବାଚନରେ କିଏ ବାଜି ମାରିବ ଏବଂ ହ୍ବାଇଟ୍ ହାଉସ ଯିବ, ତାହା ଏବେଠୁ ଆକଳନ କରିହେବନାହିଁ । ଆମେରିକାରେ ମୋଟ ୨୦କୋଟି ଭୋଟରଙ୍କ ଭିତରୁ ଏବେ ସୁଦ୍ଧା ୯କୋଟି ଭୋଟର ମତଦାନ କରି ସାରିଛନ୍ତି ।

ଶେଷ ପର୍ଯ୍ୟାୟରେ ମିସିଗାନ୍, ଆଇୱା, ନର୍ଥ କାରୋଲିନା, ଜର୍ଜିଆ ଏବଂ ଫ୍ଲୋରିଡାରେ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର କରିଛନ୍ତି । ସେହିପରି ପେନସିଲଭାନିଆ ଏବଂ ପିଟସ୍‌ବର୍ଗରେ ପ୍ରଚାର ଶେଷ କରିଛନ୍ତି ବିଡେନ୍ । ଭୋଟରଙ୍କ ମୁଡ୍ କୁ ହିସାବକୁ ନେଲେ ୪ଟି ଗୁରୁତ୍ବପୂର୍ଣ୍ଣ ସହର ୱିସକନସିନ୍, ପେନସିଲଭାନିଆ, ଫ୍ଲୋରିଡା ଏବଂ ଆରିଜୋନାରେ ବିଡେନ୍ଙ୍କ ପଲା ଭାରି ରହିଛି ।ଉଭୟ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ୍ ଜୋ ବିଡେନ୍‌ଙ୍କ ସମର୍ଥନରେ ଭାରତୀୟ ଆମେରିକୀୟ ଜୋରଦାର କ୍ୟାମ୍ପେନିଂ କରିଛନ୍ତି । ଭାରତୀୟ ଆମେରିକୀୟ ମାନେ ନିଜ ନିଜ କମ୍ୟୁନିଟି ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ।  

ଆମେରିକାରେ ଭାରତୀୟ ଆମେରିକୀୟ ସଂଖ୍ୟା ମୋଟ ଜନସଂଖ୍ୟାର ୧ପ୍ରତିଶତରୁ ସାମାନ୍ୟ ଅଧିକ । ସେହିପରି ଭାରତୀୟ ଆମେରିକୀୟ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ୧ପ୍ରତିଶତରୁ କମ୍ । ଏହା ସତ୍ବେ ଏହି ଭୋଟ ଉପରେ ସମସ୍ତଙ୍କ ନଜର । ସର୍ଭେ ଅନୁଯାୟୀ ୬୦ପ୍ରତିଶତରୁ ଅଧିକ ଭାରତୀୟ ଆମେରିକୀୟ ବିଡେନ୍ ଙ୍କ ସପକ୍ଷରେ ଭୋଟ ଦେଇପାରନ୍ତି । ଡେମୋକ୍ରାଟ ଦଳର ଉପରାଷ୍ପ୍ରପତି ପ୍ରାର୍ଥୀ ଭାରତୀୟ ମୂଳ ଅଧିବାସୀ କମଳା ହାରିସ୍ ଙ୍କ ଭୂମିକା ବିଡେନ୍ ଙ୍କ କମାଲ ଦେଖାଇପାରେ ବୋଲି ଆକଳନ କରାଯାଉଛି । ଭାରତ ସହ ଆମେରିକା ସଂପର୍କ ଆମେରିକୀୟ ଭାରତୀୟଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ନୁହେଁ ।  ଏଥର ଅର୍ଥନୀତି ଏବଂ ରଙ୍ଗଭେଦ ଆମେରିକା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.