କଣ ଏହି ଅଧ୍ୟାଦେଶ, ଯାହା ପାଇଁ ମୋଦୀ ସରକାରରୁ ଇସ୍ତଫା ଦେଲେ ହରସିମରତ କୌର ବାଦଲ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୦୯: ମୌସୁମି ଅଧିବେଶନରେ କୃଷି ସମ୍ବନ୍ଧିତ ୩ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଝଟକା ଲାଗିଛି। ଏହି ଅଧ୍ୟାଦେଶକୁ ବିରୋଧୀ କେନ୍ଦ୍ର ମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ସାଂସଦ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ବିରୋଧୀ ଦଳଙ୍କ ପରି ଏନଡିଏର ସହଯୋଗୀ ଶିରୋମଣି ଅକାଳି ଦଳ ମଧ୍ୟ ଅଧ୍ୟାଦେଶକୁ ବିରୋଧ କରିଛି।

ଲୋକସଭାରେ ଗୁରୁବାର ଯେବେ  ବିଧେୟକ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ଏହା ପରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଅକାଳି ଦଳର ସରକାର ପ୍ରତି ସମର୍ଥନ ଜାରି ରହିବ। ଆସନ୍ତୁ ଜାଣିବା କଣ ଏହି ଅଧ୍ୟାଦେଶ। ଅଧ୍ୟାଦେଶରେ କଣ ରହିଛି, ଯାହାକୁ ନେଇ ମୋଦୀ ସରକାରକୁ କୌର ଇସ୍ତଫା ଦେଇଛନ୍ତି।

ଅଧ୍ୟାଦେଶ

ମୌସୁମି ଅଧିବେଶନର ପ୍ରଥମ ଦିନ ସୋମବାର ସରକାରଙ୍କ ତରଫରୁ କୃଷିରେ ସୁଧାରାତ୍ମକ କାର୍ଯ୍ୟକ୍ରମ ଲାଗୁ କରିବା ଲାଗି ଏବଂ କୃଷକଙ୍କ ଆୟ ବଢାଇବା ଉଦ୍ଦେଶ୍ୟରେ ଅଣାଯାଇଥିବା ୩ ବିଧେୟକ ଲୋକସଭାରେ ଉପସ୍ଥାପିତ କରାଯାଇଛି। ଏହି ତିନି ବିଧେୟକ କରୋନା କାଳରେ ୨୦୨୦ ଜୁନ ୫ରେ ଅଧିସୂଚିତ ୩ ଅଧ୍ୟାଦେଶର ସ୍ଥାନ ନେବ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ(ସମ୍ବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦ ଓ କୃଷକ(ସଶକ୍ତିକରଣ ଏବଂ ସରକ୍ଷଣ)ର ମୂଲ୍ୟ ଆଶ୍ଵାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, ୨୦୨୦ ଲୋକସଭାରେ ଉପସ୍ଥାପିତ କରାଯାଇଥିବା ବେଳେ ଆବଶ୍ୟକ ବସ୍ତୁ(ସଂଶୋଧନ)ବିଧେୟକ, ୨୦୨୦କୁ ଖାଦ୍ୟ ଏବଂ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଉପସ୍ଥାପନ କରିଥିଲେ।

ବିଧେୟକ ବିଷୟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୃଷକଙ୍କ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ(ସମ୍ବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦ ଆଧାରରେ କୃଷକ ବିଭିନ୍ନ ରାଜ୍ୟର କୃଷି ବିପଣନ କେନ୍ଦ୍ର ଦ୍ଵାରା ଅଧିସୂଚିତ ବଜାରରେ ନିଜର ଉତ୍ପାଦ ବା ଫସଲ ବିକ୍ରି କରି ପାରିବ ଏବଂ କିଣି ମଧ୍ୟ ପାରିବ।

ଫସଲ ବିକ୍ରିରେ ଆସିବ ପାରଦର୍ଶି

ଏଥିସହ ଚାଷୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ଏବଂ ନିଜ ରାଜ୍ୟ ଭିତରେ ବ୍ୟବସାୟ, ବାଣିଜ୍ୟ କରି ପାରିବ। ନିଜର ଉତ୍ପାଦିଶ ଶସ୍ୟକୁ ପ୍ରତିଯୋଗିତାମୂଳକ ବଜାରରେ ଲାଭଦାୟକ ମୂଲ୍ୟରେ ବିକ୍ରି କରି ପାରିବାର ଲାଭ ଉଠାଇ ପାରିବ।

ମନ୍ତ୍ରଣାଳୟ କହିଛି, କୃଷକ(ସଶକ୍ତିକରଣ ଏବଂ ସରକ୍ଷଣ)ର ମୂଲ୍ୟ ଆଶ୍ଵାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, ୨୦୨୦ ଆଧାରରେ କୃଷି ପାଇଁ ରାଷ୍ଟ୍ରୀୟ ଢାଞ୍ଚାର ପ୍ରାବଧାନ କରାଯିବ। ଏହା  କୃଷକଙ୍କୁ କୃଷି, ବ୍ୟବସାୟ ଫର୍ମ, ହୋଲସେଲ ବିକ୍ରେତା, ରପ୍ତାନୀକାରୀ କିମ୍ବା ବଡ ଖୁଚୁରା ବ୍ୟବସାୟୀ ସହିତ କୃଷି ସେବା ମଧ୍ୟରେ ଉଚିତ୍ ତଥା ପାରଦର୍ଶୀ ସହମତି ଭିତ୍ତିରେ ଲାଭଦାୟକ ମୂଲ୍ୟରେ ନିଜର ଉତ୍ପାଦନକୁ ବିକ୍ରି କରି ପାରିବ।

ଏହି ବିଧେୟକ ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଥିରେ ଘରୋଇ ନିବେଶକଙ୍କୁ ଅତ୍ୟଧିକ ସରକାରୀ ହସ୍ତକ୍ଷେପର ଆଶଙ୍କା ଦୂର  ହୋଇଯିବ। ଏଥି ସହ ଉତ୍ପାଦ, ଉତ୍ପାଦ ସୀମା, ଯାତାୟତ, ବିତରଣ ଓ ରପ୍ତାନୀ ଆଦି ସ୍ଵାଧୀନ ଭାବେ  ହୋଇ ପାରିବ। ସ୍ଵାଧୀନ ଭାବେ ବିକ୍ରି ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ସହାୟକ ହେବ ଓ କୃଷି କ୍ଷେତ୍ରରେ ଘରୋଇ କ୍ଷେତ୍ର କିମ୍ବା ପ୍ରତ୍ୟେକ୍ଷ ବିଦେଶୀ ନିବେଶ ଆକର୍ଷିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.