କରୋନା: ପ୍ଲାଜମା ଥେରାପି କ'ଣ...?

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ୧୫/୭:  କରୋନା  ମୁକାବିଲା ନେଇ ଦେଶର କେତୋଟି ରାଜ୍ୟରେ ପ୍ଲାଜମା ଥେରାପି କାର୍ଯ୍ୟକାରୀ କରାଯାଇଛି। ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ ଆପଣଙ୍କୁ ପ୍ଲାଜମା ଥେରାପି କ’ଣ ଏବଂ କେଉଁ ଲୋକମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ ସେ ବିଷୟରେ ଜଣାଇବୁ |

ଯେଉଁମାନେ କୋଭିଡ-୧୯ରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରକ୍ଷା ବିକାଶ କରନ୍ତି, ଯାହାକୁ ଆଣ୍ଟିବଡି ବୋଲି କୁହାଯାଏ | ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରୁ ସ୍ବତନ୍ତ୍ର ମେସିନ୍ ସହାୟତାରେ ରକ୍ତରୁ ପ୍ଲାଜ୍‌ମାକୁ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଏହାକୁ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ, ଯାହାକି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ତେବେ ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କରୋନାରୁ ମୁକ୍ତ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

କେଉଁମାନଙ୍କ ଠାରେ ପ୍ରୟୋଗ କରାଯାଇ ପାରିବ, କେଉଁ ବର୍ଗର ବ୍ୟକ୍ତିମାନେ କରୋନା ରୋଗୀଙ୍କୁ ପ୍ଲାଜମା ଦେଇପାରିବେ ସେ ସମ୍ପର୍କରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇ‌ନ୍‌ସେସ୍‌ (ଆଇଏଲ୍‌ବିଏସ୍‌)ର ନିର୍ଦ୍ଦେଶକ ଡାକ୍ତର ଏସ କେ ସରିନ ଏକ ସାକ୍ଷାତକାର ଦେଇଛନ୍ତି। ତାଙ୍କ ମତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ ୬୦-୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ। ସେହିଭଳି ମଧୁମେହ କିମ୍ବା ହାଇପରଟେନସନ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ।

ଗର୍ଭବତୀ ହୋଇଥିବା ମହିଳା ପ୍ଲାଜମା ଦାନ ନ କରି ପାରିବାର କାରଣ ହେଉଛି , ଗୋଟିଏ ଶିଶୁର ଦେହରେ ଉଭୟ ବାପା ଓ ମାଆଙ୍କ ଜିନୀୟ ଉପାଦାନ ରହିଥାଏ। ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଅନ୍ତି ସେତେବେ‌ଳେ ତାଙ୍କଠାରେ ସ୍ବାମୀଙ୍କ ଜୀନୀୟ ଉପାଦାନ ବିରୋଧରେ ଆଣ୍ଟିବଡିର ବିକାଶ ହୋଇଥାଏ। ତେଣୁ ରକ୍ତ ଦାନ ବେଳେ ଏଚ୍‌ଏଲ୍‌ଏ ଆଣ୍ଟିବଡି ଫୁସଫୁସ ନଷ୍ଟ ଭଳି କେତେକ ସମସ୍ୟା ସୃଷ୍ଟି କରିଥାଏ। କୋଭିଡ-୧୯ ରୋଗୀଙ୍କ ଫୁସଫୁସ୍ ପୂର୍ବରୁ ଦୁର୍ବଳ ହୋଇସାରିଥିବାରୁ ଗର୍ଭବତୀ ମହିଳାଙ୍କ ପ୍ଲାଜମା ନେଲେ ଏହା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.