୨୬/୧୧ ମୁମ୍ବାଇ ଆକ୍ରମଣ : ଫାଶୀର ଦିନକ ଆଗରୁ କସବ୍ କ'ଣ କହିଥିଲା ଆସନ୍ତୁ ଜାଣିବା

Published By : Prameya-News7 Bureau | November 12, 2018 IST

ମୁମ୍ବାଇ ୧୨|୧୧:  ୨୦୦୮ ମସିହା ନଭେମ୍ବର ୨୬... ଭୟଙ୍କର ମୁମ୍ବାଇ ଆକ୍ରମଣ... ଭାରତର ଇତିହାସ ସେହି ହିଂସାକୁ କେବେ ବି ଭୁଲିପାରିବନି, ବାଦ୍‌ ଦେଇ ପାରିବନି । କିନ୍ତୁ ସେହି ଲୋମଟାଙ୍କୁରା  ଗଣହତ୍ୟାର  ଅନ୍ୟତମ ଖଳନାୟକ ଅଜମଲ ଅମୀର କସବର ଶେଷ କଥା କ'ଣ ଥିଲା ? ଜୀବନ୍ତ ଧରାପଡିଯାଇଥିବା ଲସ୍କର-ଇ-ତୋଇବା ଆତଙ୍କୀ ମୃତ୍ୟୁ ପୂର୍ବରୁ ପୋଲିସକୁ କହିଥିଲା କ'ଣ ? ମୁମ୍ବାଇରେ ପାକିସ୍ତାନ ସମର୍ଥିତ ଲସ୍କର ସଂଗଠନର ସେହି ଭୟଙ୍କର ଗଣହତ୍ୟା ଓ ହିଂସାର ତାଣ୍ଡବ ପରେ ଆତଙ୍କୀବାହିନୀର ସକ୍ରିୟ କର୍ମୀ ଭାବେ ବେଶ୍ ମୁହଁ ଫୁଟାଣି ମାରିଥିଲା କସବ । ମୃତ୍ୟୁକୁ ଭୟ ନାହିଁ କହି ଜେଲ୍‌ରେ ବି ଭାରତ ବିରୋଧରେ ବିଷ ଉଦଗାରି ଥିଲା । କିନ୍ତୁ ଫାଶି ପୂର୍ବରୁ ଭାଙ୍ଗିଯାଇଥିଲା ତାର ଟାଣ । ମାନିଯାଇଥିଲା ତାର ଭୁଲ  ଆଉ କହିଦେଇଥିଲା ସବୁ କାରନାମା । ଫାଶିର ଠିକ୍‌ ଦିନକ ପୂର୍ବରୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ କସବ୍‌ର ଶେଷ କଥା ଥିଲା, ‘ମୁଁ ହାରିଗଲି, ଆପଣ ଜିତିଗଲେ ।’ ‘ଆପ୍ ଜିତ୍ ଗୟେ, ମେଁ ହାର ଗୟା ।’ ୨୦୧୨ ନଭେମ୍ବର ୧୯ ମଧ୍ୟ ରାତ୍ରୀରେ  ଫାଶି ଖୁଣ୍ଟରେ ଝୁଲିବାର ଠିକ୍ ଦିନକ ପୂର୍ବରୁ ଏହା କହିଥିଲା କସବ୍ । ବରିଷ୍ଠ ପୋଲିସ ଇନ୍ସପେକ୍ଟର ରମେଶ ମାହାଲେଙ୍କୁ ଏହା କହିଥିଲା କସବ୍ । ମାହାଲେ ୨୬/୧୧ ଆକ୍ରମଣର  ମୁଖ୍ୟ ତଦନ୍ତକାରୀ ଅଧିକାରୀ ଥିଲେ । ମୁମ୍ବାଇ କ୍ରାଇବ୍ରାଞ୍ଚର ଅଧିକାରୀ ବି ଥିଲେ ମାହାଲେ । ଏବେ ସେ ଅବସର ନେଇସାରିଛନ୍ତି । ସେହି ଦୀର୍ଘ ତଦନ୍ତ ଆଉ କସବ୍‌ର ଶେଷ କଥା ସେ ଭୁଲି ପାରିନାହାନ୍ତି ।୨୧ ବର୍ଷୀୟ କସବ ଭାରତ ବିରୋଧୀ ହିଂସା, ହତ୍ୟା ଭଳି ୮୦ ଟି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲା ।ନଭେମ୍ବର ୨୧, ୨୦୧୨ ରେ ଫାଶି ପାଇଥିଲା କସବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.