ବିଜେପି-ଫେସବୁକ୍ ବିବାଦ କ’ଣ ? ଯାହାକୁ ନେଇ ଏବେ ଉଠୁଛି ପଡୁଛି ଜାତୀୟ ରାଜନୀତି

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୮: ଏକ ପ୍ରମୁଖ ଆମେରିକୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ନେଇ ଭାରତୀୟ ରାଜନୈତିକ କରିଡର ଏବଂ ସୋସିଆଲ ମିଡିଆ ଜଗତରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ରିପୋର୍ଟକୁ ଉଦାହରଣ ସ୍ବରୂପେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଫେସବୁକ ଏବଂ ହ୍ବାଟସଆପ୍ କୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ଏହାଦ୍ବାରା ଘୃଣା ସୃଷ୍ଟି କରୁଛନ୍ତି । ସେହିଭଳି ବିଜେପି ନେତା ତଥା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର କଡା ଜବାବ ଦେଇଛନ୍ତି । ବିବାଦ ଏତେ ବଢିଗଲା ଯେ ଶେଷରେ ଫେସବୁକକୁ ସଫାଇ ଦେବାକୁ ପଡିଲା ।

ଆମେରିକା ଖବରକାଗଜ ରିପୋର୍ଟ ପରେ ଭାରତରେ ରାଜନୈତିକ ସରଗରମ ଦେଖାଦେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ବିତର୍କ ହୋଇଥିଲା । ରାହୁଲ ଗାନ୍ଧୀଙ୍କୁ ପାଲଟା ଆକ୍ରମଣ କରି ରବିଶଙ୍କର ପ୍ରସାଦ ଟ୍ବିଟ୍ କରି ଲେଖିଥିଲେ, ଯିଏ ଦୁର୍ବଳ ସେ ନିଜ ଦଳରେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିପାରନ୍ତି ନାହିଁ ସେ କହୁଛନ୍ତି ଯେ ସାରା ବିଶ୍ବକୁ ବିଜେପି ଏବଂ ଆରଏସଏସ ନିୟନ୍ତ୍ରଣ କରୁଛନ୍ତି । ନିର୍ବାଚନ ପୂର୍ବରୁ ଡାଟାକୁ ହତିଆର କରି ସେ ନିଜେ ଧରାପଡିଥିଲେ । କେମ୍ବ୍ରିଜ୍ ଏନାଲିଟିକା, ଫେସବୁକରୁ ଆପଣଙ୍କ ଗଠବନ୍ଧନ ଧରାପଡିଯାଇଥିଲା । ଏମିତି ବ୍ୟକ୍ତି ଆଜି ପ୍ରଶ୍ନ ଉଠାଉଛନ୍ତି ।

ରବିଶଙ୍କର ପ୍ରସାଦ କହିଥିଲେ ଯେ, ତଥ୍ୟ ଏହା ଯେ ଆଜି ସୂଚନା ଓ ଆଭିବ୍ୟକ୍ତିର ସ୍ବତନ୍ତ୍ରତା ରହିଛି । ଏହା ଏବେ ଆପଣଙ୍କ ପରିବାର ଦ୍ବାରା ନିୟନ୍ତ୍ରିତ ହେଉନାହିଁ । ଏଥିପାଇଁ ଆପଣଙ୍କୁ ଦୁଃଖ ଲାଗୁଛି । ଆପଣ ବେଙ୍ଗାଲୁରୁ ହିଂସାର ନିନ୍ଦା କଲେନାହିଁ । ଆପଣଙ୍କ ସାହାସ ସେତେବେଳେ କେଉଁଆଡେ ଚାଲିଗଲା ।

ଏହାକୁ ନେଇ କଂଗ୍ରେସ ନେତା ରଣଦୀପ ସିଂହ ସୁରଜେଓ୍ବାଲା କହିଛନ୍ତି, ଏମିତି ଲାଗୁଛି ଯେ ମିଥ୍ୟା ଟ୍ବିଟ୍ ଏବଂ ମିଥ୍ୟା ଏଜେଣ୍ଡା ଏକମାତ୍ର ରାସ୍ତା ହୋଇଯାଇଛି । କଂଗ୍ରେସ କେବେବି କେମ୍ବ୍ରିଜ୍ ଏନାଲିଟିକାର ସେବା ନେଇନାହିଁ । ବିଜେପି ଏନାଲିଟିକାର କ୍ଲାଏଣ୍ଟ ରହିଛି । ଆଇନ ମନ୍ତ୍ରୀ ଏହା କାହିଁକି କହୁନାହାନ୍ତି ।

ସେହିଭଳି ଏଆଇଏମଆଇଏମ ନେତା ଅସଦୁଦ୍ଦୀନ ଓ୍ବେବେସୀ ଟ୍ବିଟ୍ କରିଛନ୍ତି ଯେ, ଭିନ୍ନ ଭିନ୍ନ ଲୋକତନ୍ତ୍ରରେ ଫେସବୁକ୍ ର ଭିନ୍ନ ଭିନ୍ନ ମାନକ କାହିଁକି ରହିଛି ? ଏହା କେଉଁ ପ୍ରକାରର ନିରପେକ୍ଷ ମଞ୍ଚ ? ଏହି ରିପୋର୍ଟ ବିଜେପି ପାଇଁ କ୍ଷତିକାରକ । ବିଜେପିର ଫେସବୁକ ସହ ସଂପର୍କର ଖୁଲାସା ହୋଇସାରିଛି । ଫେସବୁକ କର୍ମଚାରୀଙ୍କ ଉପରେ ବିଜେପିର ନିୟନ୍ତ୍ରଣର ପ୍ରକୃତି ସାମ୍ନାକୁ ଆସିଛି ।

ଏହି ବିବାଦ ମଧ୍ୟରେ ଫେସବୁକ କହିଥିଲା ଯେ, ଆମେ ହିଂସା ସୃଷ୍ଟି କରୁଥିବା ଜିନିଷ ଉପରେ ପ୍ରତିବନ୍ଧକ ଲଗାଉ । ଆମେ ଏହି ନୀତି ବିଶ୍ବବ୍ୟାପୀ ଲାଗୁ କରିଥାଉ । ଆମେ କୌଣସି ରାଜନୈତିକ ସ୍ଥିତି ଏବଂ ସଂପର୍କ ଦେଖୁନାହୁଁ । ଆମେ ଜାଣିଛୁ ଯେ ଏହା ଉପରେ ଆମକୁ ଅଧିକ କାମ କରିବାକୁ ପଡିବ । ଆମେ ଆଗକୁ ବଢୁଛୁ । ନିରପେକ୍ଷତା ଏବଂ ସଠିକତା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପ୍ରକ୍ରିୟାର ନିୟମିତ ଅଡିଟ୍ କରୁଛୁ ।

ଆମେରିକୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ପୁରା ବିବାଦ ଉପୁଜିଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ, ଫେସବୁକ ଭାରତରେ ଶାସକ ବିଜେପି ନେତାମାନଙ୍କର ମନ୍ତବ୍ୟ ମାମଲାରେ କୋହଳ ମନୋଭାବ ପୋଷଣ କରୁଛି । ଫେସବୁକର କର୍ମଚାରୀଙ୍କ କହିବା ଅନୁସାରେ ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହିଂସା ସୃଷ୍ଟି କରୁଛନ୍ତି । ଭର୍ଚୁଆଲ ଦୁନିଆରେ ହିଂସାତ୍ମକ ପୋଷ୍ଟ କରିବା ଦ୍ବାରା ବାସ୍ତବ ଦୁନିଆରେ ହିଂସା ଏବଂ ଚିନ୍ତା ବଢିଥାଏ । ଏଥିରେ ତେଲଙ୍ଗାନା ବିଜେପି ସାଂସଦ ଟି ରାଜା ସିଂହଙ୍କ ଗୋଟିଏ ପୋଷ୍ଟ ସମ୍ବନ୍ଧରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.