ଜାଣନ୍ତୁ ଭାଦ୍ରବ ମାସର ବିଶେଷତ୍ବ ଏବଂ କିପରି ଏହି ମାସରେ ବଦଳିଯାଇଥାଏ ଭାଗ୍ୟ
16/08/2019 at 3:44 PM

ଭାଦ୍ରବ ମାସରେ ହଳଦିଆ ରଙ୍ଗର ଖାସ୍ ମହତ୍ତ୍ବ ରହିଥାଏ। ଏହି ରଙ୍ଗର ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ। ଏହା ଦ୍ବାରା ମନ ଏବଂ ଶରୀରର ସ୍ଥିତି ଉତ୍ତମ ରହିଥାଏ। ଭାଦ୍ରର ଅର୍ଥ କଲ୍ୟାଣ କରୁଥିବା ବ୍ୟକ୍ତି ଏବଂ ଭାଦ୍ରବର ଅର୍ଥ ଭଦ୍ର ପରିଣାମ ଦେଉ ଥିବା ବ୍ରତର ମାସ। ଏହି ମାସରେ ଲୋକେ ବ୍ରତ,ଉପବାସ,ନିୟମ ଏବଂ ନିଷ୍ଠା ପାଳନ କରିଥାଆନ୍ତି।

ସମସ୍ତ ପ୍ରକାର ଭୁଲକୁ ସ୍ମରଣ କରି ଏଗୁଡ଼ିକର ପ୍ରାୟଶ୍ଚିତ୍ତ କରିବା ପାଇଁ ଏହି ମାସ ସର୍ବୋତ୍କୃଷ୍ଟ ହୋଇଥାଏ। ମନକୁ ଶୁଦ୍ଧ କରିବା ଏବଂ ପବିତ୍ର ଭାବ ଭରିବା ପାଇଁ ଏହି ମାସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ମାସରେ ଭଗବାନ ଶ୍ରୀ ଗଣେଶଙ୍କ ବଡ଼ ପୂଜା ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏବଂ କଳଙ୍କ ଚତୁର୍ଥୀ ମଧ୍ୟ ଏହି ମାସରେ ପଡ଼ିଥାଏ। ଏଥର ଅଗଷ୍ଟ ୧୬ତାରିଖରୁ ସେପ୍ଟେମ୍ବର ୧୪ତାରିଖ ଯାଏଁ ଭାଦ୍ରବ ମାସ ରହିବ।

ଏହି ମାସରେ କଞ୍ଚା ଜିନିଷ ଖାଇବା ଅନୁଚିତ୍। ଦହି ଖାଇବା ପୂରାପୂରି ଛାଡ଼ିବା ଉଚିତ୍। ଏହି ମାସରେ ରକ୍ତଚାପ ବଢ଼ିବାର ସମ୍ଭାବନା ରହିଥାଏ। ଥଣ୍ଡା ଜଳରେ ଦିନକୁ ଦୁଇ ଥର ସ୍ନାନ କରିବା ଉଚିତ୍ ଯାହା ଦ୍ବାରା ଆଳସ୍ୟ ଦୂର ହୋଇଯିବ। ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଦଳ ଅର୍ପଣ କରିବା ଉଚିତ୍ ଏବଂ ତୁଳସୀ ଦଳକୁ ଚା’ କିମ୍ବା କ୍ଷୀରରେ ଫୁଟାଇ ପିଇବା ଉଚିତ୍।

ଏହି ମାସରେ ଭଗବାନ ଗଣେଶଙ୍କ ଚତୁର୍ଥୀ ଏବଂ ଗଣେଶ ପୂଜା ପାଳନ କରାଯାଇଥାଏ। ଏହି ମାସରେ ଶ୍ରୀକୃଷ୍ଣ,ବଳରାମ ଏବଂ ରାଧାଙ୍କ ଜନ୍ମଦିନ ମଧ୍ୟ ପଡ଼ିଥାଏ।