ବେଜିଂ ୩।୧୧: ଏବେ ଚୀନ୍ ହାଟବଜାର କୋଳାହଳମୟ ପରିସ୍ଥିତି। ଲୋକେ ଯିଏ ଯାହା ବାଟରେ ଅତ୍ୟାବଶକୀୟ ସାମଗ୍ରୀ ଘରକୁ କିଣି ନେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଯୋଗାଣ ଓ ଚାହିଦା ସନ୍ତୁଳନ ରଖିବା ସମ୍ଭବ ହେଉନି। ଏଣୁ ମୂଲ୍ୟବୃଦ୍ଧି ଦେଖା ଦେଇଛି। ଦରଦାମ ନିୟନ୍ତ୍ରଣ ଲାଗି ଅଧିକାରୀ ନାକେଦମ ହେବା ପରେ ଅର୍ଥମନ୍ତ୍ରାଳୟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ଜରୁରି ସମୟ ଲାଗି ଘରେ ଅତ୍ୟାବଶକୀୟ ସାମଗ୍ରୀ ସାଇତିବାକୁ କୁହାଯାଇଥିଲା ବୋଲି ମନ୍ତ୍ରାଳୟ ଘୋଷଣା କରିଛନ୍ତି।
ସେପଟେ ଦେଶରେ ପୁଣି କରୋନା ପ୍ରକୋପ ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ଘରେ ପୁଣି ଗରେ ରହିବାକୁ ପଡୁଛି। ତାଇୱାନ ସହ ଉତ୍ତେଜନା ବଢ଼ିବଢ଼ି ଚାଲିଛି। କୌଣସି ସମୟରେ ହୁଏତ ଯୁଦ୍ଧଲାଗିଯିବ ବୋଲି ଚୀନ୍ ଲୋକେ ଅନୁଭବ କରୁଛନ୍ତି। ଏଥିରେ ଦୀର୍ଘ ୨୨ ମାସ ହେଲା ରାଷ୍ଟ୍ରପତି ସି ଜିନପିଙ୍ଗ ସାର୍ବଜନିକ ଜୀବନରୁ ଦୂରେଇ ରହିବା ଦେଶରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଭିବୋରେ ଲୋକେ ନାନା ଆକଳନ କରୁଛନ୍ତି।
{"id":538069,"width":838,"height":718,"sizeSlug":"full","linkDestination":"none"}ସି ଜିନପିଙ୍ଗ ଗତ ୨୨ ମାସ ହେଲା ଦେଶରୁ ବାହରକୁ ଗସ୍ତ କରିନାହାନ୍ତି। କେବଳ ଭିଡିଓ ଲିଙ୍କ ମାଧ୍ୟମରେ ଜିନପିଙ୍ଗ ବୈଶ୍ୱିକ ସମ୍ମିଳନୀରେ ସଂଯୁକ୍ତ ହେଉଛନ୍ତି। ଏପରିକି ଗ୍ଲାସଗୋ ସିଓପି-୨୬ ଜଳବାୟୁ ସମ୍ମିଳନୀରେ ଭାରତୀୟ ନେତା ଯୋଗଦେଇଥିବା ବେଳେ ଜିନପିଙ୍ଗ ସେଠାକୁ ଯାଇ ନାହାନ୍ତି। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ଦେଶରେ ଲୋକେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ସି ଜିନପିଙ୍ଗ ଜି-୨୦ ସିଓପି-୨୬ ଭଳି ସମ୍ମିଳନୀକୁ ଟାଳିବା ତାଙ୍କ ଲାଗି ମସ୍ତବଡ଼ ଭୁଲ ହେବ ବୋଲି ବାଇଡେନ କହିଛନ୍ତି।
ତେବେ ନାଗରିକଙ୍କ ଚିନ୍ତା ଯେତିକି ରାଷ୍ଟ୍ରପତିଙ୍କ ପାଇଁନାହିଁ ତା ଠୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ମହଜୁଦ କରିବାରେ ଲାଗିଛନ୍ତି। କାରଣ ନାଗରିକଙ୍କୁ ଖାଦ୍ୟ ସାମଗ୍ରୀ ଘରେ ମହଜୁଦ ରଖିବାକୁ ସରକାର କହିଛନ୍ତି। ନାଗରିକ ଭାବୁଛନ୍ତି ହୁଏତ ତାଇୱାନ ସହ ଚୀନ୍ ଯୁଦ୍ଧକୁ ଯାଇପାରେ, ଏଥିଲାଗି ଏ ସବୁ କରାଯାଉଛି। ତେବେ କାରଣ ଯାହାବି ହେଉ ଦେଶରେ ଏବେ ଲୁଣ, ଚିନି, କିରୋସିନ ଲାଗି ଲମ୍ବାଧାଡି ଲାଗୁଛି। ତେବେ କରୋନା ଭାଇରସ ମହାମାରୀ ଓ ଅଦିନିଆ ବର୍ଷା ଲାଗି ସାମଗ୍ରୀ ମୂଲ୍ୟ ବୃଦ୍ଧି ଆଶଙ୍କାରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ଏଥିଲାଗି ସରକାର ଗଣମାଧ୍ୟମରେ ଲୋକଙ୍କ ଲାଗି ଘରେ ମହଜୁଦ କରିବାକୁଥିବା ସାମଗ୍ରୀର ସୂଚୀ ମଧ୍ୟ ଜାରି କରିଦେଇଛନ୍ତି।
ଏଥିରେ ଲୋକଙ୍କୁ ଘରେ ବିସ୍କୁଟ, ଶୀଘ୍ର ରୋଷେଇ ହୋଇପାରୁଥିବା ନୁଡୁଲସ୍, ଭିଟାମିନ ଟାବଲେଟ୍, ରେଡିଓ ଏବଂ ଚର୍ଚ୍ଚ ଲାଇଟ୍ ପାଖରେ ରଖିବାକୁ କୁହାଯାଇଛି। ଯାହା ଲୋକଙ୍କୁ ଅଧିକ ଆତଙ୍କିତ କରିଛି। ହେଲେ ସରକାର କାଳେ କରୋନା ପ୍ରକୋପ ବଢ଼ିଯିବ ଏଥିରେ ଅଚାନକ ଲକଡାଉନ ଜାରି କରିବାରେ ଯେପରି ଅସୁବିଧା ନ ହୁଏ ସେଥିଲାଗି ଲୋକଙ୍କୁ ଆଗୁଆ ସତର୍କ କରାଯାଇଥିବା କହିଛନ୍ତି। ସେହିପରି ସି ଜିନପିଙ୍ଗ ୨୨ ମାସ ହେଲା ଘରେ ଲୁଚି ରହିବାର କାରଣ ମଧ୍ୟ କରୋନା ଭାଇରସ ମହାମାରୀ ବୋଲି ସରକାରୀ ସ୍ରୋତ କହିଛି।