ଔଷଧ ଦୋକାନରେ ମିଳିବ କରୋନା ଭାକସିନ୍, ସରକାର ଦେବେ ସବସିଡି ! ବିଶେଷଜ୍ଞ ରଖିଲେ ମତ
25/12/2020 at 9:58 AM

ନୂଆଦିଲ୍ଲୀ,୨୫/୧୨: କରୋନା ଭାଇରସର ଭାକସିନ୍ ବହୁତ ଶୀଘ୍ର ଭାରତରେ ପ୍ରୟୋଗ ହେବ । ସରକାର ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ଭାକସିନକୁ ନେଇ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ତେବେ କିଛି ବିଶେଷଜ୍ଞ ଏହି ଭାକସିନ୍ ଔଷଧ ଦୋକାନରେ ମିଳିବ ବୋଲି କହୁଛନ୍ତି । ତେବେ ୨୦୨୧ର ଏପ୍ରିଲ ବେଳକୁ ଏହି ପ୍ରୟାସ ସଫଳ ହୋଇପାରେ । କାରଣ ଏହା ଟିକାର ଉପଲବ୍ଧତା ଉପରେ ନିର୍ଭର କରିଥାଏ ।
ଭାକସିନ ବାବଦରେ ନିଷ୍ପତ୍ତି ନେଉଥିବା ଜଣେ ବିଶେଷଜ୍ଞ ପରିଚୟ ପ୍ରକାଶ ନକରି କହିଛନ୍ତି ଯେ, ଏହା ଉପରେ ବିଚାର ବିମର୍ଷ ଜାରି ରହିଛି । ଯେଉଁମାନେ ସରକାରୀ ଯୋଜନା ବଦଳରେ ନିଜ ଅର୍ଥରେ ଟିକା କିଣିପାରିବେ ସେମାନଙ୍କ ପାଇଁ ଭାକସିନ୍ ଔଷଧ ଦୋକାନରେ ମିଳିବ । ଭାକସିନ୍ ଦାମରେ ସବସିଡି ମିଳିପାରିବ । ଏଥିପାଇଁ କିଛି ନିୟମ ରହିବ ।
ସେହିପରି ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ଏନଫ୍ଲୁଏଞ୍ଜା ଭାକସିନକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଥିଲା । ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ ଦୋକାନରୁ ଏହାକୁ କିଣିପାରିବେ ।
ସରକାର ପୂର୍ବରୁ କହିସାରିଛନ୍ତି ଯେ, ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ଯେଉଁମାନଙ୍କଠାରେ ଅଧିକ ବିପଦ ରହିଛି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ ।