Hypoxia କ’ଣ? ଦେଶରେ ଏଥିଯୋଗୁ ହେଉ ନାହିଁତ କରୋନା ମୃତ୍ୟୁ ?
3/09/2020 at 3:32 PM

ନୂଆଦିଲ୍ଲୀ ୩।୯: ଭାରତରେ କରୋନା ଭାଇରସ ସଂକ୍ରମଣ ବଢିବଢି ଚାଲିଛି। ଗତ ୨୪ ଘଣ୍ଟାରେ ୮୩ ହଜାରରୁ ବି ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣର ଏହା ବିଶ୍ୱ ରେକର୍ଡ ବୋଲି କୁହାଯାଉଛି। ତେବେ କୋଭିଡ-୧୯କୁ ନେଇ ଏବେ ଦେଶରେ ଯାହା ଚିନ୍ତାର କାରଣ ହେଲାଣି ତାହା ହେଉଛି ମୃତ୍ୟୁ। ସଂକ୍ରମଣ ହାର ସାଙ୍ଗକୁ ଏବେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଲାଣି।
ଦେଶର ପ୍ରମୁଖ ହସ୍ପିଟାଲ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) କୋଭିଡ-୧୯ ଯୋଗୁ ହେଉଥିବା ମୃତ୍ୟୁକୁ ଏବେ ଭିନ୍ନ ଦିଗରୁ ଯାଞ୍ଚ କରିବା ଆରମ୍ଭ କରିଥିବା ଦୈନିକ ସମ୍ବାଦପତ୍ର ନବଭାରତ ଟାଇମ୍ସକୁ ନାମ ଗୋପନ ରଖିବା ସର୍ତ୍ତରେ ଜନୈକ ଡାକ୍ତର କହିଛନ୍ତି। ଡାକ୍ତରମାନେ ଯେଉଁ ଦିଗପ୍ରତି ଏବେ ଧ୍ୟାନ ଦେଉଛନ୍ତି ତାହା ହେଉଛି ହାଇପୋକ୍ସିଆ ବା ହ୍ୟାପି ହାଇପୋକ୍ସିଆ ।
ଶରୀରର କୌଣସି ଏକ ବିଶେଷ ଅଙ୍ଗକୁ ପର୍ଯ୍ୟାପ୍ତ ଅକ୍ସିଜେନ ମିଳିନପାରିବାର ପରିସ୍ଥିତିକୁ ହ୍ୟାପି ହାଇପୋକ୍ସିଆ କୁହାଯାଏ। ତେବେ ଏ ନେଇ ଶାରୀରିକ ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଅଜ୍ଞ ଥାନ୍ତି। ହେଲେ ଯେତେବେଳେକୁ ଜାଣନ୍ତି ସେତେବେଳେକୁ ହାତରେ ଆଉ ସମୟ ନଥାଏ। ଏଣୁ ହୁଏତ ରୋଗୀଙ୍କର ମୃତ୍ୟୁ ହେଉଥିବା ଡାକ୍ତର ଆଶଙ୍କା କରୁଛନ୍ତି। ଏହା ଛଡା ଡାକ୍ତରମାନେ କୋଭିଡ ମୃତ୍ୟୁର ଆଉ ଗୋଟିଏ ଦିଗକୁ ମଧ୍ୟ ସନ୍ଦେହ କରୁଛନ୍ତି। ତାହା ହେଉଛି ହୃଦ ସମ୍ପର୍କିତ ଜଟିଳତା ପଲ୍ମୋନାରୀ ଥ୍ରୋମ୍ବୋମ୍ବୋଲିଜିମ। ଏଥିରେ ହୁଏତ ବ୍ଲଡ କ୍ଲୋଟ କରିଯିବା ଯୋଗୁ ଫୁସଫୁସ୍ ଧମନୀରେ ଅଚାନକ ବାଧା ସୃଷ୍ଟି ଯୋଗୁ ରୋଗୀଙ୍କର ମୃତ୍ୟୁ ହେଉଥିବାର ଆଶଙ୍କା କରାଯାଉଛି।
ଏଣୁ କରୋନା ସଂକ୍ରମିତ ହେବା ପରେ ଆକ୍ରାନ୍ତଙ୍କୁ ଲଗାତାର ତାଙ୍କ ନିଶ୍ୱାସପ୍ରଶ୍ୱାସ ସ୍ତରର ଯାଞ୍ଚ କରିବା ଜରୁରି। ଏଥିରେ ଯଦି କୌଣସି ଆକ୍ରାନ୍ତ ପୂର୍ବରୁ ଫୁସଫୁସ୍ ଅଥବା ହୃଦ ସମ୍ବଦ୍ଧୀୟ ସମସ୍ୟା ରହିଛି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରଖାଯିବା ଦରକାର। ସେହିପରି ରୋଗୀ ବିନା ଅନୁମତିରେ ଚଳପ୍ରଚଳ କରିବା ଉଚିତ ନୁହେଁ ବୋଲି ଡାକ୍ତର କହିଥିବା ବେଳେ ଏପରି ରୋଗୀଙ୍କ ଉପରେ ଲଗାତାର ନଜର ରଖାଯିବା ଦରକାର ବୋଲି କହିଛନ୍ତି।