କେନ୍ ଓ୍ୱିଲିୟମସନ ଦଳକୁ ଫେରିବା ପରେ କ'ଣ କହିଲେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଓ୍ୱାର୍ଣ୍ଣର ?

Published By : Prameya-News7 Bureau | September 30, 2020 IST

ଦୁବାଇ, ୩୦ ।୦୯:  ଆଇପିଏଲର ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ଲଗାତର ଦୁଇଟି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି । ସେପ୍ଟେମ୍ବର ୨୯ରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ୧୫ ରନ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି । ଏହି ମ୍ୟାଚରେ କେନ୍ ଓ୍ୱିଲିୟମସନ୍ ଦଳକୁ ଫେରିଥିଲେ । ଓ୍ୱିଲିୟମସନ୍‌ ଆସିବା ପରେ ଏବେ ଦଳର ମିଡିଲ ଅର୍ଡର ଅଧିକ ମଜବୁତ ହେବ ବୋଲି କହିଛନ୍ତି ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ।

ଓ୍ୱାର୍ଣ୍ଣର କହିଛନ୍ତି ଯେ, ବ୍ୟାଟସମ୍ୟାନ୍ ଜନି ବେୟରେଷ୍ଟୋଙ୍କ ଅର୍ଧଶତକ, କେନ୍ ଓ୍ୱିଲିୟମସନଙ୍କ ୨୬ ବଲ୍‌ରୁ ୪୧ ରନ୍ ଓ ରଶିଦ ଖାନଙ୍କ ବୋଲିଂ ହାଇଦ୍ରାବାଦକୁ ବିଜୟ ଦେଇଛି । ଦଳ ୧୭୦-୧୮୦ ରନ କରିବା ଲକ୍ଷ୍ୟରେ ଥିଲା । କେହିକେହି ମିଡିଲ ଅର୍ଡର ଶକ୍ତିଶାଳୀ ନଥିବା କହିଥିଲେ । କିନ୍ତୁ ଦିଲ୍ଲୀ ବିପକ୍ଷରେ ସମସ୍ତ ଖେଳାଳି ଏକତା ପ୍ରଦର୍ଶନ କରିଥିଲେ । ଦଳ ସମସ୍ତ ବିଭାଗରେ ଭଲ କରିଥିଲା ।

ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ମହମ୍ମଦ ନବୀଙ୍କ ସ୍ଥାନରେ କେନଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ଆଫଗାନିସ୍ତାନର ଅଲରାଉଣ୍ଡରକୁ ସୁଯୋଗ ମିଳିବ ବୋଲି ଓ୍ୱାର୍ଣ୍ଣର ଆଶ୍ୱାସନା ଦେଇଛନ୍ତି । ବେୟରୋଷ୍ଟୋଙ୍କ ସହ ପ୍ରଥମ ଓ୍ୱିକେଟରେ ୭୭ ରନ୍‌ର ପାର୍ଟନରସିପ୍ କରିଥିବା ଓ୍ୱାର୍ଣ୍ଣର କହିଛନ୍ତି ଯେ.ଆଗାମୀ ମ୍ୟାଚରେ ନବୀଙ୍କୁ ସୁଯୋଗ ମିଳିପାରେ । ଲେଗ୍ ସ୍ପିନର ରଶିଦ ଖାନ ୧୪ ରନ୍ ଦେଇ ତିନୋଟି ଓ୍ୱିକେଟ୍ ନେଇଥିଲେ । ଭୁବନେଶ୍ୱର କୁମାର ଦୁଇଟି ଓ ଟି ନନରାଜନ୍ ଏବଂ ଖଲୀଲ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ତେଣୁ ସନରାଇଜର୍ସ ଦିଲ୍ଲୀକୁ ୧୪୭ ରନରେ ଅଟକାଇଥିଲା । ରଶିଦ ଖାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.