ଦେଶରେ ଟିକାକରଣକୁ ନେଇ ବିଭିନ୍ନ ଭୁଲ ଧାରଣା ଓ ଗୁଜବକୁ ଖଣ୍ଡନ କଲେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଅଧ୍ୟକ୍ଷ, ପ୍ରତ୍ୟେକ ପ୍ରସଙ୍ଗରେ ରଖିଲେ ଜବାବ

Published By : Prameya-News7 Bureau | May 27, 2021 IST

ଭୁବନେଶ୍ବର ୨୭/୬: ଭାରତରେ କରୋନା ଦ୍ବିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି। ଏବେ ଧିରେଧି​‌ରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଥିବା ବେଳେ ତୃତୀୟ ଲହରକୁ ନେଇ ଆଶା ଓ ଆଶଙ୍କା ମଧ୍ୟ ବୃଦ୍ଧିପାଇଛି। କିନ୍ତୁ ଏସବୁ ପରେ ଦେଶରେ ଟିକାରକଣକୁ ସରକାର ଜୋର ଦେଉଛନ୍ତି। କାରଣ କରୋନା ଯୁଦ୍ଧରେ ଜିତିବାକୁ ହେଲେ ଟିକାକରଣ ଏକ ବଡ଼ ଅସ୍ତ୍ର ବୋଲି କୁହାଯାଉଛି । କେବଳ ୧୩୦ ଦିନରେ ଦେଶରେ ୨୦ କୋଟିରୁ ଅଧିକ ଟିକା ଡୋଜ୍‌ ଦିଆଯାଇଛି। ଟିକାକରଣ ପ୍ରକ୍ରିୟାକୁ ବଳ ଦେବା ସହ ଟିକା ଉପଲବ୍ଧତା ବଢ଼ାଇବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୁରୁବାର ଭାରତରେ ଟ୍ରାଏଲ ବିନା ବିଦେଶୀ ଟିକାକୁ ମଞ୍ଜୁରୀ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ଦ୍ବାରା ଦେଶରେ ଟିକାର ପରିମାଣ ଏବଂ ଆମଦାନୀ କ୍ଷମତା ବୃଦ୍ଧି ହେବ। ଏପରି ସ୍ଥଳେ କିଛି ସଂସ୍ଥା ବା ବ୍ୟକ୍ତି ବିଶେଷ ଟିକାକରଣକୁ ନେଇ ମିଥ୍ୟା ଏବଂ ଅର୍ଦ୍ଧ ସତ୍ୟ ତଥ୍ୟ ଦେଇ ଭ୍ରମ ସୃଷ୍ଟି କରିଛନ୍ତି। ତେବେ ଏହି ସବୁ ଭ୍ରମ ଉପରୁ ପରଦା ଉଠାଇଛନ୍ତି ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଏବଂ କୋଭିଡ୍‌-୧୯ ପାଇଁ ଟିକାକରଣ ଉପରେ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡ. ବି​‌ନୋଦ ପଲ୍‌। ଏହି ଭଳି ସେ ୭ ଟି ମିଥ୍ୟାର ଖୁଲାସା କରିବା ସହ ଏହାର ଉତ୍ତର ରଖିଛନ୍ତି।

{"id":444054,"width":696,"height":522,"sizeSlug":"large","linkDestination":"none"}
timesofindia

୧. କେହି କେହି ଅଭିଯୋଗ କରୁଛନ୍ତି ବିଦେଶରୁ ଟିକା କ୍ରୟ ନିମନ୍ତେ କେନ୍ଦ୍ର ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହା ଉପରେ ଜବାବ ଦେଇ ଡ. ପଲ୍‌ କହିଛନ୍ତି କେନ୍ଦ୍ର ସରକାର ୨୦୨୦ରୁ ବିଭିନ୍ନ ବିଦେଶୀ ଟିକା ନିର୍ମାତା କମ୍ପାନୀଙ୍କ ସହ ଆଲୋଚନ କରରୁଛନ୍ତି। ଟିକା କିଣିବା ‘ଅଫ ଦି ସେଲ୍ଫ’ ସାମଗ୍ରୀ କିଣିବା ଭଳି ସହଜ ନୁହେଁ। ବିଶ୍ବସ୍ତରରେ ଟିକା ଯୋଗାଣ ପରିମାଣ ସୀମିତ ଏବଂ ସୀମିତ ଷ୍ଟକ୍‌ ଆବଣ୍ଟନ ପାଇଁ କମ୍ପନୀଗୁଡ଼ିକର କିଛି ପ୍ରାଥମିକତା, ଯୋଜନା ଏବଂ ବାଧ୍ୟବାଧକତା ରହିଛି। ସେମାନେ ନିଜ ଦେଶକୁ ଅଧିକ ପ୍ରାଥମିକତା ଦେଇଥାନ୍ତି। ଭାରତ ସରକାରଙ୍କ ପ୍ରଚେଷ୍ଟା ପାଇଁ ସପୁଟନିକ-ଭି ଟିକାର ପରୀକ୍ଷଣ ଏବଂ ତୁରନ୍ତ ମଞ୍ଚୁରୀ ସମ୍ଭବ ହୋଇଛି। ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରେ ଟିକା ଉତ୍ପାଦନ ପାଇଁ ଭାରତ ସରକାର ଆମନ୍ତ୍ରଣ କରିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି।

୨. ବିଶ୍ବସ୍ତରରେ ଉପଲବ୍ଧ ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇନାହାନ୍ତି ବୋଲି ମଧ୍ୟ କେତେକଙ୍କ ମନରେ ଭ୍ରମ ଧାରଣା ରହିଛି। ଏହା ଉପରୁ ପରାଦା ଉଠାଇ ସେ କହିଛନ୍ତି, ୟୁଏସ୍‌ ଏଫଡିଏ, ଇଏମଏ, ବ୍ରିଟେନର ଏମଏଚଆରଏ ଏବଂ ଜାପାନର ପିଏମଡିଏ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଜରୁରିକାଳୀନ ଅନୁମତି ପ୍ରାପ୍ତ ଟିକାକୁ ଭାରତରେ ପ୍ରବେଶ ପାଇଁ ଏପ୍ରିଲ୍‌ରେ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି। ଏବେ ପ୍ରମାଣ ସିଦ୍ଧ ବଦେଶୀ ଟିକାର ଭାରତରେ ଟ୍ରାଏଲ ଅନିବାର୍ଯ୍ୟତାକୁ କେନ୍ଦ୍ର ସରକାର କୋହଳ କରିଥିବା ବେଳେ ଏହି ସବୁ ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏବେ ଡିଜିସିଆଇଙ୍କ ନିକଟରେ କୌଣସି ବିଦେଶୀ ଟିକା ନିର୍ମାତାଙ୍କ ମଞ୍ଜୁରୀ ଆବେଦନ ପଡ଼ିରିହି ନାହିଁ ବୋଲି ସେ କହିଛନ୍ତି।

{"id":451057,"width":707,"height":398,"sizeSlug":"large","linkDestination":"none"}
Hindustan Times

୩.  ଘରୋଇ ଟିକା ଉତ୍ପାଦନ ବୃଦ୍ଧି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ନେଉ ନାହାନ୍ତି ବୋଲି କିଛି ଖଳ ପ୍ରକୃତିର ଲୋକ ଭ୍ରମ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ମଧ୍ୟ ଡ. ପଲ କହିଛନ୍ତି। ଅଧିକରୁ ଅଧିକ ଭାରତୀୟ କମ୍ପାନୀକୁ ଟିକା ଉତ୍ପାଦନ ପାଇଁ ଭାରତ ସରକାର ପ୍ରୋତ୍ସାହିତ କରୁଛନ୍ତି। ଭାରତ ବାୟୋଟେକ ପାଖରେ ଆଇପି ରହିଛି। ଭାରତ ସରକାର ନିଜସ୍ବ ପ୍ଲାଣ୍ଟ ସଂଖ୍ୟା ୧ରୁ ୪ କୁ ବୃଦ୍ଧି କରିବା ବ୍ୟତୀତ ଅନ୍ୟ ୩ଟି ପ୍ଲାଣ୍ଟରେ କୋଭାକ୍ସିନ ଉତ୍ପାଦନ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେପଟେ ସରକାରଙ୍କ ପାଖରୁ ପ୍ରୋତ୍ସାହନ ପାଇ ସିରମ ଇନଷ୍ଟିଚ୍ୟୁଟ୍‌ ନିଜର ମାସିକ ଉତ୍ପାଦନ ୧୧ କୋଟି ଡୋଜ୍‌କୁ ବଢ଼ାଇବାକୁ ପ୍ରସ୍ତୁତ ହେଉଛି। ଡ. ରେଡ୍ଡୀ ସମେତ ଅନ୍ୟ ୬ କମ୍ପାନୀ ଭାରତରେ ସ୍ପୁଟନିକ୍‌ ଭି ଟିକା ଉତ୍ପାଦନ କରିବାକୁ ଯାଉଛନ୍ତି। ସରକାରଙ୍କ ଏଭଳି ପ୍ରୟାସ ଫଳରେ ଭାରତରେ ଚଳିତବର୍ଷ ଶେଷ ସୁଦ୍ଧା ୨୦୦ କୋଟିରୁ ଅଧିକ ଟିକା ଡୋଜ୍‌ ଉତ୍ପାଦନ ହୋଇପାରିବ ବୋଲି ଆକଳନ କରାଯାଉଥିବା ସେ କହିଛନ୍ତି।

୪.  କିଛି ବ୍ୟକ୍ତି କହୁଛନ୍ତି କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ କରନ୍ତୁ। ଏହାକୁ ଏକ ଭ୍ରମ ବୋଲି ବିବେଚନା କରି ଡାକ୍ତର ପଲ୍‌ କହିଛନ୍ତି, ଏହା ଏକ ପ୍ରାସଙ୍ଗିକ ଫର୍ମୁଲା ନୁହେଁ। ଏଥିପାଇଁ ମାନବ ସମ୍ବଳର ପ୍ରଶିକ୍ଷଣ, କଞ୍ଚାମାଲର ଯୋଗାଣ ଏବଂ ଉଚ୍ଚସ୍ତରୀୟ ବାୟୋ ସେଫ୍ଟି ପରୀକ୍ଷାଗାରର ଆବଶ୍ୟକତା ରହିଛି। ତଥାପି ଏ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । କୋଭାକ୍ସିନ ଉତ୍ପାଦନ ପାଇଁ ଭାରତ ବାୟୋଟେକ୍‌ ଏବଂ ଅନ୍ୟ ୩ଟି କମ୍ପାନୀ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଛି। ସ୍ପୁଟନିକ୍‌ ଭି ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଅନୁସରଣ ପାଇଁ ଯୋଜନା ଚାଲିଥିବା ନେଇ ସେ କହିଛନ୍ତି। ଯଦି ଟିକା ପ୍ରସ୍ତୁତି ଏତେ ସହଜ ତେବେ ବିଶ୍ବରେ ଟିକାର ଅଭାବ କାହିଁକି ଦେଖାଯାଉଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି।

୫.  ସତରେ କଣ ରାଜ୍ୟ ଉପରେ ଦାୟିତ୍ବ ଛାଡ଼ି କେନ୍ଦ୍ର ହାଲକା ହେଉଛି ? ଏହାର ଜବାବରେ ଡ. ପଲ୍‌ କହିଛନ୍ତି,  ଲୋକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର କିଣୁଥିବା ଟିକା ରାଜ୍ୟକୁ ଯୋଗାଉଛି। ଟିକା ଉତ୍ପାଦନକାରୀଙ୍କୁ ପାଣ୍ଠି ଯୋଗାଣ ଠାରୁ ତୁରନ୍ତ ମଞ୍ଜୁରୀ ଦେବା ପର୍ଯ୍ୟନ୍ତ ସମସ୍ତ ଗୁରୁଦାୟିତ୍ବ ନିର୍ବାହ କରୁଛନ୍ତି କେନ୍ଦ୍ର ସରକାର।

{"id":452334,"width":740,"height":371,"sizeSlug":"large","linkDestination":"none"}

୬. ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ଉଚିତ ପରିମାଣରେ ଟିକା ଦେଉନାହାନ୍ତି ଅଭିଯୋଗ ଉପରେ ସେ କହିଛନ୍ତି, ଏକ ସ୍ବଚ୍ଛ ପ୍ରକ୍ରିୟାରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦିଆଯାଉଛି। ଟିକା ଉପଲବ୍ଧତା ସମ୍ପର୍କରେ ରାଜ୍ୟଗୁଡ଼ିକୁ ଆଗୁଆ ସୂଚନା ଦିଆଯାଉଛି। ଅଣ ସରକାରୀ ମାଧ୍ୟମରେ ରାଜ୍ୟଗୁଡ଼ିକୁ ୨୫ ପ୍ରତିଶତ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକୁ ୨୫% ଟିକା ଯୋଗାଯାଉଛି। ୨୫ ପ୍ରତିଶତ ଟିକାରେ ଟିକାକରଣ ପ୍ରକ୍ରିୟାରେ ଦେଖାଦେଉଥିବା ବାଧାକୁ ରାଜ୍ୟଗୁଡ଼ିକ ଅତିରଞ୍ଜିତ କରି ଦେଖାଉେଛନ୍ତି ବୋଲି ଡ. ପଲ୍‌ କହିଛନ୍ତି।

୭. ଶିଶୁଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉନାହାନ୍ତି ? ଏଭଳି ଏକ ଭ୍ରମ ଧାରଣା ଉପରୁ ପରାଦା ଉଠାଇ ଡ. ପଲ୍‌ କହିଛନ୍ତି,  ଏବେ ଯାଏ କୌଣସି ଦେଶ ପିଲାମାନଙ୍କୁ ଟିକା ଦେଇନାହାନ୍ତି। ଏହା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପିଲାମାନଙ୍କୁ ଟିକାକରଣ ପାଇଁ ସୁପାରିସ କରାଯାଇନାହିଁ। ପିଲାମାନଙ୍କ ଠାରେ ଟିକାର ସୁରକ୍ଷା ଉପରେ ଗବେଷଣା ଚାଲିଛି ଏବଂ ଏହା ଉତ୍ସାହଜନକ ରହିଛି। ଭାରତରେ ଖୁବଶୀଘ୍ର ପିଲାମାନଙ୍କ ଉପରେ ଟିକାର ପରୀକ୍ଷଣ ହେବାକୁ ଯାଉଛି ବୋଲି ଡ. ବିନୋଦ ପଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.