ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର: ଜିନିଷପତ୍ର ହଜିଲେ ଏବେ ଚିନ୍ତା କରିବା ଆବଶ୍ୟକ ନାହିଁ, କାରଣ…

Published By : Prameya-News7 Bureau | January 12, 2022 IST

ନୂଆଦିଲ୍ଲୀ ୧୨/୦୧: ଅନେକ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜିନିଷ ପତ୍ର ହଜି ଯାଉଥିବା ଅଭିଯୋଗ ଆସିଥାଏ । ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଭୁଲରେ ଟ୍ରେନ୍‌ ମଧ୍ୟରେ ରହିଯାଇଥାଏ । ତେବେ ବର୍ତ୍ତମାନ ଯାତ୍ରା କରୁଥିବା ସମୟରେ ଆପଣଙ୍କ ଜିନିଷପତ୍ରର ସୁରକ୍ଷା ନେଇ ଚିନ୍ତାକରିବା​‌ ଆବଶ୍ୟକ ନାହିଁ । କାରଣ ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ରେଲଓ୍ବେ ପ୍ରୋଟେକ୍ସନ୍‌ ଫୋର୍ସ (RPF) ସହଭାଗିତାରେ ଆରମ୍ଭ ହୋଇଛି ‘ମିଶନ୍‌ ଅମାନତ୍‌’ ।

ଏହି ଯୋଜନାର ଶୁଭାରମ୍ଭ ଫଳରେ ଏଣିକି ଯାତ୍ରୀମାନେ ନିଜର ହଜିଯାଇଥିବା ଜିନିଷ ପତ୍ରକୁ ଅତି ସହଜରେ ଟ୍ରାକ୍‌ କରିପାରିବେ । ଅର୍ଥାତ ଯାତ୍ରିମାନେ ଯାତ୍ରା କରିବା ସମୟରେ ସେମାନଙ୍କର ସୁରକ୍ଷା ସହିତ ସିକ୍ୟୁରିଟି ମଧ୍ୟ ସୁନିଶ୍ଚିତ କରାଯାଇଛି । ପଶ୍ଚିମାଞ୍ଚଳ ରେଳ ବିଭାଗ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ‘ଯାତ୍ରୀମାନଙ୍କୁ ଏଣିକି ହଜିଯାଇଥିବା ଜିନିଷ ଫେରି ପାଇବା ପାଇଁ ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ଏକ ସ୍ବତନ୍ତ୍ର ମିଶନ ଆରମ୍ଭ କରାଯାଇଛି । ଯାହାର ନାଁ ରଖାଯାଇଛି ମିଶନ ଅମାନତ୍‌ । ଏହା ଦ୍ବାରା ହଜିଯାଇଥିବା ଜିନିଷପତ୍ର ଫଟୋ ପଶ୍ଚିମାଞ୍ଚଳ ରେଲଓ୍ବେ ଓ୍ବେବ୍‌ ସାଇଟ୍‌ରେ ଉପଲବ୍ଧ ହେବ । ଯାହାଫଳରେ ଯାତ୍ରୀମାନେ ଆର୍‌ପିଏଫ୍‌ ଓ୍ବେବ୍‌ସାଇଟ୍‌ http://wr.indianrailways.gov.in କୁ ଯାଇ ହଜିଥିବା ଜିନିଷ ପତ୍ର ବାବଦରେ ସୂଚନା ପାଇପାରିବେ’ ।

ଓ୍ବେଷ୍ଟର୍ଣ୍ଣ ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୨୧ ମସିହାରେ ପଶ୍ଚିମାଞ୍ଚଳ ରେଲଓ୍ବେ ଜୋନ୍‌ର ରେଳ ସୁରକ୍ଷା ବଳ ଦ୍ବାରା ମୋଟ ୧୩୧୭ଜଣ ଯାତ୍ରୀଙ୍କର ପ୍ରାୟ ୨.୫୮ କୋଟି ଟଙ୍କା ମୂଲ୍ୟର ଜିନିଷପତ୍ର ଜବତ କରିଥିଲା । ପରେ ସେଗୁଡିକୁ ଯାଞ୍ଚକରି ଅସଲି ମାଲିକଙ୍କୁ ଫେରସ୍ତ କରାଯାଇଥିଲା । ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ଏହି ସେବା ପାଇଁ ରେଳ ବିଭାଗ ୨୪ ଘଣ୍ଟା କାମ କରୁଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.