'ତୃତୀୟ ବିଶ୍ଵ ଯୁଦ୍ଧ ହେଲେ ଜିତି ପାରିବ ନାହିଁ ପାଶ୍ଚାତ୍ୟ ଦେଶ', ବ୍ରିଟେନ୍-ଆମେରିକାକୁ ଚେତାବନୀ ଦେଲେ ଭ୍ଲାଦିମିର ପୁଟିନ୍

Published By : Prameya-News7 Bureau | June 30, 2021 IST

ମସ୍କୋ ୩୦।୦୬: କଳା ସାଗର(ବ୍ଲାକ ସି)ରେ ଆମେରିକା-ବ୍ରିଟେନ୍ ସହ ରୁଷର ଉତ୍ତେଜନା ଗତ ସପ୍ତାହରୁ ବଢିବାରେ ଲାଗିଛି। ଏପରିକି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅନୁଯାୟୀ, ଏଠାରେ ବିବାଦ ବଢିଲେ ମଧ୍ୟ ତୃତୀୟ ବିଶ୍ଵ ଯୁଦ୍ଧ ହେବ ନାହିଁ। ଏହା ଏଥିପାଇଁ କାରଣ ପାଶ୍ଚାତ୍ୟ ଦେଶଗୁଡିକୁ ଏହା ଜଣା ଯେ, ବିଶ୍ଵ ଯୁଦ୍ଧ ହେଲେ ସେମାନେ ଜିତି ପାରିବେ ନାହିଁ। ଏହା ପୂର୍ବରୁ ମସ୍କୋ ଦାବି କରିଥିଲା ଯେ, ଏହାର ଲଢୁଆ ବିମାନ ଜୁନ ୨୩ରେ ବ୍ରିଟେନର ବିଧ୍ଵଂସକ ପୋତ ଡିଫେଣ୍ଡର ରାସ୍ତାରେ ବୋମା ମାଡ କରିଥିଲା। କିନ୍ତୁ ବ୍ରିଟେନ ଏପରି କିଛି ଘଟଣାକୁ ଅସ୍ଵୀକାର କରିଛି। ବ୍ରିଟେନ୍ କହିଛି ଯେ, ମାନ୍ୟତାପ୍ରାପ୍ତ ଜଳପଥରେ ତାର ଯୁଦ୍ଧଜାହାଜ ଯାତ୍ରା କରୁଥିଲା।

ଜିତି ପାରିବ ନାହିଁ ପାଶ୍ଚାତ୍ୟ ଦେଶ

ପୁଟିନ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ଏହି ଘଟଣାରେ ତୃତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ହୋଇପାରେ କି ? ପୁଟିନ କହିଛନ୍ତି, ଯଦି ରୁଷ ବ୍ରିଟେନର ଯୁଦ୍ଧପୋତକୁ ମାରି ବୁଡାଇ ଦିଏ ତେବେ ମଧ୍ୟ ବିଶ୍ଵ ଯୁଦ୍ଧ ହେବ ନାହିଁ। କାରଣ ପାଶ୍ଚାତ୍ୟ ଦେଶଗୁଡିକୁ ଜଣା ଯେ, ବୈଶ୍ଵିକ ଲଢେଇରେ ସେମାନେ ଜିତି ପାରିବେ ନାହିଁ।

ଅନ୍ୟପଟେ ବ୍ରିଟେନ୍ ଗତ ବୁଧବାର ଘଟିଥିବା ଘଟଣା ବିଷୟରେ କହିଛି ଯେ, ତାର ଯୁଦ୍ଧପୋତ ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ରାସ୍ତାରେ ନିୟମିତ ଯାତ୍ରାରେ ଥିଲା। ଜାହାଜ କ୍ରିମିୟା ନିକଟସ୍ଥ ୟୁକ୍ରେନ ଜଳ ସୀମାରେ ଥିଲା।  ଦୁନିଆର ଅଧିକାଂଶ ଦେଶଙ୍କ ପରି ବ୍ରିଟେନ୍ ମଧ୍ୟ କ୍ରିମିୟାକୁ ୟୁକ୍ରେନର ଅଂଶ ମାନୁଥିବା ବେଳେ ରୁଷ ଏହି ଉପଦ୍ଵୀପକୁ ଭିନ୍ନ ଦେଶ ଦୃଷ୍ଟିରେ ଦେଖେ। ସେଠାରେ ବ୍ରିଟେନର ଗତିବିଧିକୁ ରୁଷ ସହି ପାରେ ନାହିଁ।

ଚେତାବନୀ ଦେଲା ରୁଷ

ରୁଷ ବ୍ରିଟେନ୍ ଯୁଦ୍ଧପୋତ ଡିଫେଣ୍ଡରର ଏହି ପଦକ୍ଷେପକୁ ନିନ୍ଦା କରି ଏହା ଉସୁକାଇବା କାମ ଦର୍ଶାଇଛି। ରୁଷ ଚେତାବନୀ ଦେଇଛି ଯେ, ପରବର୍ତ୍ତୀ ସମୟରେ ଯଦି ରୁଷ ସେନାର ଧୈର୍ଯ୍ୟ ପରୀକ୍ଷା କରିବାକୁ ଉଦ୍ୟମ କରାଯାଏ ତେବେ ଯୁଦ୍ଧପୋତକୁ ଟାର୍ଗେଟ୍ କରାଯିବ। ବ୍ରିଟେନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ ବୋଲି ରୁଷ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.