Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଉପରେ ଆକ୍ସନ ନେଇ ପ୍ରସ୍ତୁତ ହେଉଛି କେନ୍ଦ୍ର, ମମତା କହିଲେ…

31/05/2021 at 5:26 PM

ନୂଆଦିଲ୍ଲୀ ୩୧/୦୫: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ  ଟଣାଓଟରା ଥମିବାର ନାଁ ନେଉନାହିଁ। ଆଉ କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡିଛନ୍ତି ପ୍ରଶାସନିକ ଅଧିକାରୀ । ଏହି କ୍ରମରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଶୁକ୍ରବାର ଦିଲ୍ଲୀ ବଦଳି ଆଦେଶ ଦେଇଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ଆଦେଶକୁ ବିରୋଧ କରିଛନ୍ତି । ଏହି ଚିଠିରେ ସେ ଏପରି ଆଦେଶକୁ ଅସାମ୍ୱିଧାନିକ ଦର୍ଶାଇଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ୨୮ ମେ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକତରଫା ଆଦେଶରେ ମୁଁ ସମ୍ପୂର୍ଣ୍ଣ ଚକିତ ଏବଂ ମତେ ଏକ ପ୍ରକାର ଝଟ୍‌କା ଲାଗିଛି ।    

ତେବେ କାର୍ମିକ ମନ୍ତ୍ରଣାଳୟ, ଲୋକ ଅଭିଯୋଗ ଓ ପେନସନ ବିଭାଗ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମେ ୩୧ରେ ନୂଆଦିଲ୍ଲୀ ଅଫିସ୍‌ରେ ହାଜର ହେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସେ ଏନେଇ ଦିଲ୍ଲୀ ଅଫିସ୍‌ରେ ରିପୋର୍ଟ କରିନାହାନ୍ତି । ଯାହାକୁ ନେଇ ତାଙ୍କ ଉପରେ ଅନୁଶାସନାତ୍ମକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଅଲପନ ବନ୍ଦୋପାଧ୍ୟାୟଙ୍କୁ ନୂଆଦିଲ୍ଲୀରେ ନୂତନ ଦାୟିତ୍ଵ ଦିଆଯିବ । କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ବନ୍ଦୋପାଧ୍ୟାୟଙ୍କୁ ଶୀଘ୍ର ଦାୟିତ୍ଵରୁ ମୁକ୍ତ କରିବାକୁ ପୂର୍ବରୁ ଅନୁରୋଧ କରିଥିଲେ ।

ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ଠିକ୍ ସେହି ସମୟରେ ଡକାଯାଇଛି, ଯେତେବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ  ଡକାଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ତାଙ୍କ ସହ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ଥିଲେ । ସେପଟେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଅଧ ଘଣ୍ଟା ବିଳମ୍ବରେ ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଅଲପନ ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଚଳିତ ମାସରେ ସରୁଥିଲା। ହେଲେ କିଛି ଦିନ ପୂର୍ବେ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତର ଭାବେ ପରିଚିତ।

ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ ଅଫିସର । ସେ ହାଓ୍ଵଡା ସମେତ ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନାଙ୍କ ଅବସର ପରେ ମୁଖ୍ୟ ସଚିବ ପଦରେ ନିଯୁକ୍ତ ଦିଆଯାଇଥିଲା।

   Related Posts