ସଙ୍କଟରେ ଡିଫେଣ୍ଡିଂ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ ଓ ବାଂଲାଦେଶ, ହାରିବା ଦଳ ସେମି ଫାଇନାଲ ଦୌଡରୁ ପଡିବ ବାଦ୍

Published By : Prameya-News7 Bureau | October 28, 2021 IST

ସାରଜା ୨୮।୧୦: କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ ସେମି ଫାଇନାଲ୍‌ ରାସ୍ତା ମୁସ୍କିଲ ହୋଇ ପଡିଛି। ସେହି ପରି ବାଂଲାଦେଶ ମଧ୍ୟ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏହି ଦୁଇ ପରାଜିତ ଦଳ ଶୁକ୍ରବାର ସାରଜାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଜିତିବା ଦଳର ସେମି ଫାଇନାଲ ଆଶା ବଜାୟ ରହିବ ଏବଂ ପରାଜିତ ଦଳ ସେମି ଫାଇନାଲ୍ ଦୌଡରୁ ବାଦ୍ ପଡିବ। ଓ୍ଵେଷ୍ଟଇଣ୍ଡିଜ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିବା ବେଳେ ବାଂଲାଦେଶ ଇଂଲଣ୍ଡ ଏବଂ ଶ୍ରୀଲଙ୍କାଠୁ ପରାଜୟର ସାମ୍ନା କରିବାକୁ ପଡିଛି। ଏମିତିରେ ସେମି ଫାଇନାଲ ଆଶା ଉଜ୍ଜିବୀତ ରଖିବାକୁ  ହେଲେ ଦୁଇ ଦଳକୁ ଏହି ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି।

ଓ୍ଵେଷ୍ଟଇଣ୍ଡିକୁ ନିଜର ବ୍ୟାଟିଂ ଦୁର୍ବଳତା ଦୂର କରିବାର ଆବଶ୍ୟକତା ରହିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଥିଲା। ଦୁଇ ଥରର ବିଶ୍ଵ କପ୍ ବିଜେତା ଦ୍ଵିତୀୟ ମ୍ୟାଚ୍‌ରେ ନିଜ ଖେଳରେ କିଛିଟା ପରିବର୍ତ୍ତନ କରିଥିଲା। ଦଳ ଲେଣ୍ଡନ ସିମନ୍ସଙ୍କୁ ଇନିଂସ ଆରମ୍ଭ କରିବାର ଦାୟିତ୍ଵ ଦେଇଥିଲା। ହେଲେ ସେ ୩୫ ବଲ୍‌ରୁ ୧୬ ରନ କରିବା ଦଳକୁ  ଭାରି ପଡିଥିଲା। ଏହି କାରଣରୁ ଏଭିନ ଲୁଇସ୍‌ଙ୍କ ପରି ବ୍ୟାଟସମ୍ୟାନଙ୍କୁ ରିସ୍କ ସଟ୍ ଖେଳି ଓ୍ଵିକେଟ୍ ହରାଇବାକୁ ପଡିଛି।

ଜାସନ ହୋଲଡର ଦଳରେ ସାମିଲ୍ ହେବାରୁ ଓ୍ଵେଷ୍ଟଇଣ୍ଡିଜ ମଜବୁତ ହୋଇଛି। ହୋଲଡର ଆଇପିଏଲରେ ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ୟୁଏଇ ପରିସ୍ଥିତି ଓ୍ଵେଷ୍ଟଇଣ୍ଡିଜର ବିଗ୍ ହିଟରଙ୍କ ଅନୁକୂଳ ନୁହେଁ। ଏଠାରେ ଦଳ ଗତ ସାତୋଟି ମ୍ୟାଚ୍‌ରୁ ଗୋଟିଏ ହେଲେ ଜିତି ପାରି ନାହିଁ। ଏଥିରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ସାମିଲ୍।

ଅନ୍ୟପଟେ ବାଂଲାଦେଶ ଏହି ଧରଣର ଓ୍ଵିକେଟ୍‌ ଏବଂ ପିଚ୍‌ରେ ଖେଳିବାରେ ଅଭ୍ୟସ୍ତ। ହେଲେ ଦଳ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପରି ଦଳକୁ ହରାଇ ଟୁର୍ଣ୍ଣାମେଣ୍ଟରେ ଷଷ୍ଠ ରାଙ୍କ ସହ ପ୍ରବେଶ କରିଥିବା ବାଂଲାଦେଶର ଖେଳରେ ନିରନ୍ତରତାର ଅଭାବ ରହିଛି। ନିଜର ଗତ ପାଞ୍ଚ ମ୍ୟାଚ୍‌ରୁ ଦଳ କେବଳ ଦୁଇଟି ମ୍ୟାଚ୍‌ ଜିତିଛି।

ମହମ୍ମଦ ନଇମ, ଲିଟନ ଦାସ, ଶାକିବ ଅଲ ହସନ, ମହମୁଦୁଲ୍ଲା  ଓ ମୁଶଫିକର ରହିମଙ୍କ ପରି ଦଳରେ ପ୍ରତିଭାଶାଳୀ ବ୍ୟାଟସମ୍ୟାନ ଥିଲେ ମଧ୍ୟ ସାମୂହିକ ଯୋଗଦାନ ଦେବାରେ  ବିଫଳ ହୋଇଛନ୍ତି। ଦଳର ବୋଲିଂରେ ଅନୁଶାସନର ଅଭାବ ଦେଖିବାକୁ ମିଳିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ଦଳର ସ୍ପିନରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ହେବ  ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.