ବେଙ୍ଗଲରେ ଟିଏମସି କର୍ମୀଙ୍କୁ ନିର୍ମମ ହତ୍ୟା : ୪ ବିଜେପି କାର୍ଯ୍ୟକର୍ତ୍ତା ଗିରଫ, ଦଳୀୟ କର୍ମୀଙ୍କ ସହ ଫେରୁଥିବା ବେଳେ ହୋଇଥିଲା ଆକ୍ରମଣ

Published By : Prameya-News7 Bureau | January 19, 2021 IST

କୋଲକାତା ୧୯/୦୧ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବୃଦ୍ଧିପାଇବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତର ବେଙ୍ଗଲର ଜଲପାଇଗୁଡୀ ଜିଲ୍ଲାର ମୟନାଗୁଡୀରେ ତୃଣମୂଳ କଂଗ୍ରେସର ଜଷର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ଏହି ମାମଲାରେ ଭାରତୀୟ ଜନତା ପାର୍ଟିର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ ବିଜେପି କାର୍ଯ୍ୟକର୍ତ୍ତା ଖବର ସାମ୍ନାକୁ ଆସିବା ପରେ ରାଜନୀତି ସରଗରମ ହୋଇଯାଇଛି । ସୂଚନା ଅନୁସାରେ ଜଲପାଇଗୁଡୀ ଜିଲ୍ଲାର ମୟନାଗୁଡୀରେ ଟିଏମସି କାର୍ଯ୍ୟକର୍ତ୍ତା ରଣଜୀତ ଅଧିକାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ମଙ୍ଗଳବାର ସକାଳୁ ରଣଜୀତଙ୍କ ରକ୍ତରଞ୍ଜିତ ମୃତଦେହ ଜବତ କରାଯାଇଛି ।

ଏହି ଆକ୍ରମଣ ଜାନୁୟାରୀ ୧୮ ତାରିଖ ରାତିରେ ଘଟିଥିବା ସୂଚନା ମିଳିଛି । ଦଳର କିଛି କାର୍ଯ୍ୟକର୍ତ୍ତାଙ୍କ ସହ ରଣଜୀତ ଫେରୁଥିବା ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପିଜେପିର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ବିଜେପି ଏହି ଗିରଫଦାରୀକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜେପି ନେତା ଦୀପେନ୍‌ ପରମାଣିକ କହିଛନ୍ତି, ଏହା ଟିଏମସି ଗୁଣ୍ଡାଙ୍କ କାମ । ବିଜେପିକୁ ବଦନାମ କରିବା ପାଇଁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଜାଣିଶୁଣି ଗିରଫ କରିଥିବା ଦୀପେନ୍‌ ପରମାଣିକ ଅଭିଯୋଗ କରିଛନ୍ତି ।

ଏହି ହତ୍ୟାକାଣ୍ଡ ପରେ ପଶ୍ଚିମବଙ୍ଗରେ ଅସ୍ଥିରତା ଦେଖାଦେଇଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ପୋଲିସ ପାଇଁ ଏ​‌ବେଠାରୁ ଚ୍ୟାଲେଞ୍ଜ୍ ସୃଷ୍ଟି ହେଲାଣି । ଅର୍ଥାତ ବିଧାନସଭା ନିର୍ବାଚନ ମାତ୍ର କିଛି ମାସ ପରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.