କୌଣସି ବାହାନା ନ କରି 'ୱାନ୍ ନେସନ୍ ୱାନ୍ କାର୍ଡ' ଯୋଜନା ଲାଗୁ କରୁ ବଙ୍ଗଳା : ସୁପ୍ରିମକୋର୍ଟ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୦୬ : ୱାନ୍ ନେସନ୍ ୱାନ୍ କାର୍ଡ (One Nation One Ration Card) ଯୋଜନା ଲାଗୁ କରିବାକୁ ନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ କୌଣସି ବାହାନା ନ କରି ପଶ୍ଚିମବଙ୍ଗ ସରକାର ତତ୍କାଳ ଏହି ଯୋଜନା ଲାଗୁ କରନ୍ତୁ । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣ ଗୋଟିଏ ପରେ ଗୋଟିଏ ସମସ୍ୟା ଦର୍ଶାଇ ପାରିବେନି । ଏହା ପ୍ରବାସୀ ଶ୍ରମିକଙ୍କ ମାମଲା । ପ୍ରବାସୀ ଶ୍ରମିକଙ୍କୁ ଶସ୍ତା କିମ୍ବା ମାଗଣା ରାସନ ଦିଆଯିବା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ଶୁଣାଣିର ଶେଷ ଦିନରେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି ଯେ ତାଙ୍କୁ କେନ୍ଦ୍ର ସରକାରଙ୍କ 'ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ' ଯୋଜନା ଲାଗୁ କରିବାକୁ ହେବ । ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କହିଥିଲେ ଯେ ଆଧାର କାର୍ଡ ସମସ୍ୟା ଯୋଗୁଁ ଏହି ଯୋଜନା ଲାଗୁ ହୋଇପାରିନାହିଁ ।

ଜଷ୍ଟିସ ଏମ ଆର ଶାହ କହିଥିଲେ ଯେ ଏହିଭଳି କୌଣସି ବାହାନା ଚଳିବନି । ସବୁ ରାଜ୍ୟ ଏହି ଯୋଜନା ଲାଗୁ କରିସାରିଛନ୍ତି ଯଦି ପଶ୍ଚିମବଙ୍ଗର ଅସୁବିଧା କେଉଁଠି ହେଉଛି । ଯେକୌଣସି ସ୍ଥିତିରେ ହେଉ ଏହି ଯୋଜନା ଲାଗୁ କରିବାକୁ ହେବ । କୋର୍ଟଙ୍କ ନିଷ୍ପତ୍ତିରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ସହମତି ଦର୍ଶାଇଛନ୍ତି ।

ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଅନୁଯାୟୀ, ପ୍ରବାସୀଙ୍କ ପାଖରେ ଯେକୌଣସି ରାଜ୍ୟର ରାସନ କାର୍ଡ ଥିଲେ ବି ତାଙ୍କୁ ଅନ୍ୟ ରାଜ୍ୟରୁ ରାସନ ମିଳିବ । ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କୁ ଏକ ୱେବସାଇଟ କରିବାକୁ ଅଛି ଯେଉଁଥିରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ହେବ । ସେହି ଆଧାରରେ ଶ୍ରମିକଙ୍କୁ ସରକାରୀ ସୁବିଧା ଦିଆଯିବ ।

ଏହି ୱେବସାଇଟ ଗତ ବର୍ଷ ନଭେମ୍ବରରୁ ପ୍ରସ୍ତୁତ ହେଉଛି କିନ୍ତୁ ଏବେ ଯାଏଁ ସମ୍ପୂର୍ଣ୍ଣ ହୋଇନି । ଶୁକ୍ରବାର ଦିନ ଶୁଣାଣି ସମୟରେ ସଲିସିଟର ଜେନେରାଲ ଏହି କାମ ପୁରା କରିବାକୁ ଆହୁରି ସମୟ ମାଗିଛନ୍ତି । ଜଷ୍ଟିସ ଏମ ଆର ଶାହ କହିଥିଲେ ଯେ ଏହି କାମ କେବଳ ଅଧିକାରୀଙ୍କ ଉପରେ ଛଡାଯାଇ ପାରିବନାହିଁ । ଏହା ଏତେ ବଡ କାମ ବି ନୁହେଁ । ଏଥିପାଇଁ କୌଣସି ସର୍ଭେ କରିବାର ନାହିଁ । କେବଳ ମେକାନିଜମ କରିବାର ଅଛି ଯେଉଁଠାରେ ଡାଟା ରଖିବାର ଅଛି । କିନ୍ତୁ ସରକାରଙ୍କ ଅଧିକାରୀ କିଛି କରି ନାହାନ୍ତି । ଅଧିକାରୀଙ୍କ ପାଖରେ ସମୟ ନାହିଁ ବୋଲି ଏହି କାମକୁ ସ୍ଥଗିତ ରଖାଯାଇ ପାରିବନାହିଁ ।

ଶୁକ୍ରବାର ଦିନ ଏହି ମାମଲାରେ ଶୁଣାଣି ପୁରା ହୋଇଛି । କୋର୍ଟ ବର୍ତ୍ତମାନ ଫଇସଲା ଶୁଣାଇବେ ଯେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଣ ଭୂମିକା ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.