ଟିକ୍‌ରୀ ସୀମାରେ ଜଘନ୍ୟ କାଣ୍ଡ: ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ଆସିଥିବା ଯୁବତୀଙ୍କୁ ଦୁଷ୍କର୍ମ, ପରେ କରୋନାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦/୦୫ : ଚାଷୀ ଆନ୍ଦୋଳନରେ ଭାଗନେବାକୁ ଆସିଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଯୁବତୀଙ୍କ ବାପା ଏ ନେଇ ଶହର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ଟିକ୍‌ରୀ ସୀମାରେ କିଷାନ ସ୍ପେଶାଲ ଆର୍ମି ଚଳାଉଥିବା ଅନୁପ ଏବଂ ଅନିଲ ମଲ୍ଲିକ ସମେତ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି  ପୋଲିସ । ଏହା ସହିତ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୋଲିସ ଆଶ୍ବାସନା ଦେଇଛି ।

ସୂଚନାଯୋଗ୍ୟ, ଯୁବତୀଜଣକ କିଛି ଯୁବକଙ୍କ ସହିତ ଚାଷୀ ଆନ୍ଦୋଳନରେ ଭାଗନେବାକୁ ପଶ୍ଚିମବଙ୍ଗରୁ ଦିଲ୍ଲୀ ଆସିଥିଲେ । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଅଭିଯୁକ୍ତମାନେ କୌଣସି ଏକ ସ୍ଥାନକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଦୁଃଖଦ କଥା ହେଉଛି ଏପ୍ରିଲ ୩୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର ୪ ଦିନ ପୂର୍ବରୁ ଯୁବତୀଙ୍କୁ ଶିବମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ସଂକ୍ରମଣ ହୋଇଥିବା ଚିହ୍ନଟ ହେବାପରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଯୁବତୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଆପିସିର ଧାରା ୩୬୫,୩୪୨,୩୫୪,୩୭୬ ଏବଂ ୧୨୦ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଜଣେ ଡିଏସପିଙ୍କ ନେତୃତ୍ବରେ ୩ ଜଣ ଇନସ୍ପେକ୍ଟର ଏବଂ ସାଇବର ସେଲକୁ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ବର୍ତ୍ତମାନ ୪ ଜଣ ଚାଷୀ ନେତା ଏବଂ ଆନ୍ଦୋଳନ ସହ ଜଡିତ ୨ ଜଣ ମହିଳାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.