ପଶ୍ଚିମବଙ୍ଗ ରସଗୋଲାର ଜିଆଇ ଟ୍ୟାଗ୍ ନେଇ ଓଡିଶାର ଦାବିକୁ ପ୍ରତ୍ୟାଖ୍ୟାନ : ଜାରି ରହିବ 'ବେଙ୍ଗଲର ରସଗୋଲା' ଜିଆଇ ଟ୍ୟାଗ୍

Published By : Prameya-News7 Bureau | November 01, 2019 IST

ଭୁବନେଶ୍ବର ୧।୧୧: ରସଗୋଲାର ଜିଆଇ ଟ୍ୟାଗ୍ ନେଇ ପଶ୍ଚିମବଙ୍ଗ ବିରୋଧରେ ଚାଲିଥିବା ଲଢ଼େଇରେ ଓଡିଶାକୁ ଧକ୍କା ଲାଗିଛି।  ପଶ୍ଚିମବଙ୍ଗର ରସଗୋଲାକୁ 'ବେଙ୍ଗଲର ରସଗୋଲା 'ନାଁରେ ପୂର୍ବରୁ ଜିଆଇ ଟ୍ୟାଗ୍ ମିଳିଥିଲା ।  ଯାହାକୁ ଚ୍ୟାଲେଞ୍ଜ କରିଥିଲା ଓଡ଼ିଶା।  ପରେ ଅବଶ୍ୟ 'ଓଡ଼ିଶାର ରସଗୋଲା ' ନାଁରେ ଏକ ଅଲଗା ଟ୍ୟାଗ୍ ଓଡ଼ିଶାକୁ ମିଳିଥିଲା ।  ତେବେ ଓଡ଼ିଶା ମିଠାର ଲଢ଼େଇରେ ଆଉଟିକେ ଆଗକୁ ଯାଇ 'ବେଙ୍ଗଲର ରସଗୋଲା' ଟ୍ୟାଗକୁ ରଦ୍ଦ କରିବା ଲାଗି ଦାବି କରିଥିଲା ।  ତେବେ ଜିଆଇ କାର୍ଯ୍ୟାଳୟ 'ବେଙ୍ଗଲର ରସଗୋଲା'  ଟ୍ୟାଗ ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। 

ଓଡ଼ିଶା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ସପକ୍ଷରେ ପର୍ଯ୍ୟାପ୍ତ ତଥ୍ୟ ରଖି ନପାରିବାରୁ ଓଡ଼ିଶାର ଦାବିକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି।  ଅର୍ଥାତ 'ବେଙ୍ଗଲର ରସଗୋଲା' ଟ୍ୟାଗ ବି ରହିବ ଏବଂ 'ଓଡ଼ିଶାର ରସଗୋଲା' ମଧ୍ୟ ରହିବ।  କିନ୍ତୁ ବେଙ୍ଗଲର ରସଗୋଲା ଟ୍ୟାଗ ରଦ୍ଦ ନେଇ ଓଡ଼ିଶା ଯେଉଁ ଅଧିକ ଦାବି କରିଥିଲା ତାହା ହିଁ ପ୍ରତ୍ୟାଖ୍ୟାତ ହୋଇଛି। 

ଜିଆଇ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ରସଗୋଲା ଲଢ଼େଇ ୨୦୧୮ରୁ ଆରମ୍ଭ ହୋଇଥିଲା ।  ଓଡ଼ିଶାର ଦାବି ଥିଲା ରସଗୋଲା ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହିତ ଯୋଡ଼ିହୋଇଛି।   ଦ୍ବାଦଶ ଖ୍ରୀଷ୍ଟାବ୍ଦରୁ ଏହାର ଚଳଣୀ ଓଡ଼ିଶାର ଚଳଣୀ ସହିତ ରହିଛି । ସେହିପରି ତତ୍କାଳୀନ ବିଜ୍ଞାନ ଓ କାରିଗରି  ମନ୍ତ୍ରୀ ମଧ୍ୟ ରସଗୋଲାର ଉତ୍ପତି ଜାଣିବା ଲାଗି କମିଟି ଗଠନ କରିଥିଲେ । ଅନୁରୂପ ଭାବେ ପଶ୍ଚିମବଙ୍ଗ ସରକାର ମଧ୍ୟ ତାଙ୍କ ରାଜ୍ୟରେ ରସଗୋଲା କମିଟି ଗଠନ କରିଥିଲେ। 

ତେବେ ୨୦୧୭ରେ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶା ସରକାର ଓ ମିଠା ବ୍ୟବସାୟୀ ସଂଘ ଏହାକୁ ଚ୍ୟାଲେଞ୍ଜ କରିଥିଲେ । ଜୁଲାଇ ୨୦୧୯ରେ ଓଡ଼ିଶାକୁ 'ଓଡ଼ିଶାର ରସଗୋଲା' ନାଁରେ ଜିଆଇ ଟ୍ୟାଗ ମିଳିଥିଲା ।  କିନ୍ତୁ 'ବେଙ୍ଗଲ ରସଗୋଲା' ଟ୍ୟାଗକୁ ରଦ୍ଦ କରିବା ଲାଗି  ଓଡ଼ିଶା ଦାବି କରିଥିଲା।  ହେଲେ ଏହା ସପକ୍ଷରେ ଓଡ଼ିଶା ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇ ନ ପାରିବାରୁ 'ବେଙ୍ଗଲ ରସଗୋଲା' ଟ୍ୟାଗ ଜାରି ରହିବ ବୋଲି ଜିଆଇ କାର୍ଯ୍ୟାଳୟ ସ୍ପଷ୍ଟ କରିଛନ୍ତି। ପ୍ରଶ୍ନ ଉଠୁଛି ନିଜ ସପକ୍ଷରେ ଯୁକ୍ତି ରଖିବାକୁ ଓଡିଶା ପାଖରେ କଣ ଯଥେଷ୍ଟ ତଥ୍ୟ ପ୍ରମାଣ ନଥିଲା । କୋଉଠି ରହିଲା ସମସ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.