ପଶ୍ଚିମବଙ୍ଗ ପଲିଟିକ୍ସ : ବିଜେପିରେ ସାମିଲ ହେବେ ୧୦ ଟିଏମସି ବିଧାୟକ ଓ ୩ ସାଂସଦ ! ଜୋର ଧରିଲା ଚର୍ଚ୍ଚା

Published By : Prameya-News7 Bureau | March 05, 2021 IST

କୋଲକାତା ୦୫/୦୩ : ପଶ୍ଚିମବଙ୍ଗରେ ଯେତେଯେତେ ନିର୍ବାଚନ ପାଖେଇ ଆସୁଛି ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଶୁକ୍ରବାର ଟିଏମସି ପକ୍ଷରୁ ୨୯୧ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେବେ ବର୍ତ୍ତମାନ ନେତାଙ୍କ ଦଳଡିଆଁ ଖବର ଟିଏମ୍‌ସି ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ବର୍ତ୍ତମାନ ଟିକେଟ୍‌ ପାଇନଥିବା​‌ ଅସନ୍ତୁଷ୍ଟ ନେତା ଦଳବଦଳ କରିବାର ସମ୍ଭାବନା ଉପୁଜିଲାଣି ।

ସୂତ୍ରାନୁସାରେ, ମମତା ବାନାର୍ଜୀଙ୍କ ପାର୍ଟିର ପ୍ରାୟ ୧୦ ବିଧାୟକ ଏବଂ ୩ ସାଂସଦ ବିଜେପି ସହିତ ସମ୍ପର୍କରେ ଅଛନ୍ତି ଏବଂ ସେମାନେ କିଛି ଦିନ ମଧ୍ୟରେ ବିଜେପିରେ ସାମିଲ ହୋଇପାରନ୍ତି । ଏହାକୁ ନେଇ ତୃଣମୂଳ କଂଗ୍ରେସ କ୍ୟାମ୍ପରେ ଆଲୋଚନା ଜୋରଦାର ହେଲାଣି । ସ୍ବଚ୍ଛ ଭାବମୂର୍ତ୍ତି ଥିବା ନେତାଙ୍କୁ ହିଁ ଦଳରେ ସାମିଲ କରାଯିବ ବୋଲି ପୂର୍ବରୁ ବିଜେପି ସ୍ପଷ୍ଟ କହିସାରିଛି ।

ଏହାରି ମଧ୍ୟରେ ଟିଏମସିର ବରିଷ୍ଠ ସାଂସଦ ଶିଶିର ଅଧିକାରୀ ଖୋଲାଖୋଲି ଭାବେ ଦଳ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ଶିଶିର ଅଧିକାରୀ ହେଉଛନ୍ତି କିଛଇ ଦିନ ତଳେ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପିତା । ୨୦୦୯ ମସିହାରୁ ସେ ଟିଏମସି ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି ।

ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ । ତେଣୁ ଏହାରି ମଧ୍ୟରେ ଟିଏମସି ପକ୍ଷରୁ ୨୯୧ ସିଟ୍‌ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମୋଟ ୨୯୧ ଆସନ ମଧ୍ୟରୁ ୫୦ ଜଣ ମହିଳାଙ୍କୁ ଦଳ ଟିକେଟ୍‌ ଦେଇଥିବା ବେ​‌ଳେ ୪୨ ଜଣ ମୁସଲିମ୍‌ ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଯାଏଁ ବିରୋଧୀ ବିଜେପି କିମ୍ବା କଂଗ୍ରେସ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.