ପଶ୍ଚିମବଙ୍ଗ ଡାକ୍ତର ଧର୍ମଘଟକୁ ସାରା ଦେଶରୁ ସମର୍ଥନ,ରାଜ୍ୟରେ ଇସ୍ତଫା ଦେଲେଣି ୪୩ ଡାକ୍ତର
14/06/2019 at 4:05 PM

କୋଲକାତା ୧୪।୬: ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ କ୍ରମଶଃ ଜଟିଳ ହେବାରେ ଲାଗିଛି । ଶୁକ୍ରବାର ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଦେଶର ଅନ୍ୟ ରାଜ୍ୟମାନଙ୍କର ସରକାରୀ ଡାକ୍ତର ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ସ୍ବାସ୍ଥ୍ୟ ସେବାରେ ଗୁରୁତର ଅଚଳାବସ୍ଥା ଦେଖାଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମମନ୍ତ୍ରୀଙ୍କୁ ପତ୍ର ଲେଖିବେ ବୋଲି କହିଛନ୍ତି।

ସେପଟେ ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଉତ୍ତର ବଙ୍ଗ ମେଡିକାଲ କଲେଜ ଓ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ୨୭ ଜଣ ଡାକ୍ତର ଚାକିରୀରୁ ଇସ୍ତଫା ଦେଇଛନ୍ତି। ସେହିପରି ରାଜଧାନୀ କୋଲକାତାର ଆରଜି ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ୧୬ ଜଣ ଡାକ୍ତର ଇସ୍ତଫା ଦେଇଥିବା ଜଣାପଡିଚି। ଏହିପରି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୪୩ ଜଣ ସରକାରୀ ଡାକ୍ତର ଚାକିରୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ଅଲ୍ଟିମେଟମ ଦେଇଥିଲେ। ଫଳରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ଦେଶର ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କୁ ପଶ୍ଚିମବଙ୍ଗ ଡାକ୍ତର ସଂଘର ଆନ୍ଦୋଳନ ସମର୍ଥନରେ କଳାବ୍ୟାଜ୍ ପରିଧାନ କରିଥିବା ଦେଖାଯାଇଛି। ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିଛନ୍ତି। ସେହିପରି ଦିଲ୍ଲୀ ଏଆଇଆଇଏମଏସ୍ ର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତିଆରମ୍ଭ କରିଛନ୍ତି।