ଯେଉଁ ରାସ୍ତାକୁ ବିଜେପି ନେତା ଡରୁଛନ୍ତି, ସେହି ରାସ୍ତାରେ ପାଦ ଦେଇସାରିଛନ୍ତି ମମତା ବାନାର୍ଜୀ !
29/12/2020 at 9:33 PM

ନୂଆଦିଲ୍ଲୀ ୨୯/୧୨ : ପଶ୍ଚିମବଙ୍ଗରେ ତୃଣମୂଳ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ହେଉଥିବା ହିଂସା ଏବଂ ପଥର ମାଡ ଦେଖି ବିଜେପି ନେତାମାନେ ପଦ ଯାତ୍ରା କରିବାକୁ ଡରୁଛନ୍ତି । ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି ଟିଏମସି ତେନାମାନେ ବିଜେପିକୁ ରୋକିବା ପାଇଁ ହିଂସାର ସାହାରା ନେଉଛନ୍ତି । ଲଗାତାର ଭାବେ ଏହି ପ୍ରକ୍ରିୟା ଜାରି ରହିଛି ।
ତେବେ ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଲୋକଙ୍କ ସହିତ ସମ୍ପର୍କ ମଜଭୁତ କରିବା ପାଇଁ ପଦଯାତ୍ରା ଆରମ୍ଭ କରିଦେଇଛନ୍ତି । ମମତା ବାନାର୍ଜୀ ୨ ଦିନ ପାଇଁ ବୀରଭୂମି ପହଞ୍ଚିଛନ୍ତି । ସେଠାରେ ସେ ପଦଯାତ୍ରା କରିଛନ୍ତି ଏବଂ ଏହି ପଦ ଯାତ୍ରାରେ ବାଉଲ ଗାୟକ ବାସୁଦେବ ଦାସ ମଧ୍ୟ ସାମିଲ ହୋଇଥିଲେ ।
୧୯ ଓ ୨୦ ଡିସେମ୍ବର ପଶ୍ଚିମବଙ୍ଗ ଗସ୍ତ ସମୟରେ ବାଉଲ ଗାୟକଙ୍କ ଘରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୋଜନ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପାର୍ଥୋ ଚାଟାର୍ଜୀ କହିଛନ୍ତି ଯେ ମମତା ବାନାର୍ଜୀ ରାଜ୍ୟବାସୀଙ୍କ ନେତା । ସେ କୌଣସି ବ୍ୟକ୍ତିଙ୍କ ଘରକୁ ଯାଇ ବସିକି କଥା ହୋଇପାରିବେ । ସେ ଗାଡିଗୁଡିକର କାରକେଡରେ ଯାଇ ରୋଡ ସୋ କରନ୍ତିନି ବରଂ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ କାର୍ଯ୍ୟ କରନ୍ତି ବୋଲି ପାର୍ଥୋ ଚାଟାର୍ଜୀ କହିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା କହିଛନ୍ତି ଯେ ବିଜେପି ପ୍ରଚାର କରୁଥିବା ମିଥ୍ୟା କଦାପି ସଫଳ ହେବ ନାହିଁ।
ତେବେ ଦେଖିବାକୁ ଗଲେ ପଶ୍ଚିମବଙ୍ଗରେ ଲୋକମାନଙ୍କୁ ରାଜନୈତିକ ପଦଯାତ୍ରା ବେଶ ପସନ୍ଦ ଆସେ । ବିଜେପି ନେତା ତଥା ଉପାଧ୍ୟକ୍ଷ ରାଜକମଲ ପାଠକ କହିଛନ୍ତି ପଶ୍ଚିମବଙ୍ଗରେ ପଦଯାତ୍ରା ବେଶ ପ୍ରଭାବ ପକାଏ । ସେ କହିଛନ୍ତି ପଶ୍ଚିମବଙ୍ଗବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଟିମଏସି ଲୋକଙ୍କୁ ଭ୍ରମିତ କରୁଛି ଏବଂ ତାହାର ଜବାବ ଆଗାମୀ ଦିନରେ ଜନସାଧାରଣ ଦେବେ ବୋଲି ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି ।