ପ୍ରଧାନମନ୍ତ୍ରୀଙ୍କ ସହିତ ଯେବେ ବି ବୈଠକ ହୋଇଛି, ଆମକୁ ଖାଲି ହାତରେ ଫେରିବାକୁ ପଡିଛି: ମମତା ବାନାର୍ଜୀ

Published By : Prameya-News7 Bureau | May 12, 2020 IST

କୋଲକାତା ୧୨।୦୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ବୈଠକରେ ବହୁତ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ କହିବା କଥା ଏହି ବୈଠକରେ ପଶ୍ଚିମବଙ୍ଗକୁ କିଛି ମିଳିବାର ନାହିଁ ଏବଂ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଛି। ମମତା ଦାବି କରିଛନ୍ତି ରାଜ୍ୟକୁ ଏବେ ସୁଦ୍ଧା ଆର୍ଥିକ ସହାୟତା ମିଳିନାହିଁ। ରାଜ୍ୟ କେନ୍ଦ୍ରଠୁ ନିଜର ପ୍ରାପ୍ୟ ପାଇ ପାରି ନାହିଁ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାଜ୍ୟର ଅଧିକାରୀଙ୍କ ସହିତ କରୋନା କାରଣରୁ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି। ମମତା କହିଛନ୍ତି ରାଜ୍ୟର ଲୋକଙ୍କୁ  ଲକ୍‌ଡାଉନ୍ କାରଣରୁ ଏଥିପାଇଁ ସମସ୍ୟା ଭୋଗିବାକୁ ପଡୁଛି, କାରଣ ମାର୍ଚ୍ଚ ୨୫ରେ  ବିନା ପ୍ରସ୍ତୁତିରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରାଗଲା। ବୈଠକ ପରେ ମମତା କେନ୍ଦ୍ର ସରକାରଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ରାଜନୈତିକ ଫାଇଦା ପାଇବା ଲାଗି ପଶ୍ଚିମବଙ୍ଗକୁ ଜାଣିଶୁଣି ଟାର୍ଗେଟ୍ କରୁଛି। କରୋନା ଭାଇରସ୍‌କୁ ନେଇ ମୋ ରାଜ୍ୟକୁ ରାଜନୈତିକ ଭାବେ ନିଶାଣ କରାଯାଉଛି।

{"id":268854,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଭିଡିଓ କନଫରେନ୍ସିଂ ବୈଠକ ବିଷୟରେ ଉଲ୍ଲେଖ କରି ମମତା କହିଛନ୍ତି, ମୁଁ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ପ୍ରସଙ୍ଗ ଉଠାଇଛି। କିନ୍ତୁ ମୋତେ କହିବାକୁ ପଡୁଛି ଯେ, ପ୍ରତି ଥର ପରି ଏଥର ମଧ୍ୟ  ବୈଠକ ପରେ ମୋତେ ଖାଲି ହାତରେ ଫେରିବାକୁ ପଡିଛି। ଆମକୁ ଯାହା ମିଳିବାର ଥିଲା ଏ ପର୍ଯ୍ୟନ୍ତ ତାହା ମିଳିନାହିଁ।

ରାଜ୍ୟରେ କରୋନା ମହାମାରୀର ପ୍ରତିରୋଧ ଲାଗି ହୋଇଥିବା ବ୍ୟବସ୍ଥା ଉପରେ ମମତା କହିଛନ୍ତି, ନିକଟ ଭବିଷ୍ୟତରେ କରୋନା ଭୂତାଣୁ ସଂକ୍ରମଣରୁ ଆମେ ମୁକ୍ତ ହୋଇ ପାରିବା ନାହିଁ। ସ୍ଥିତିର ମୁକାବିଲା ଆମକୁ ଅତି କମରେ ତିନି ମାସର ରଣନୀତି କରିବାକୁ ହେବ।

ରେଡ୍‌ ଜୋନ୍‌ ଉପରେ ମମତା କହିଛନ୍ତି, ରେଡ୍‌ ଜୋନ୍‌କୁ ଆଗାମୀ ସମୟରେ ତିନୋଟି ବର୍ଗରେ ବିଭକ୍ତ କରାଯିବ। ଯେଉଁ ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ୍‌ରେ ଆସୁନାହିଁ ସେଠାରେ ୧୦୦ ଦିନର କାର୍ଯ୍ୟ ଯୋଜନା ଲାଗି ପଦକ୍ଷେପ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.