ପଶ୍ଚିମବଙ୍ଗରେ ଅକ୍ଟୋବର ୧ରୁ ଖୋଲିବ ସିନେମା ହଲ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଲେ ଅନୁମତି

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭/୦୯: ପଶ୍ଚିମବଙ୍ଗରେ ଅକ୍ଟୋବର ୧ ତାରିଖରୁ ଖୋଲିବ ସିନେମା ହଲ୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି (ଶନିବାର) ଏ ନେଇ ଅନୁମତି ଦେଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ରାଜ୍ୟରେ ଜୀବନଧାରଣକୁ ସାଧାରଣ କରିବା ପାଇଁ ଅନ୍ୟ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଯାତ୍ରା, ନାଟକ, ଓପନ ଥିଏଟର, ସିନେମା ହଲ, ସଂଗୀତ, ଡାନ୍ସ ଆଦି ଶୋ’କୁ ଅକ୍ଟେବାର ୧ ତାରିଖରୁ ଆରମ୍ଭ କରିବାକୁ ଅନୁମତି ଦିଆଗଲା। ତେବେ ପ୍ରାୟ ସାଢ଼େ ସାତ ମାସ ପରେ ପଶ୍ଚିମବଙ୍ଗରେ ଖୋଲିବ ସିନେମା ହଲ ।

ଅବଶ୍ୟ ଏ ସବୁ ପାଇଁ ଲୋକଙ୍କୁ ମମତାଙ୍କ କିଛି ସର୍ତ ବା ନିୟମ ବି ପାଳନ କରିବାକୁ ହେବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ଏ ସବୁ କିଛି ପରିଚାଳିତ ହେବ। ଏହା ସହ ମାସ୍କ, ସାମାଜିକ ଦୂରତ୍ବ ତଥା କରୋନାକୁ ନେଇ ଥିବା ଅନ୍ୟ ଗାଇଡଲାଇନ୍ସ ପାଳନ କରିବାକୁ ହେବ।

କରୋନା ଭାଇରସ ସାମ୍ନାକୁ ଆସିବା ପରେ ମାର୍ଚ ମାସରୁ ଦେଶବ୍ୟାପି ଲକଡାଉନ କରାଯାଇଥିଲା। ସବୁ ସ୍କୁଲ, କଲେଜ, ସିନେମା ହଲ, ବସ. ଟ୍ରେନ ସହ ତମାମ ବଜାର ମଧ୍ୟ ବନ୍ଦ ହୋଇଥିଲା। ଜୁନ ମାସରୁ ସରକାରଙ୍କ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାରୁ ଧୀରେ ଧୀରେ  ଦୋକାନ ବଜାର ଖୋଲିବା ସହ ଅନ୍ୟ କାର୍ଯ୍ୟ ଆରମ୍ଭ ହେଲା। ଏ ଭିତରେ ଅନେକ ଜିନିଷ ଖୋଲିବାକୁ ଅନମତି ମିଳିଥିବା ବେଳେ ସିନେମା ହଲ ଓ ସ୍କୁଲ ବନ୍ଦ ଥିଲା। ଏହା ସହ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୨୧ରେ ସ୍କୁଲ ଖୋଲି ଦିଆଯାଇଛି ଏ​‌ବେ ସେଠାରେ ସିନେମା ହଲ୍ ଖୋଲିବାକୁ ଅନୁମତିକୁ ଦେଖି ଅନୁମାନ କରାଯାଉଛି ଯେ ହୁଏତ ଅକ୍ଟୋବରରୁ ଅନ୍ୟ ରାଜ୍ୟରେ ମଧ୍ୟ ସିନେମା ହଲ ଖୋଲିବାକୁ ଅନୁମତି ମିଳିପାରେ।

ସୂଚନାଯୋଗ୍ୟ ଏବେ ସବୁଠାରୁ ଭାରତରେ କରୋନା ସଂକ୍ରମଣ ମାମଲା ରହିଛି ଅଧିକ। ଦେଶରେ ଗତକାଲି ସୁଦ୍ଧା ୫୯ ଲକ୍ଷ ୧୫ ହଜାର ମାମଲା ସାମ୍ନାକୁ ଆସିଛି। ତେବେ ଏବେ ସୁଦ୍ଧା ଦେଶରେ ସମୁଦାୟ ଭାଇରସ ଯୋଗୁ ୯୩,୪୬୫ ଜଣ ପ୍ରାଣ ହରାଇସାରିଲେଣି। ପଶ୍ଚିମବଙ୍ଗରେ ରାଜ୍ୟରେ କେବଳ ଦୁଇ ଲକ୍ଷରୁ ଅଧିକ ମାମଲା କରୋନାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.