Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଙ୍କଟ ସଙ୍ଗୀନ: ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ବଢାଇଲେ ଚିନ୍ତା, ପରିସ୍ଥିତି ଆଗକୁ ହୋଇପାରେ ଭୟଙ୍କର

30/04/2020 at 8:33 PM

କୋଲକାତା, ୩୦|୦୪:  ଭାରତରେ ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏକ ରିପୋର୍ଟରେ ଆଗାମୀ ଦିନରେ ବିହାର, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟରେ କରୋନା ସ୍ଥିତି ଭୟାବହ ହେବ ବୋଲି ପ୍ରକାଶ ପାଇଛି । ଯାହା ଚିନ୍ତା ବଢାଇବ ବୋଲି ଆଶଙ୍କା କରାଯାଉଛି ।

ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ୍ ବା ଆଇଏମଏସସି କହିଛି ଯେ, ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରେ ଏପ୍ରିଲ ୨୯ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୦ରୁ କମ ରହିଥିଲା ।  ରିପ୍ରଡକ୍ସନ ସେଣ୍ଟର ଆଧାରରେ ଦେଖିଲେ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରିପ୍ରଡକ୍ସନ ନମ୍ବର ଅର୍ଥାତ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ କେହି ସଂକ୍ରମିତ ହେବାର ସଂଖ୍ୟା ।

ବୁଧବାର ସୁଦ୍ଧା ପଶ୍ଚିମବଙ୍ଗରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୬, ବିହାରରେ ୩୮୩ ଓ ଝାଡଖଣ୍ଡରେ ୧୦୭ ରହିଛି । ସେହିପରି ମହାରାଷ୍ଟ୍ରରେ ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୯୯୧୫ ଥିବା ବେଳେ ଓ ଗୁଜୁରାଟରେ ୪୦୮୨ ରହିଛି । ଏହି ଦୁଇଟି ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତ ରହିଛନ୍ତି ।

ଆଇଏମଏସସିର ସୀତାଭ୍ର ମିଶ୍ର କହିଛନ୍ତି ଯେ, ମାର୍ଚ୍ଚ ଶେଷରେ ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ଏବେ ଏହା ମହାରାଷ୍ଟ୍ର ଭଳି ବୃଦ୍ଧି ପାଉଛି । ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣ ହେବା ଦର ପଶ୍ଚିମବଙ୍ଗରେ ଏବେ ସର୍ବାଧିକ ।  ସେହିପରି ବିହାରରେ ରିପ୍ରଡକ୍ସନ ନମ୍ବର ୨.୦୩ ଥିବା ବେଳେ ଝାଡଖଣ୍ଡରେ ୧.୮୭ ଓ ପଶ୍ଚିମବଙ୍ଗରେ ୧.୫୨ ରହିଛି ।

ଉତ୍ତରାଖଣ୍ଡରେ ବୁଧବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୮ଥିଲା । ଏହା ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇଛନ୍ତି । ୨୨ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଜମ୍ମୁ-କାଶ୍ମୀରରେ ସଂକ୍ରମିତଙ୍କ ସଂଖ୍ୟା ୫୮୧ ଓ ହିମାଚଳ ପ୍ରଦେଶରେ ୪୦ ରହିଛି ।

   Related Posts