ଏମିତି ବି ଲୋକ ଥିଲେ ଯେଉଁମାନେ ନୋବେଲକୁ ନା କହିଥିଲେ, ଜାଣନ୍ତୁ କିଏ ସେମାନେ
14/10/2019 at 5:12 PM

ବିଶ୍ୱରେ ନୋବେଲ ପୁରସ୍କାରର ଇତିହାସ କାଫି ରୋଚକ ଓ ବିବାଦସ୍ପଦ ମଧ୍ୟ। ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନ ମନେ କରାଯାଉଥିବା ଏହି ଅନ୍ତର୍ଜାତୀୟ ପୁରସ୍କାର ଲାଗି ଆଜିର ଦିନରେ ସଭିଏଁ ଲାଳାୟିତ। ତେବେ ଏମିତି ବି ଲୋକେ ଥିଲେ ଯେଉଁମାନେ ବିଶ୍ୱର ଏହି ସର୍ବୋଚ୍ଚ ସମ୍ମାନକୁ ବି ମନା କରିଦେଇଥିଲେ। ତେବେ କେଉଁମାନେ ନୋବେଲକୁ ମନା କରିଥିଲେ ଓ କାହିଁକି ଆସନ୍ତୁ ଜାଣିବା।

ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଜିଏନ ପଲ ଚାର୍ଲସ ଆୟେମାର୍ଡ ସାରତ୍ରେ ଜିଏନ ପଲ ସାର୍ତ୍ତ୍ରେ ଭାବେ ଜଣାସୁଣା ଏହି ଫରାସୀ ସାହିତ୍ୟିକଙ୍କୁ ୧୯୬୪ ମସିହାରେ ସାହିତ୍ୟରେ ନୋବେଲ ଲାଗି ମନୋନୀତ କରାଯାଇଥିଲା। ତେବେ ସେତେବେଳେ ସେ ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। କୌଣସି ସରକାରୀ ସମ୍ମାନ ଗ୍ରହଣ ନକରିବା ଲାଗି ସେ ନେଇଥିବା ନିଷ୍ପତ୍ତି ଯୋଗୁ ନେବେଲକୁ ମଧ୍ୟ ଅସ୍ୱୀକାର କରିଥିଲେ। ସାରତ୍ରେ ଜଣେ ଦାର୍ଶନିକ ଓ ସାହିତ୍ୟ ସମୀକ୍ଷକ ସାଙ୍ଗକୁ ଏକାଧାରରେ କାହାଣୀ, ନାଟ୍ୟକାର ଏବଂ ଔପନ୍ୟାସିକ ଥିଲେ। ତେବେ ତାଙ୍କ ଜୀବନର ଲକ୍ଷ୍ମଣ ରେଖାକୁ ସେ ପାର କରିନଥିଲେ।

କେବଳ ସାର୍ତ୍ତ୍ରେ ନୁହନ୍ତି ଭିଏତ ନାମର ଥେ ଲେ ଡକ୍ ଥୋ ମଧ୍ୟ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ନିଜର ଅସମର୍ଥତା ପ୍ରକାଶ କରିଥିଲେ। ଆମେରିକା ରାଜ୍ୟ ସଚିବ ହେନରୀ କିସିଞ୍ଜରଙ୍କ ସହ ୧୯୭୩ ମସିହାରେ ଡକ୍ ଥୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ଲାଗି ମନୋନୟନ କରାଯାଇଥିଲା। ଭିଏତନାମ ଶାନ୍ତି ବୁଝାମଣା ଲାଗି ତାଙ୍କୁ ଏହି ସମ୍ମାନ ଲାଗି ମନୋନୀତ କରାଯାଇଥିଲେ ହେଁ ଯୁଦ୍ଧବୀରାମ ପରେ ବି ତାଙ୍କ ଦେଶରେ ଅଶାନ୍ତି ଲାଗି ରହିଥିଲା। ଏଣୁ ଡକ ଥୋ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ସେହିପରି ୧୯୩୮ରେ କେମେଷ୍ଟ୍ରି ନୋବେଲ, ୧୯୩୯ର କେମେଷ୍ଟ୍ରି ନୋବେଲ ଓ ୧୯୩୯ର ଚିକିତ୍ସା ବିଜ୍ଞାନ ନୋବେଲ ଲାଗି ମନୋନୀତ ବ୍ୟକ୍ତିମାନେ ମଧ୍ୟ ପୁରସ୍କାରକୁ ଗ୍ରହଣ କରିନଥିଲେ । ଏମାନେ ହେଉଛନ୍ତି କ୍ରମାନୁସାରେ ରିଚର୍ଡ କୁହ୍ନ, ଏଡୋଲ୍ଫ ଫ୍ରେଡରିକ ବଟନାଣ୍ଟ ଓ ଡା.ଗେରହାଡ ଡୋମାକ୍। ଏମାନଙ୍କୁ ନୋବେଲ ନ ନେବା ଲାଗି ତତ୍କାଳୀନ ଜର୍ମାନ ଏକଛତ୍ରବାଦୀ ଏଡଲ୍ଫ ହିଟଲର ମନା କରିଥିଲେ। ତେବେ ପରେ ସେମାନଙ୍କୁ ନୋବେଲ ଗ୍ରହଣ କରିବା ଲାଗି ଜର୍ମାନ ସରକାର ଅନୁମତି ଦେଇଥିଲେ। ସେମାନଙ୍କୁ ପ୍ରଶସ୍ତି ପତ୍ର ଓ ପଦକ ମିଳିଥିଲା । କିନ୍ତୁ ପୁରସ୍କାର ବାବଦ ଅର୍ଥରାଶିରୁ ସେମାନେ ବଞ୍ଚିତ ହୋଇଥିଲେ।

ତେବେ ସମସ୍ତଙ୍କ ପୂର୍ବରୁ ୧୯୫୮ ସାହିତ୍ୟ ନୋବେଲକୁ ଋଷିୟ ସାହିତ୍ୟିକ ବୋରିଶ ପାସ୍ତରନେକ୍ ନା କହିଥିଲେ। ତତ୍କାଳୀନ ସୋଭିଏତ ସଂଘ ତାଙ୍କୁ ଏହି ପୁରସ୍କାର ଗ୍ରହଣ ନକରିବା ଲାଗି ଚାପ ପ୍ରୟୋଗ କରିବା ଯୋଗୁ ସେ ପୁରସ୍କାରକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି କୁହାଯାଉଛି ।