ଶୋଷିଲା ଥିଲେ, ସାତଦିନରେ ପିଇଦେଲେ ସାଢେ ୫ ଲକ୍ଷ ଲିଟର ମଦ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର ୦୨।୦୬: ଲକ୍‌ଡାଉନ୍‌ରେ ବିଦେଶୀ ମଦ ଟିକେ ପାଇଁ ଡହଳବିକଳ ହେଉଥିଲେ । ସପ୍ତାହେ ତଳେ ସରକାର ଘୋଷଣା କଲେ ଅନ୍‌ଲାଇନ୍‌ରେ ମଦ ବିକାଯିବ । ଏଇ ସପ୍ତାହକ ମଧ୍ୟରେ ପ୍ରାୟ ୫.୩୯ ଲକ୍ଷ ଲିଟର ମଦ ପିଇ ସାରିଛନ୍ତି ଲୋକେ । ବେଶୀ ପିଇଛନ୍ତି ବିଅର । ପ୍ରାୟ ୨.୯୮ ଲକ୍ଷ ଲିଟର ବିଅର ଏହି ସପ୍ତାହକ ମଧ୍ୟରେ କିଣି ନେଇଛନ୍ତି । ଲକ୍‌ଡାଉନ୍‌ ୪.୦ରେ ଗତ ୨୫ ତାରିଖରୁ ଅନ୍‌ଲାଇନ୍‌ ଯୋଗେ ମଦ ବିକା ଆରମ୍ଭ ହୋଇଛି । ମଦ ଦୋକାନ ସାମ୍ନାରୁ ଅଯଥା ଗହଳି ହଟାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଗଲା । ଏହି ନୂଆ ବ୍ୟବସ୍ଥାକୁ ଗତକାଲି ସପ୍ତାହେ ପୂରିଛି ।

ଅବକାରୀ ବିଭାଗ ରିପୋର୍ଟ କହୁଛି, ବିକ୍ରି ହୋଇଥିବା ଉପରୋକ୍ତ ପରିମାଣର ମଦ ଭିତରେ ବିଦେଶୀ ମଦ ୨ ଲକ୍ଷ ୪୧ ହଜାର ୮୪୨.୨ ଲିଟର ରହିଛି । ବିକା ଯାଇଥିବା ବିଅର ମାତ୍ରା ୨ ଲକ୍ଷ ୯୮ ହଜାର ୧୩୬.୪ ଲିଟର ଅଛି । ପ୍ରଥମ ଦିନରେ ମଦ ବିକ୍ରି ସଂଖ୍ୟା କମ୍‌ ଥିଲା । ମାତ୍ର ୯ ହଜାର ୮୬୮.୫ ଲିଟର ବିଦେଶୀ ମଦ ଓ ୧୦ ହଜାର ୯୮୨.୬ ଲିଟର ବିଅର ବିକାଯାଇଥିଲା । ତା’ ପରଦିନଠୁ କିନ୍ତୁ ଡବଲରୁ ଅଧିକ ଅର୍ଡର ଆସିଥିଲା । ୨୩ ହଜାର ୬୫୫.୪ ଲିଟର ବିଦେଶୀ ମଦ ଓ ୨୬ ହଜାର ୨୭୬.୦ ବିଅର ଅର୍ଡର କରି ପିଇଥିଲେ ଗ୍ରାହକ । ୨୭ ତାରିଖରେ ୩୫ ହଜାର ୮୬୯.୨ ଲିଟର, ତା’ ପରଦିନ ୩୯ ହଜାର ୪୭୮.୬ ଲିଟର, ୨୯ ତାରିଖରେ ୪୩ ହଜାର ୪୯ ଲିଟର, ୩୦ ତାରିଖରେ ୪୨ ହଜାର ୪୯୮.୯ ଲିଟର ଓ ୩୧ ତାରିଖରେ ୪୭ ହଜାର ୪୨୨.୬ ଲିଟର ବିଦେଶୀ ମଦ ବିକାଯାଇଛି।

ସେହିପରି ୨୭ ତାରିଖରେ ୪୬ ହଜାର ୯୭୯.୨ ଲିଟର ଏହାପରେ ୫୦ ହଜାର ୨୬୨.୩ ଲିଟର, ୫୨ ହଜାର ୫୬୩ ଲିଟର, ୪୯ ହଜାର ୭୭୦.୩ ଲିଟର, ୬୧ ହଜାର ୩୦୩ ଲିଟର ବିଅର ଗ୍ରାହକ ପିଇ ସାରିଛନ୍ତି । ୨ ଲକ୍ଷ ୪୨ ହଜାର ୩୮ଟି ଅର୍ଡର ବୁକିଂ କରାଯାଇ ହୋମ୍‌ ଡେଲିଭରି କରାଯାଇଛି । ତେବେ ସ୍ୱିଗି ଜୋମାଟୋ ଭଳି ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥା ଜରିଆରେ ମଦ ମଗାଇବାକୁ ଗ୍ରାହକମାନେ ନାପସନ୍ଦ କରିଛନ୍ତି । ମାତ୍ର ୧.୩୮ ପ୍ରତିଶତ ହୋମ୍‌ ଡେଲିଭରି ପାଇଁ ଏହି ସଂସ୍ଥାଗୁଡିକୁ ଅର୍ଡର ହୋଇଛି । ସପ୍ତାହକ ମଧ୍ୟରେ ମୋଟ ୩୪୨୪ଟି ଅର୍ଡର ବୁକିଂ ହୋଇଥିବା ବେଳେ ୩୪୧୩ଟି ଅର୍ଡରର ହୋମ୍‌ ଡେଲିଭରି କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.