ବେକାବୁ କରୋନା: ଏହି ସହରରେ ଲାଗିଲା ସପ୍ତାହନ୍ତ ଲକ୍ଡାଉନ୍, କଡ଼ାକଡ଼ି ରାତ୍ରିକାଳୀନ କଟକଣା
7/03/2021 at 9:03 PM

ମୁମ୍ବାଇ ୦୭/୦୩: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । କେତେକ ସ୍ଥାନରେ ଫେରିଛି ଲକ୍ଡାଉନ୍। କରୋନା ମାମଲା ବୃଦ୍ଧି ମାମଲାରେ ମହାରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ନଜରରେ ରଖି ସପ୍ତାହନ୍ତ ଲକ୍ଡାଉନ୍ ଲଗାଇବାକୁ ସରକାର ଘୋଷଣା କରିଛନ୍ତି। ଏନେଇ ମନ୍ତ୍ରୀ ଏକନାଥ ସିନ୍ଧେ ସୂଚନା ଦେଇଛନ୍ତି।
ଏହା ସହ ମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୧୧ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଔରଙ୍ଗାବାଦରେ ରାତ୍ରିକାଳୀନ ପ୍ରତିବନ୍ଧ ଲାଗିବ। ଏପରିକି ସପ୍ତାହନ୍ତରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ରେ ରହିବ ସହର। ଏହି ସମୟରେ ସ୍କୁଲ, କଲେଜ, ବିବାହ ମଣ୍ଡପ ମଧ୍ୟ ବନ୍ଦ ରହିବ। ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ, ଅକୋଲା, ଅକୋଟ ଏବଂ ସୁରଜିତାପୁରରେ ଲକ୍ଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ନିଷ୍ପତ୍ତି ଲଦି ଦେବା ପାଇଁ ନୁହେଁ ବରଂ ଆବଶ୍ୟକତା ରହିଛି। ଅନ୍ୟପଟେ ରାଜ୍ୟରେ କେବଳ ୬ ଦିନରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟାରେ ମୋଟ ୧୧,୧୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୮ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ପାଖାପାଖି ୫ ମାସ ପରେ ପ୍ରଥମ ଥର ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।