ଖୋଲୁନି ଓ୍ବେବସାଇଟ୍, ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

Published By : Prameya-News7 Bureau | November 20, 2018 IST

ଭୁବନେଶ୍ବର ୨୦|୧୧:  ହକି ବିଶ୍ବକପର ବହୁ ପ୍ରତୀକ୍ଷିତ ଉଦଘାଟନୀ ଉତ୍ସବ ଲାଗି ଟିକେଟ୍ ବିକ୍ରି ଆଜିଠୁ ଆରମ୍ଭ ହୋଇଛି । ଆଜି ଅପରାହ୍ନ ୧୨ରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ଓ୍ବେବସାଇଟ୍ ଖୋଲୁନାହିଁ । ଏଭଳି ସ୍ଥିତିରେ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ସହ, ୨୮ ତାରିଖରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏ.ଆର. ରହମାନ ସୋ ଲାଗି ମଧ୍ୟ ଏକାଥରେ ଟିକେଟ୍ ବିକ୍ରି ହେବାର ଥିଲା । ଉଦଘାଟନୀ ସମାରୋହ ପାଇଁ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି । ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟ୍ ଜେନିର ୱେବସାଇଟ୍ www.ticketgenie.inକୁ ଯାଇ ଟିକେଟ୍ କିଣି ପାରିବେ ବୋଲି ଆଗରୁ ସୂଚନା ଦିଆଯାଇଥିଲା । ଦର୍ଶକମାନେ ଅନଲାଇନ୍ ଯୋଗେ ଟିକେଟ୍ ବୁକ୍ କରିବାପରେ ୨୨ ତାରିଖରେ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବେ ବୋଲି ଘୋଷଣା କରିଥିଲା ହକି ଇଣ୍ଡିଆ । ମାତ୍ର ଓ୍ବେବସାଇଟ୍ ଖୋଲୁନଥିବାରୁ ଟିକେଟ୍ ବୁକ୍ କରିପାରୁନାହାନ୍ତି ଦର୍ଶକ । ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍ ହକିର ପ୍ରଥମ ଟିକେଟ୍  କିଣିଥିଲେ । ହକି ଇଣ୍ଡିଆ କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରତିକାତ୍ମକ ଟିକେଟ୍  ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିକେଟ୍  ମୂଲ୍ୟ ବାବଦରେ ୫୦୦ ଟଙ୍କା ଦେଇଥିଲେ। କଳିଙ୍ଗ ଷ୍ଟାଡିୟମରେ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ମୁଖ୍ୟ ଆକର୍ଷଣ ହୋଇଥିବା ଯୋଗୁଁ ଶାହରୁଖଙ୍କ ଫ୍ୟାନ୍ ମାନେ ମଧ୍ୟ ଏହି ଟିକେଟ୍ ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି । ହେଲେ ଏମିତିରେ ଓ୍ବେବସାଇଟ୍ ନଖୋଲିବା ସମସ୍ତଙ୍କୁ ନିରାଶ କରୁଛି । ପୂର୍ବରୁ କାଉଣ୍ଟରରେ ଟିକେଟ୍ ନ ମିଳିବାରୁ କଳିଙ୍ଗ ଷ୍ଟାଡିୟମ ଫାଟକ ପାଖରେ ଭଙ୍ଗାରୁଜା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.