ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା : କିଛି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ୨୯ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର ୨୬।୦୪: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ୨୯ ପରେ ସାମାନ୍ୟ ବଦଳିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ତେଣୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଭିତରକୁ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି।
ରାଜ୍ୟରେ ଦୁଇଦିନ ହେବ କାଳବୈଶାଖୀ ବର୍ଷା ଯୋଗୁଁ ଚାଷୀମାନଙ୍କ ଫସଲ ଉଜୁଡି ଯାଇଛି । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସଆରସି) ପ୍ରଦୀପ ଜେନା ।

ଶନିବାର ସକାଳ ୮ଟା ୩୦ ସୁଦ୍ଧା ଫୁଲବାଣୀରେ ୧୨୪ ମିଲିମିଟର ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୯୨ ମିଲିମିଟର, ଛତ୍ରପୁରରେ ୮୫, ବାଲେଶ୍ୱରରେ ୭୨, ଭୁବନେଶ୍ୱର ଓ ବାରିପଦାରେ ୬୪, ନୟାଗଡ଼ରେ ୪୪, ପାରାଦୀପରେ ୪୩, ଚାନ୍ଦବାଲିରେ ୩୯ ଓ କଟକରେ ୩୪ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଆଦି ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ରହିବା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ରାଜ୍ୟରେ ସକାଳେ ଖରା ହେବା ସହିତ ଉପରବେଳା କାଳବୈଶାଖୀ ବର୍ଷା ହେବ । ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବ । ଫଳରେ ରାଜ୍ୟରେ ତାତି କମ ରହିବ । ମାତ୍ର ମେ’ ପହିଲାରୁ ପୁଣି ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।

ସେହିପରି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ତତ୍‌ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରିଭାଗରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଘନୀଭୂତ ହେବ । ପ୍ରଥମେ ଏହା ଉତ୍ତରରୁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୩-୪ଦିନ ପରେ ଉତ୍ତରରୁ ଉତ୍ତର-ପୂର୍ବ ଦିଗରେ ଗତି କରି ମିଆଁମାର ଓ ଦକ୍ଷିଣ ପୂର୍ବ ବାଂଲାଦେଶରେ ପହଞ୍ଚିବ ବୋଲି ଆଇଏମଡି ଆକଳନ କରିଛି । ତେବେ ତା’ର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡିବ ନାହିଁ କେବଳ ସେହି ସମୟରେ ବର୍ଷା ହେବ ବୋଲି ଓଡ଼ିଶାର ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଶନିବାର ସକାଳ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ଆଜି ମଧ୍ୟ ୪୦.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ର ୧ ଡିଗ୍ରୀ ସେଲସିୟସ୍‌ ଖସି ଆଜି ୩୯ଂ ସେଲସିୟସ୍‌ ରହିଥିବା ବେଳେ ଉପକୂଳର ଅଧିକାଂଶ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୩ଂ ସେଲସିୟସରୁ କମ ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.