ଲୋକଙ୍କୁ ମିଳିବ ଆଶ୍ଵସ୍ତି: ୨୪ ଘଣ୍ଟାରେ ପୂରା ଭାରତରୁ ଶେଷ ହେବ ହିଟ୍ଓ୍ଵେଭ୍

Published By : Prameya-News7 Bureau | May 29, 2020 IST

ନୂଆଦିଲ୍ଲୀ ୨୯।୦୫: ଉତ୍ତର ଭାରତ ଭୀଷଣ ଗରମରେ ଛଟପଟ୍ ହେଉଛି।  ହେଲେ ଗୁରୁବାର ହୋଇଥିବା  ବର୍ଷାରେ ଲୋକଙ୍କୁ କିଛିଟା ଆଶ୍ଵସ୍ତି ମିଳିଛି। ଏହି କ୍ରମରେ ଭାରତୀୟ ପାଣିପାଗ ବିଭାଗର ଉପ ମହାନିର୍ଦ୍ଦେଶକ ଆନନ୍ଦ ଶର୍ମା କହିଛନ୍ତି ଏବେ ଦିଲ୍ଲୀ-ଏନସିଆର ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ବର୍ଷା  ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ  ବହିପାରେ।

ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୪୦ ଡିଗ୍ରୀରୁ କମ ରହିବ ଓ ଆଗାମୀ ୨୪ ଘଣ୍ଟା ଭିତରେ ପୂରା ଭାରତରୁ ହିଟ୍ ଓ୍ଵେଭ୍ ଶେଷ ହେବ। ଅନ୍ୟପଟେ ମାଳଦ୍ଵୀପ-କୋମୋରିନ କ୍ଷେତ୍ରର କିଛି ଭାଗରେ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗର ଓ ଆଣ୍ଡାମାନର  ବାକି ଅଞ୍ଚଳରେ ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନର ପରିସ୍ଥିତି ଅନୁକୂଳ ହେବାରେ ଲାଗିଛି। ମେ ୩୧ରେ ଦକ୍ଷିଣ ପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ଅନୁମାନ କରାଯାଇଛି। ଫଳରେ ଜୁନ ୧ରୁ ଦକ୍ଷିଣ-ପଶ୍ଚିମ ମୌସୁମି  ବାୟୁ ପାଇଁ ସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି।

ବିଜ୍ଞାନ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ଉପୁଜିବାରୁ  ଦକ୍ଷିଣ-ପଶ୍ଚିମ ମୌସୁମି ଜୁନ୍ ୧ରେ କେରଳ ଛୁଇଁପାରେ। ବିଭାଗ ମେ ୧୫ ନିଜର ପୂର୍ବ ପୂର୍ବାନୁମାନରେ କହିଥିଲା ଯେ,  ଜୁନ ୫ରେ ମୌସୁମି ଦକ୍ଷିଣ ଭାରତରେ ପ୍ରବେଶ କରିପାରେ। ହେଲେ ଏବେ ମୌସୁମି ଆଗମନ ଲାଗି ସ୍ଥିତି ଅନୁକୂଳ ରହିଛି।

ବିଭାଗ କହିଛି, ଦକ୍ଷିଣ ପୂର୍ବ ଓ ପୂର୍ବ ମଧ୍ୟ ଆରବ ସାଗରରେ ମେ ୩୧ରୁ ଜୁନ ୪ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ ଏବେଠୁ କହି ହେବ ନାହିଁ। ପାଣିପାଗ ବିଭାଗ ଅନୁଯାୟୀ, ଦେଶରେ ଚଳିତ ବର୍ଷ ସ୍ଵାଭାବିକ ମୌସୁମି ବର୍ଷା ହେବାର ସମ୍ଭାବନା  ରହିଛି।                          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.