ଆଜି ବି ବର୍ଷା : ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା, ୩-୪ଦିନ କମିବ ତାପମାତ୍ରା

Published By : Prameya-News7 Bureau | April 27, 2020 IST

ଭୁବନେଶ୍ୱର ୨୭।୦୪: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୨୯ ତାରିଖରୁ ବର୍ଷା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ପୂର୍ବରୁ ପଶ୍ଚିମ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ଓ ଝାଡ଼ଖଣ୍ଡ ସମେତ ବିଭିନ୍ନ ପୂର୍ବ ଭାରତ ରାଜ୍ୟଗୁଡିକରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ । ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଧୀବରଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

{"id":175856,"sizeSlug":"large"}

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ହେବ । ସେହିପରି ଏହି ଜିଲ୍ଲାଗୁଡିକରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଥିବାରୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ରବିବାର ସକାଳ ୮ଟା୩୦ ସୁଦ୍ଧା ମାଲକାନଗିରିରେ ୪୨ ମିଲିମିଟର ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୨୦ ମିଲିମିଟର୍‌, ସୋନପୁରରେ ୧୬ ମିଲିମିଟର, ଭବାନୀପାଟଣାରେ ୧୧ ମିଲିମିଟର, ବଲାଙ୍ଗୀରରେ ୧୦ ମିଲିମିଟର, କେନ୍ଦୁଝରରେ ୯ ମିଲିମିଟର, ବାଲେଶ୍ୱରରେ ୭ ମିଲିମିଟର, କୋରାପୁଟ ଓ ଗୋପାଳପୁରରେ ୫ ମିଲିମିଟର ବର୍ଷା ହୋଇଛି । ସେହିପରି ଆଜି ସକାଳ ୮ଟା୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ଚାନ୍ଦବାଲିରେ ୨୮ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୨୪ ମିଲିମିଟର, ପାରାଦୀପରେ ୮ ମିଲିମିଟର, ପୁରୀରେ ୫ ମିଲିମିଟର ଓ ସୁନ୍ଦରଗଡ଼ରେ ୪ ମିଲିମିଟର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ୩୦ ପରେ ତାତି ବଢ଼ିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ତାପମାତ୍ରା କମ ରହିବ । ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ତତ୍‌ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରି ଭାଗରେ ଲଘୁଚାପ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.