ଦାନାବାନ୍ଧିଲା ଲଘୁଚାପ : ୧୦ରୁ ୧୨ ଯାଏଁ ରାଜ୍ୟରେ ବର୍ଷା

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୦୯।୦୬: ବଦଳିଲାଣି ପାଗ । ଗୋଟିଏ ପଟେ ଗୁଳୁଗୁଳି, ଅନ୍ୟପଟେ ମେଘୁଆ ଆକାଶ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା । ମୌସୁମୀ ଆସୁଥିବା ନେଇ ପାଣିପାଗ ଦେଖାଇଲାଣି ଏମିତି ଲକ୍ଷଣ । ପାଣିପାଗ ବିଭାଗ କହୁଛି, ପାଗ ପୂରା ଅନୁକୂଳ ଅଛି । ମୌସୁମୀ ଆଗକୁ ବଢ଼ି ଚାଲିଛି । ଏପଟେ ଲଘୁଚାପ ବି ଦାନା ବାନ୍ଧି ସାରିଲାଣି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ୨୪ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଯିବ। ଏହା ପ୍ରଭାବରେ ୧୦ରୁ ୧୨ ତାରିଖ ଯାଏଁ ଓଡ଼ିଶାରେ ଲାଗି ରହିବ ବର୍ଷା । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଏହି ଲଘୁଚାପ ହିଁ ଓଡ଼ିଶାକୁ ଟାଣି ଆଣିବ ମୌସୁମୀ । ୧୨ ତାରିଖ ସୁଦ୍ଧା ରାଜ୍ୟରେ ପହଞ୍ଚିବ ମୌସୁମୀ ।  

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ମୌସୁମୀ ଆଗମନ ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ୨ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ କେନ୍ଦ୍ରୀୟ ଆରବ ସାଗର, ଗୋଆ, କୋଙ୍କଣର କିଛି ଅଂଶ, କର୍ଣ୍ଣାଟକର କେତେକ ଅଞ୍ଚଳ, ରଏଲସୀମା, ତାମିଲନାଡ଼ୁର କିଛି ଅଂଶ, ଆନ୍ଧ୍ର ଉପକୂଳର କିଛି ଅଂଶ, କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରର କେତେକ ଅଂଶ ଓ ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବ । ତା’ ପରବର୍ତ୍ତୀ ଦୁଇଦିନ ଭିତରେ ଓଡ଼ିଶାର କେତେକ ଅଞ୍ଚଳ ସମେତ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଉପକୂଳର କିଛି ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ, ସିକିମ, ଗାଙ୍ଗେୟ ପଶ୍ଚିମବଙ୍ଗ ଛୁଇଁବ ମୌସୁମୀ । 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଆସନ୍ତା ଦୁଇଦିନ ରାଜ୍ୟରେ କାଳବୈଶାଖୀ (ପ୍ରାକ୍‌ ମୌସୁମୀ) ବର୍ଷା ହେବ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ରୁ ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୧୧ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ପାଖକୁ ଆସିବା ସମ୍ଭାବନା ଅଛି । ଏହାସହ ଉତ୍ତର ବାଂଲାଦେଶରୁ ଆଭ୍ୟନ୍ତରୀଣ ଓଡ଼ିଶା ଉପର ଦେଇ ଏକ ଟ୍ରଫ୍‌ ରହିଛି ।  

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗା ସହ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି । ଗଞ୍ଜାମ, ପୁରୀ, ଗଜପତି ଓ ଖୋର୍ଦ୍ଧାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।  

୧୦ ତାରିଖରେ ରାଜ୍ୟର ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏ ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ତାରିଖରେ ବର୍ଷା ପ୍ରକୋପ ବଢ଼ିବ । ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ଲାଗି ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।  

୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  

ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ଅଛନ୍ତି, ସେମାନେ ୯ ତାରିଖ ସୁଦ୍ଧା କୂଳକୁ ଫେରିବା ଆସିବା ପାଇଁ ପରାମର୍ଶ ଦିଆଯାଇଛି ।  ଗତକାଲି କେବଳ ବଲାଙ୍ଗିର ଓ ମାଲକାନଗିରିରେ ସର୍ବୋଚ୍ଚ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ବାକି ସବୁଠି ତାତି କମ୍‌ ଥିଲା । ମାତ୍ର ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପ୍ରକୋପ ବଢ଼ିଛି । ଅପରାହ୍ନରେ କଟକ, ଭୁବନେଶ୍ୱର, ଅନୁଗୁଳ, ଦାରିଙ୍ଗିବାଡ଼ି, କେନ୍ଦୁଝର, ଭବାନୀପାଟଣା, ଟିଟିଲାଗଡ଼ରେ କାଳବୈଶାଖୀ ବର୍ଷା, ପବନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.