ଆହୁରି ବଢିବ ଶୀତ, ପାରଦ ୨ ରୁ ୩ ଡିଗ୍ରୀ କମିବ !

Published By : Prameya-News7 Bureau | November 08, 2020 IST

ଭୁବନେଶ୍ୱର ୦୮।୧୧: ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ସନ୍ଧ୍ୟାରୁ ହାଲୁକା ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି । ଶନିବାର ରାତିରେ ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟିସ୍‌ ଭିତରେ ଥିଲା । ଏଥିମଧ୍ୟରୁ ସୋନପୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ୧୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ରବିବାର ଶୀତ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ଭିତରେ ଉପକୂଳ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ । ସେହିଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ୧-୨ ଡିଗ୍ରୀ ଖସିପାରେ ରାତି ତାପମାତ୍ରା । ରବିବାର ସକାଳେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ବଢ଼ିବା ସମ୍ଭାବନା ଅଛି ।ରାଜ୍ୟରେ ଗତ ୪ ତାରିଖରୁ ଶୀତ ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି । ସୋନପୁର ପଛକୁ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡ଼ି ୧୪ ଡିଗ୍ରୀ, ଝାରସୁଗୁଡ଼ା ୧୪.୧, କେନ୍ଦୁଝର ୧୫, କୋରାପୁଟ ୧୫.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଏହାବାଦ୍‌ ରାଜ୍ୟର ବାକି ଅଞ୍ଚଳରେ ଧୀରେଧୀରେ ଶୀତ ଅନୁଭୂତ ହେଲାଣି । ଉପକୂଳ ଓଡ଼ିଶାରେ ମଧ୍ୟ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବାରେ ଲାଗିଛି । ଏପଟେ ଶନିବାର ସନ୍ଧ୍ୟାରୁ ଅନେକ ଅଞ୍ଚଳରେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି। ଆସନ୍ତା ୧୧ ତାରିଖବେଳକୁ ଉପକୂଳ ଓଡ଼ିଶାର କେତେକ ଜାଗା ସମେତ କନ୍ଧମାଳ, ରାୟଗଡ଼ାରେ ବର୍ଷା ହୋଇପାରେ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୮ ତାରିଖ ରାତିରେ ଉପକୂଳବର୍ତ୍ତୀ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଆଉ ୧ ଡିଗ୍ରୀ ସେଲସିୟସ୍‌ କମିପାରେ। ପରବର୍ତ୍ତୀ ଦୁଇଦିନ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୧୧ ଓ ୧୨ ତାରିଖରେ ରାତି ତାପମାତ୍ରା ବିଶେଷ ଭାବେ ବୃଦ୍ଧି ପାଇବ। ଫଳରେ ଥଣ୍ଡା କମିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ଡିଗ୍ରୀ ପାରଦ ଖସିବ। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ବଢ଼ିପାରେ।

ଆଭ୍ୟନ୍ତରୀଣ ଉତ୍ତରରେ ରାତି ତାପମାତ୍ରା ୧୦ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ତା’ ପରେ ସର୍ବନିମ୍ନ ତାପମାତ୍ରା ୧୨ ତାରିଖ ପର୍ଯ୍ୟନ୍ତ ୩ରୁ ୪ ଡିଗ୍ରୀ ବଢ଼ିପାରେ। ୧୨ରୁ ୧୫ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ତେଣୁ ଶୀତ କମିଯିବ। ଦୀପାବଳି ସମୟରେ ଶୀତ ରହିବ ନାହିଁ। ଏହା ପରେ ଉତ୍ତର ଭାରତ ପଟୁ ପ୍ରବାହିତ ଥଣ୍ଡା ପବନ ଫେରିବାକୁ ଆଉ ଏକ ସପ୍ତାହ ଲାଗିବ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ଭିଏତନାମ ଉପକୂଳରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ସମେତ ପୂର୍ବ ଉପକୂଳ ରାଜ୍ୟକୁ ପୂର୍ବା ତରଙ୍ଗାୟିତ ପବନ ବହିବା ଆରମ୍ଭ ହୋଇଛି । ଆସନ୍ତା ୧୧ରେ ଏହା ଓଡ଼ିଶା ଉପକୂଳରେ ରହିବା ଯୋଗୁ ୧୧ ଓ ୧୨ ତାରିଖରେ ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିବ । କେତେକ ଜାଗାରେ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବାକି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.