Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ନଭେମ୍ବର ୨ରୁ ପୁଣି ବର୍ଷା ; ଓଡ଼ିଶା ଛାଡୁଛି ମୌସୁମୀ, ରାଜ୍ୟରେ ବଢ଼ିବ ଶୀତ

28/10/2020 at 10:10 AM

ଭୁବନେଶ୍ୱର ୨୮।୧୦: ରାଜ୍ୟରୁ  ଫେରୁଛି ମୌସୁମୀ । ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ବୁଧବାର ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସମେତ ସାରା ଦେଶରୁ ପଳାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଶୀତ ଆହୁରି ବଢ଼ିବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଏଚ ବିଶ୍ୱାସ ଆକଳନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ନଭେମ୍ବର ୨, ୩ ଓ ୪ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭୁବନେଶ୍ୱରରେ ଏହି ୩ଦିନ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ବିଶେଷ କରି ଉତ୍ତର ଉପକୂଳରେ ପ୍ରାୟତଃ ଭାରୀ(୫୪ ମିଲିମିଟର) ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ତେବେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ମୋଲାଭେ’ବାତ୍ୟା ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଭିଏତନାମରେ ସ୍ଥଳଭାଗକୁ ଛୁଇଁବ । ଏହାର ଅବଶିଷ୍ଟାଂଶ ଥାଇଲାଣ୍ଡ ମିଆମାର୍‌ ଦେଇ ୨୯ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୁପ ନେବ । ଯାହା ୩୦ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୩୧ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧ରେ ଉତ୍ତର-ଦକ୍ଷିଣ ହୋଇ ଏହା ସଂଗଠିତ ହେବ । ଯାହା ଫଳରେ ଓଡ଼ିଶାରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ ।

ଅପରପକ୍ଷେ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଭାରତରୁ ପବନ ବୋହୁଛି । ଯାହାର ପ୍ରଭାବରେ ତାପମାତ୍ରା କମୁଛି । ଅନୁମାନ କରାଯାଉଛି ଉପକୂଳରେ ୩୦ତାରିଖ ପର୍ଯ୍ୟନ୍ତ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୧ ପର୍ଯ୍ୟନ୍ତ ତାପମାତ୍ରା କ୍ରମଶଃ କମିବ । ୩୦ ସୁଦ୍ଧା ଭୁବନେଶ୍ୱରରେ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ତେବେ ୩୧ ତାରିଖରୁ ମେଘୁଆ ପାଗ ଯୋଗୁଁ ଉପକୂଳରେ ଥଣ୍ଡା ପ୍ରାୟ ୩ରୁ ୪ ଡିଗ୍ରୀ କମିବ । ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ରୁ ୩ ଭିତରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ । ୪ତାରିଖରୁ ପୁଣି ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଆଜିର ତାପମାତ୍ରା ତୁଳନାରେ ପ୍ରାୟ ୩ଂ ସେଲସିୟସ୍‌ କମ ରହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ପାଗ ଶୁଖିଲା ରହିବ । ତେବେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ସେଲସିୟସ୍‌ ଓ ପୁରୀରେ ୨୨ଡିଗ୍ରୀ ସେଲସିୟସ୍‌କୁ ଖସିବ । ୩୦ ଯାଏଁ ପାଗ ଏଭଳି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ମଙ୍ଗଳବାର ରାୟଗଡ଼ାରେ ସ୍ୱଳ୍ପ ବର୍ଷା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଖସିଛି । ସୋନପୁରର ସର୍ବନିମ୍ନ ତାପମାତ୍ର ୧୪.୨ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବା ବେଳେ ଅନୁଗୁଳରେ ୧୪.୬ଡିଗ୍ରୀ ସେଲସିୟସ୍‌, ଦାରିଙ୍ଗବାଡ଼ିରେ ୧୫ଡିଗ୍ରୀ ସେଲସିୟସ୍‌, ଭବାନିପାଟଣାରେ ୧୫.୫ଡିଗ୍ରୀ ସେଲସିୟସ୍‌, କେରାପୁଟରେ ୧୫.୮ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

   Related Posts