ଆସନ୍ତା ୩ ଦିନ ପ୍ରବଳ ବର୍ଷା , ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 20, 2020 IST

ଭୁବନେଶ୍ୱର ୨୦।୧୦: ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ (୨୨ ତାରିଖ ପର୍ଯ୍ୟନ୍ତ) ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏ ନେଇ ସତର୍କ କରାଇ ଦେଇଛି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ । ଲଗାଣ ବର୍ଷା ସମ୍ଭାବନାକୁ ନଜରରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପାଣିପାଗ ଅନୁଯାୟୀ, ଆଜି ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳ ସମେତ ମାଲକାନଗିରି, କୋରାପୁଟ,ରାୟଗଡ଼ାର କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ବୁଧବାର (୨୧ ତାରିଖ) ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ମାଲକାନଗିରି, ରାୟଗଡ଼ା, କୋରାପୁଟରେ ବର୍ଷା ହେବ । ଗଞ୍ଜାମ ଓ ପୁରୀରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ ।

ଗୁରୁବାର (୨୨ ତାରିଖ) ଉପକୂଳ ଓଡ଼ିଶାର ଅଧିକାଂଶ ଜାଗା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, ଗଜପତି, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୨୩ରେ ବର୍ଷା ପରିମାଣ କମିବ । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଭାଗ ଆକଳନ କରିଛି ଆସନ୍ତାକାଲି ରାଜ୍ୟର ସମସ୍ତ ନଦୀ ଅବବାହିକାରେ ୨୧ରୁ ୨୫ ମିଲିମିଟର ବର୍ଷା ସମ୍ଭାବନା ରହିଛି । ବୁଧବାର ଋଷିକୂଲ୍ୟା ଅବବାହିକାରେ ୨୬ରୁ ୫୦ ମିମି ବର୍ଷା ଓ ଅନ୍ୟ ନଦୀ ଅବବାହିକାରେ ୨୧ରୁ ୨୫ ମିମି ବର୍ଷା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୨୨ ତାରିଖ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଲଗାଣ ବର୍ଷା ନେଇ ଆଗୁଆ ସତର୍କ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.