ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ରୁ ୨୧ ଯାଏଁ ପ୍ରବଳ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | October 17, 2020 IST

ଭୁବନେଶ୍ୱର ୧୭।୧୦: ଗୋଟିଏ ଲଘୁଚାପ ବର୍ଷା ନଯାଉଣୁ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ମାନକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ସେପଟେ ଏହାକୁ ନଜରରେ ରଖି ସମ୍ପୃକ୍ତ ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ଆର୍ ସି ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୯ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ। ଏହାର ପ୍ରଭାବରେ ଆସନ୍ତା ୧୯-୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଆସନ୍ତା ଦୁଇଦିନ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୧୯ରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

୨୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, କୋରାପୁଟର ଅଧିକାଂଶ ଜାଗାରେ ବର୍ଷା ହେବ। ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅୂଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ। କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ। ୨୧ରେ ବି ବର୍ଷା ଲାଗି ରହିବ।ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସେହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର  ନିର୍ଦ୍ଦେଶକ  ଡକ୍ଟର  ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ସମ୍ଭବତଃ ୧୮ ତାରିଖ ରାତି କିମ୍ବା ୧୯ ତାରିଖ ସକାଳୁ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ୨୧ ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ। ଏହି ଲଘୁଚାପ ଯିବା ପରେ ବି ରାଜ୍ୟରେ ବର୍ଷା ଜାରି ରହିବ। ଏହା ପରେ ଟ୍ରଫଲାଇନ୍‌ ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୭ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ। ୧୮ରେ ଏହା ସଂଗଠିତ ହୋଇ ଉତ୍ତର-ଦକ୍ଷିଣ ଦିଗରେ ଓଡ଼ିଶାରୁ ଆନ୍ଧ୍ର ଉପକୂଳ ପର୍ଯ୍ୟନ୍ତ ବିସ୍ତୃତ ରହିବ। ୧୯ରେ ଲଘୁଚାପ ରୂପ ନେବା ସହ ମଛଲିପଟଣମ୍‌ ଉପକୂଳ ନିକଟରେ ରହିବ। ସମ୍ଭବତଃ ଏହା ଅବପାତରେ ପରିଣତ ହୋଇପାରେ । ୨୦ରେ ଏହା କାକିନାଡ଼ା ଓ ମଛଲିପଟଣମ୍‌ ମଝିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ତେଣୁ ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ ପୁଣି ଭାରି ବର୍ଷାର ସମ୍ଭାବନା ଅଛି।

ଅନୁମାନ କରାଯାଉଛି, ଆସନ୍ତା ୧୮ରୁ ରାଜ୍ୟରେ ବର୍ଷା ବଢ଼ିବ। ୧୯ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବ। ୧୯ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ଚିଲିକା ଦକ୍ଷିଣରେ ବିଶେଷ କରି ଗଞ୍ଜାମରେ ଭାରି ବର୍ଷା ହୋଇପାରେ। ଉତ୍ତର ଉପକୂଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି। ୨୦ରେ ସାରା ଉପକୂଳ ଓ ସଂଲଗ୍ନରେ ବର୍ଷା ବଢ଼ିବ। ସମୁଦ୍ର ନିକଟବର୍ତ୍ତୀ ଜଗତସିଂହପୁର, ପୁରୀ, ଗଞ୍ଜାମରେ ବିସ୍ତୃତ ଭାରି ବର୍ଷା ସମ୍ଭାବନା ଅଛି। ପାଖ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ରେ ଭଦ୍ରକ, ବାଲେଶ୍ୱରରେ ବର୍ଷା ବଢ଼ିବ। ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ।

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସ୍‌ଆର୍‌ସି ଶ୍ରୀ ଜେନା ବିଭିନ୍ନ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଯେଉଁ ସବୁ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଅଛି, ସେଠାରେ ନଦୀ ଫୁଲିପାରେ। ଭୂସ୍ଖଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବନ୍ୟା ଜଳ, ପାଣି ଜମିବା ଓ ପାହାଡ଼ ଧସିବା ନେଇ ଦକ୍ଷିଣ ଓଡ଼ିଶାରେ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତ ଓ ସଜାଗ ରହିବାକୁ ହେବ। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.